Unknown

 

 

 

 

 

 

 

 

 

 

ଜାତକ ଗଳ୍ପ

(ପ୍ରଥମ ଭାଗ)

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

ସୂଚୀପତ୍ର

 

୧.

ନାମର ମୂଲ୍ୟ

୨.

ଦୁଇ ବଳଦ ଓ ମେଣ୍ଢା

୩.

ଶୃଗାଳର ବୁଦ୍ଧି

୪.

ଈଶ ପଣ୍ଡିତ

୫.

ଅସାଧୁ ସାଧୁ

୬.

ଅତି ଲୋଭୀର ଦଣ୍ଡ

୭.

କପଟୀ ଶୃଗାଳ

୮.

କୁସଂସ୍କାର

୯.

ଉଦଯୋଗୀର ଲକ୍ଷ୍ମୀଲାଭ

୧୦.

କୃତଘ୍ନ ବନ୍ଧୁ

୧୧.

ମନୁଷ୍ୟ ହୁଅ

୧୨.

ଲୋଭୀର ଲାଭ

୧୩.

ହତାଶ ହୁଅ ନାହିଁ

୧୪.

ଚରିତ୍ରର ବଳ

Image

 

ନାମର ମୂଲ୍ୟ

 

ପ୍ରାଚୀନକାଳରେ ବିଭିନ୍ନ ଦେଶରୁ ଶିଷ୍ୟମାନେ ଆସି ଗୁରୁଗୃହରେ ରହି ବିଦ୍ୟାଶିକ୍ଷା କରୁଥିଲେ । ଗୁରୁଙ୍କ ପରିବାର ସହିତ ସେମାନେ ଏକାବେଳକେ ମିଶି ଯାଉଥିଲେ । ଗୁରୁ ମଧ୍ୟ ସେମାନଙ୍କୁ ନିଜ ପୁଅଠାରୁ ବଳି ବେଶି ସ୍ନେହ କରୁଥିଲେ ।

ଶିଷ୍ୟମାନେ ମିଳିମିଶି ଗୁରୁଙ୍କ ଜମି ଚାଷ କରିଦିଅନ୍ତି; ଗାଈଗୋରୁ ଚରାନ୍ତି; ବଣରୁ ଫଳ, ଫୁଲ ଓ ଜାଳେଣି କାଠ ସଂଗ୍ରହ କରି ଆଣନ୍ତି । ଆଶ୍ରମରେ ପ୍ରତିଦିନର ସମସ୍ତ କାର୍ଯ୍ୟ ସେହି ଶିଷ୍ୟମାନଙ୍କଦ୍ୱାରା ହିଁ ହୋଇଥାଏ । ଶିଷ୍ୟମାନେ ବିଦ୍ୟାଶିକ୍ଷା କରିବା ସଙ୍ଗେ ସଙ୍ଗେ ସବୁପ୍ରକାର ଗୃହକାର୍ଯ୍ୟ ମଧ୍ୟ ଶିକ୍ଷା କରିଥାଆନ୍ତି; ତେଣୁ ଭବିଷ୍ୟତ୍ ଜୀବନରେ କୌଣସି ପ୍ରକାର କାର୍ଯ୍ୟରେ ସେମାନେ କଦାପି ପଛାନ୍ତି ନାହିଁ ।

ସେ ସମୟରେ ତକ୍ଷଶିଳାରେ ବୋଧିସତ୍ତ୍ଵ ସେହିପରି ଜଣେ ଆଦର୍ଶଗୁରୁ ଥିଲେ । ଦୂରଦୂରାନ୍ତ ଅଞ୍ଚଳରୁ ଶହ ଶହ ଛାତ୍ର ଆସି ତାଙ୍କ ଗୃହରେ ଆଶ୍ରୟ ନେଇ ବିଦ୍ୟାଶିକ୍ଷା କରୁଥିଲେ । ସେମାନଙ୍କ ମଧ୍ୟରେ ଜଣେ ଛାତ୍ର ଥିଲା–ତାହାର ନାମ ‘ପାପକ’ । ପିଲାଟି ଯେପରି ଶାନ୍ତ ଓ ଶିଷ୍ଟ, ସେହିପରି ବୁଦ୍ଧିମାନ୍ । ଗୁରୁଙ୍କର ଯେ କେତେ ଜଣ ଅତି ପ୍ରିୟ ଛାତ୍ର ଥିଲେ, ପାପକ ସେମାନଙ୍କ ମଧ୍ୟରେ ଅନ୍ୟତମ ।

ସେ ମେଧାବୀ ଓ ଗୁରୁଙ୍କର ସ୍ନେହର ପାତ୍ର ହୋଇଥିଲେ ମଧ୍ୟ ତା ମନଟି ସବୁବେଳେ ବିରସ ଥାଏ । ‘ପାପକ’–ଏହି ନାମଟା ହିଁ ତାଙ୍କୁ ବଡ଼ ବ୍ୟଥା ଦିଏ । ସମୟ ସମୟରେ ସହପାଠୀମାନେ ଏହି ନାମ ଲାଗି ତାକୁ ନାନା ପ୍ରକାର ପରିହାସ କରିଥାଆନ୍ତି ।

 

କ୍ରମେ ପାପକର ଏ ପରିହାସ ଅସହ୍ୟ ହେଲା । ସେ ଦିନେ ଗୁରୁଙ୍କ ପାଖକୁ ବଡ଼ ବ୍ୟଥିତ ଚିତ୍ତରେ ଯାଇ କହିଲା, ‘‘ଗୁରୁଦେବ, ମୋର ନାମଟାକୁ ଦୟା କରି ବଦଳାଇ ଦିଅନ୍ତୁ । ଏହି ନାମହିଁ ମୋ ମନରେ ଘୋର ଅଶାନ୍ତି ଆଣିଦେଉଅଛି; ସହପାଠୀମାନଙ୍କର ମୁଁ ପରିହାସର ପାତ୍ର ହୋଇଅଛି ।

 

‘‘ପାପକ ନାମଟି ମୋହର ଦିଏ ଲଜ୍ଜା ଅପାର,

ଅନ୍ୟ ନାମ ଦାନେ କରନ୍ତୁ ମୋତେ ସଙ୍କଟୁ ପାର ।’’

Image

ଏହା ଶୁଣି ଗୁରୁଦେବ କହିଲେ, ‘‘ବତ୍ସ, ତୁ ଯାଇ କିଛି ଦିନ ଜନପଦ ଭ୍ରମଣ କର । ବିଭିନ୍ନ ଅଞ୍ଚଳକୁ ଯାଇ ଓ ସବୁ ଶ୍ରେଣୀର ଲୋକଙ୍କ ସହିତ ମିଶି ସବୁ ପ୍ରକାର ନାମ ଶୁଣ । ସେଥିମଧ୍ୟରୁ ଯେଉଁ ନାମଟି ତୋହର ପସନ୍ଦ ହେବ, ସେହି ନାମଟି ଆସି ମୋତେ କହିଲେ, ମୁଁ ତୋହର ସେହି ନାମକରଣ କରିଦେବି ।’’

 

ପାପକ ଖୁସିମନରେ ଜନପଦ ଭ୍ରମଣରେ ବାହାରିଲା । ସେ ବାଟରେ ଯାହାକୁ ଦେଖେ, ତାହାର ନାମ ପଚାରେ । କିଏ ନିଜ ନାମ କହିଦିଏ, କିଏ ବା କିଛି ହେଲେ ଉତ୍ତର ଦିଏ ନାହିଁ । କେହି କେହି କିଛି ନ କହି ପାଗଳ ଭାବି ଆଡ଼େଇ ହୋଇ ଯାଆନ୍ତି ।

 

ପଥରେ ଯାଉ ଯାଉ ପାପକ ଦେଖିଲା, କେତେଗୁଡ଼ିଏ ଲୋକ ଗୋଟିଏ ବାଳକର ମୃତଦେହ ଦାହ କରିବା ଲାଗି ନେଇ ଯାଉଅଛନ୍ତି । ପଛରେ ତାର ଜ୍ଞାତିକୁଟୁମ୍ବ ବଡ଼ ବିକଳରେ ରୋଦନ କରି କରି ଧାଇଁଅଛନ୍ତି । ପାପକ ସେ ଲୋକମାନଙ୍କୁ ମୃତବାଳକର ନାମ ଜିଜ୍ଞାସା କଲା । ସେମାନଙ୍କ ମଧ୍ୟରୁ କେହି ଉତ୍ତର ଦେଲେ, ‘‘ତାହାର ନାମ ‘ଜୀବକ’ ।’’

 

ପାପକ ଏ ନାମ ଶୁଣି ମନେ ମନେ ଭାବିଲା, ‘‘କଅଣ, ଜୀବକ ମଧ୍ୟ ଏ ସଂସାରରେ ମରେ ?’’

 

ସେ ସେଠାରୁ କିଛି ଦୂର ଅଗ୍ରସର ହୋଇଗଲା । ଦେଖିଲା, ଗୋଟିଏ ଦାସୀକୁ ତାହାର ମୁନିବ ନିର୍ଦ୍ଦୟଭାବରେ ପ୍ରହାର କରୁଅଛନ୍ତି । ଦାସୀର କରୁଣ କ୍ରନ୍ଦନରେ ସେ ବ୍ୟଥିତ ହୋଇଉଠିଲା-। ପାଖକୁ ଯାଇ ପ୍ରହାରର କାରଣ ପଚାରିବାରୁ ମୁନିବ କହିଲେ–‘‘ଏ ଦାସୀ ମୋ ଘରୁ କେତେକ ଦ୍ରବ୍ୟ ଚୋରାଇ ଆଣିଅଛି ।’’

 

ପାପକ ଦାସୀର ନାମ ପଚାରି ଜାଣିପାରିଲା ଯେ, ତାହାର ନାମ ‘ଲକ୍ଷ୍ମୀ’ ।

 

ପାପକ ଭାବିଲା–ଯାହାର ନାମ ଲକ୍ଷ୍ମୀ, ତାହାର ମଧ୍ୟ ଏ ଦଶା ! ଅର୍ଥାଭାବରୁ ସେ ପରଘରେ ଦାସୀବୃତ୍ତି କରୁଅଛି । ସେଥିରେ ମଧ୍ୟ ଅଭାବ ପୂରଣ କରି ନ ପାରି ଚୌର୍ଯ୍ୟବୃତ୍ତି ଅବଲମ୍ବନ କରୁଅଛି; ସେଥିପାଇଁ ପ୍ରହାର ଖାଉଅଛି !

 

ସେଠାରୁ ପାପକ ଅନ୍ୟ ଦିଗରେ ଯାତ୍ରା କଲା । ବାଟରେ ଜଣେ ପାନ୍ଥ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବା ପାଇଁ କେଉଁ ପଥରେ ଯିବାକୁ ହେବ ବୋଲି ତାହାକୁ ପ୍ରଶ୍ନ କଲେ । ଆଉ ମଧ୍ୟ କହିଲେ, ‘‘ମୁଁ ପଥ ହରାଇ ବହୁ ସମୟ ଧରି ଏଠାରେ ଘୂରି ଘୂରି ବଡ଼ ହଇରାଣ ହୋଇଗଲିଣି ।’’

 

ପାପକ ତାଙ୍କର ନାମ କଅଣ ବୋଲି ପଚାରିବାରୁ ସେ ଉତ୍ତର ଦେଲେ, ‘‘ମୋ ନାମ ‘ପନ୍ଥକ’ ।’’

 

ପାପକ ଚିନ୍ତା କଲା–ତେବେ ‘ପନ୍ଥକ’ ବି ପଥ ହରାଇ ଘୂରିବୁଲେ ଏବଂ ସେଥିପାଇଁ ଦୁଃଖକଷ୍ଟ ଭୋଗ କରେ !

 

ବହୁ ଅଞ୍ଚଳ ବୁଲି ପାପକ ବଡ଼ କ୍ଳାନ୍ତ ହୋଇପଡ଼ିଲା । ସେ ଗ୍ରାମରେ ଜଣେ ଗୃହସ୍ଥଙ୍କ ଘରକୁ ଯାଇ ସେଠାରେ ଟିକିଏ ବିଶ୍ରାମ ନେଲା ଏବଂ ତୃଷାନିବାରଣ ଲାଗି ଜଳ ମାଗିଲା । ଗୃହସ୍ୱାମୀ ଗୋଟିଏ ଘୋର କୃଷ୍ଣବର୍ଣ୍ଣର ବାଳିକାକୁ ଚାହିଁ କହିଲେ, ‘‘ହେମାଙ୍ଗୀ ! ଏହାଙ୍କୁ ଗୋଟିଏ ପାତ୍ରରେ ଜଳ ଆଣିଦିଅ ।’’

 

ପାପକର ତୃଷା ସାଙ୍ଗେ ସାଙ୍ଗେ ଦୂର ହୋଇଗଲା । ସେ ଗୃହସ୍ୱାମୀଙ୍କୁ ଚାହିଁ କହିଲା, ‘‘ଏପରି କୃଷ୍ଣବର୍ଣ୍ଣର ବାଳିକାର ନାମ ହେମାଙ୍ଗୀ ?’’

 

ଗୃହସ୍ୱାମୀ ଦୁଃଖର ସହିତ ଉତ୍ତର ଦେଲେ, ‘‘ଏ ଯେଉଁ ଅନ୍ଧ ପିଲାଟିକୁ ଦେଖୁଅଛ, ତାହାର ନାମ, ‘କମଳଲୋଚନ’ । ବସନ୍ତ ରୋଗରେ ତାର ଚକ୍ଷୁ ଦୁଇଟି ନଷ୍ଟ ହୋଇଯାଇଅଛି । ଆଉ ମୋର ଏ ସାନପିଲାଟି ଏତେ ଦୁର୍ବଳ ଯେ, ଦଣ୍ଡେ ଠିଆ ହୋଇ ରହିପାରୁନାହିଁ; ତାହାର ନାମ ‘ବଳଭଦ୍ର’ । ଅନବରତ ରୋଗରେ ପଡ଼ି ସେ ଏ ଦଶା ଭୋଗ କରୁଅଛି । ମୁଁ ମନେକରୁଛି, ମୋର ପିଲାମାନଙ୍କ ନାମ ଯେତେବେଳେ ମୁଁ ଦିଏଁ, ସେତେବେଳେ ବୋଧହୁଏ ବିଧାତା ଅନ୍ତରାଳରେ ରହି କ୍ରୂରହାସ୍ୟ କରୁଥାଏ ।’’

 

ପାପକର ଜନପଦ ଭ୍ରମଣ ଶେଷ ହେଲା । ସେ ଆଉ ଅଧିକ ଆଗକୁ ନ ଯାଇ ଗୁରୁଗୃହକୁ ଫେରିଆସିଲା । ଗୁରୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି କହିଲା, ‘‘ଆର୍ଯ୍ୟ ! ମୋହର ନାମ ପରିବର୍ତ୍ତନ କରିବା ଦରକାର ନାହିଁ । ଯେଉଁଠାରେ ‘ଜୀବକ’ ମରେ, ‘ଲକ୍ଷ୍ମୀ’ ପେଟ ପୋଷି ନ ପାରି ମାଡ଼ ଖାଏ, ‘ପନ୍ଥକ’ ପଥ ହରାଇ ଏଣେ ତେଣେ ଘୂରି ବୁଲେ, ‘ବଳଭଦ୍ର’ ଦୁର୍ବଳତା ହେତୁ ଠିଆ ହେବାକୁ ଅକ୍ଷମ, ଆଉ ‘ହେମାଙ୍ଗୀ’ ଦେହର ବର୍ଣ୍ଣ ଘନ କୃଷ୍ଣ, ସେଠାରେ ‘ପାପକ’ ଧର୍ମପୁତ୍ର ଯୁଧିଷ୍ଠିର ନହେବ କାହିଁକି ?

 

‘‘ଜୀବକ ମରଇ ସଂସାରେ,

ଅନ୍ଧ ପଦ୍ମଲୋଚନ,

ଲକ୍ଷ୍ମୀ ଯାହା ନାମ, ନ ପାଏ

ପେଟପୂରା ଭୋଜନ ।

 

 

ପନ୍ଥକ ଘୂରଇ ବଣରେ

ଯେବେ ପଥ ହରାଇ,

ପାପକ ବା ଧର୍ମପୁରୁଷ

ହେବ ନାହିଁ କିପାଇଁ ?’’

 

ଗୁରୁଦେବ ଛାତ୍ରର ମାନସିକ ପରିବର୍ତ୍ତନରେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରି କହିଲେ, ‘‘ବତ୍ସ ! ନାମ କେବଳ ପଦାର୍ଥ ଚିହ୍ନିବାର ସଙ୍କେତ ମାତ୍ର । ନାମଦ୍ୱାରା କେବେ କେହି ବଡ଼ ହୋଇ ନାହିଁ–ସାଧନାଦ୍ୱାରା ହିଁ ବଡ଼ ହେବାକୁ ହୁଏ । ବିନା ସାଧନାରେ ଉତ୍କୃଷ୍ଟ ନାମ ଯେପରି ବିଡ଼ମ୍ବନା ବା ଉପହାସର ଯୋଗ୍ୟ, ସାଧନାରେ ସିଦ୍ଧିଲାଭ କଲେ ନିନ୍ଦନୀୟ ନାମ ମଧ୍ୟ ସେହିପରି ପ୍ରାତଃସ୍ମରଣୀୟ ହୋଇଥାଏ ।

ପ୍ରଶ୍ନ

୧.

ଗୁରୁ ପାପକକୁ ଜନପଦ ଭ୍ରମଣକୁ କାହିଁକି ପଠାଇଲେ ?

୨.

ଲକ୍ଷ୍ମୀ ମାଡ଼ ଖାଉଥିବାର ଦେଖି ପାପକ କଅଣ ଭାବିଲା ?

୩.

ଜନପଦ, ପଦ୍ମଲୋଚନ, ପନ୍ଥକ, ଗୃହସ୍ୱାମୀ, ଅନବରତ, ବିଡ଼ମ୍ବନା, ଅନ୍ତରାଳ, ପ୍ରାତଃସ୍ମରଣୀୟ, ସିଦ୍ଧିଲାଭ–ଏଗୁଡ଼ିକର ଅର୍ଥ କଅଣ ?

୪.

ଚୌର୍ଯ୍ୟବୃତ୍ତି, କ୍ରୂରହାସ୍ୟ, ନିର୍ଦ୍ଦୟ ଭାବରେ, ଅବଲମ୍ବନ–ଏହାକୁ ଲଗାଇ ଗୋଟିଏ ଗୋଟିଏ ବାକ୍ୟ କହ ।

୫.

ବିଦ୍ୟାଶିକ୍ଷା ସଙ୍ଗେ ସଙ୍ଗେ ଗୃହକାର୍ଯ୍ୟ ଶିକ୍ଷା କଲେ ଲାଭ କଅଣ ?

Image

 

ଦୁଇ ବଳଦ ଓ ମେଣ୍ଢା

 

ପ୍ରାଚୀନ କାଳରେ ବାରାଣସୀରେ ଜଣେ ଗୃହସ୍ଥଙ୍କ ଘରେ ଦୁଇଟି ସୁଲକ୍ଷଣଯୁକ୍ତ ବଳଦ ରହିଥିଲେ । ଗୋଟିକର ନାମ ‘ମହାଲୋହିତ’ ଓ ଅନ୍ୟଟିର ନାମ ‘ଚୁଲ୍ଲଲୋହିତ’ ।

 

ଦୁଇଟିଯାକ ବଳଦ ମୁନିବଙ୍କ ଜମି ଚାଷ କରନ୍ତି, ଗାଡ଼ି ଟାଣନ୍ତି, ଆଉ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟ କରନ୍ତି । ପ୍ରାତଃକାଳରୁ ସନ୍ଧ୍ୟାପର୍ଯ୍ୟନ୍ତ ସେମାନେ କଠିନ କାର୍ଯ୍ୟରେ ବରାବର ଲାଗି ରହିଥାଆନ୍ତି; ମାତ୍ର ଗୃହସ୍ଥ ସେମାନଙ୍କର ବିଶେଷ କିଛି ଯତ୍ନ ନିଅନ୍ତି ନାହିଁ । କଠିନ ପରିଶ୍ରମ ପରେ ସେମାନଙ୍କୁ ଖୁଣ୍ଟରେ ବାନ୍ଧି କେବଳ ପୁଳାଏ ନଡ଼ା ବା କୁଣ୍ଡେ ପେଜପାଣି ତାଙ୍କ ପାଖରେ ଥୋଇଦିଅନ୍ତି । କର୍ମ ଆଦରି ସେମାନେ ତାହା ଖାଆନ୍ତି ।

Image

ସେମାନଙ୍କ ପାଖରେ ଗୋଟିଏ ମେଣ୍ଢା ପ୍ରତ୍ୟହ ବନ୍ଧା ହୁଏ । ସେହି ମେଣ୍ଢାଟିକୁ ଗୃହସ୍ଥ ଓ ତାଙ୍କ ପତ୍ନୀ ଅତି ଯତ୍ନରେ ପାଳିଥାଆନ୍ତି । ମେଣ୍ଢାକୁ କୌଣସି କାର୍ଯ୍ୟ କରିବାକୁ ପଡ଼େ ନାହିଁ । ଅଥଚ ଭାତ, ଚାଉଳ, ନାନା ପାନିପରିବାର ଚୋପା ଆଦି ତାକୁ ପ୍ରଚୁର ପରିମାଣରେ ଖାଇବାକୁ ଦିଆଯାଏ । ଗୃହସ୍ଥଙ୍କ ପତ୍ନୀ ଦୁଇବେଳା ଆସି ନିଜ ହାତରେ ତାହାର ଦେହ ଝାଡ଼ି ସଫା କରିଦିଅନ୍ତି, ଆଦର କରି ଖାଇବାକୁ ଦିଅନ୍ତି, ତାହାର ଶୋଇବା ସ୍ଥାନ ଓଳାଇ ପରିଷ୍କାର କରିଦିଅନ୍ତି ।

 

ଏହା ଦେଖି ଚୁଲ୍ଲଲୋହିତ ମନରେ ବଡ଼ ଈର୍ଷା ହେଲା । ସେ ଆଉ ନିଜ ଖାଦ୍ୟ ଖାଇଲା ନାହିଁ । ବଡ଼ ଦୁଃଖ କରି କହିଲା, ‘‘ମେଣ୍ଢା କୌଣସି ପ୍ରକାର ପରିଶ୍ରମ ନ କରି ମଧ୍ୟ ଆଦର ଯତ୍ନ ପାଉଅଛି, ଅଥଚ ଆମେ ମୁନିବଙ୍କର ଏତେ ଉପକାର କରି ମରୁଛୁ; ଆମକୁ କେହି ଟିକିଏ ହେଲେ ପଚାରୁ ନାହାନ୍ତି ।’’

 

ମହାଲୋହିତ ଏହା ଶୁଣି ହସି ହସି ଉତ୍ତର ଦେଲା, ‘‘ଭାଇ, ଅନ୍ୟକୁ ହିଂସା କର ନାହିଁ । ନଡ଼ା, ଭୁଷୀ ଓ ପେଜପାଣି ଆମର ଖାଦ୍ୟ, ଆମେ ତା ପାଉଥାଇଁ । ଅବଶ୍ୟ ଆମେ ଦିନଯାକ ବହୁ ପରିଶ୍ରମ କରୁଅଛେ, ଆମଲାଗି ଗୃହସ୍ଥ ଆନନ୍ଦରେ ରହିଅଛନ୍ତି; ତଥାପି ଆମଠାରୁ ମେଣ୍ଢାକୁ ସେ ବେଶି ଆଦର କରୁଅଛନ୍ତି, ଯଥେଷ୍ଟ ଖାଦ୍ୟ ଯୋଗାଉଅଛନ୍ତି । ଏହାର କାରଣ କଅଣ, ତାହା ଥରେ ଭାବିବାର କଥା । କୌଣସି ସ୍ୱାର୍ଥସାଧନ କରିବାକୁ ନ ଥିଲେ, ମନୁଷ୍ୟ କାହାକୁ ଏତେ ଆଦର ଯତ୍ନ କରେ ନାହିଁ ।’’

 

ଚୁଲ୍ଲଲୋହିତ ମନଦୁଃଖରେ କହିଲା, ‘‘ଆମକୁ ହତାଦର କରି ମେଣ୍ଢାକୁ ଏପରି ଯତ୍ନରେ ରଖିବା କାରଣ କଅଣ, ତାହା ମୁଁ ଆଦୌ ବୁଝିପାରୁ ନାହିଁ । ଏହା କେବଳ ଆମର ଗୋଜାତିକୁ ଅପମାନ ଦେବାପାଇଁ । ଆମ ଆଖିଆଗରେ ଗୋଟାଏ ନିଷ୍କର୍ମା ମେଣ୍ଢାର ସେବା-ଶୁଶ୍ରୂଷା କରିବା ମୁଁ କଦାପି ସହ୍ୟ କରିପାରିବି ନାହିଁ । ମୁଁ ଭାବୁଅଛି, ଏଣିକି ଆଉ ମନ ଲଗାଇ ଗୃହସ୍ଥଙ୍କ କାର୍ଯ୍ୟ କରିବି ନାହିଁ । ସବୁ କ୍ଷେତ୍ରରେ ଯେପରି ତାଙ୍କର କ୍ଷତି ହେବ, ସେହି ଚେଷ୍ଟାରେ ହିଁ ରହିବି ।’’

 

ମହାଲୋହିତ–ନା ଭାଇ, ଏପରି ମନ୍ଦ ଭାବନାକୁ ମନରେ ସ୍ଥାନ ଦେ ନାହିଁ । ଟିକିଏ ଚିନ୍ତା କରି ଦେଖ, ଗୃହସ୍ଥ ଖୁବ୍ ସଜ୍ଜନ । ଏତେ ଦିନ ଧରି ସେ ଆମକୁ ପ୍ରତିପାଳନ କରି ଆସିଅଛନ୍ତି-। ତାଙ୍କର ଅପକାର କଲେ ଆମେ କୃତଘ୍ନ ହେବା । ଆମର କର୍ତ୍ତବ୍ୟ ଆମେ କରିଯିବା ଉଚିତ୍; ଅନ୍ୟ କେହି ଆମ ପ୍ରତି କିପରି ବ୍ୟବହାର କରୁଅଛି, ସେଥିକୁ ଦୃଷ୍ଟି ଦେବା ଠିକ୍ ନୁହେଁ । ଯେ ଯେପରି କାର୍ଯ୍ୟ କରିବ, ସେ ସେହି ଅନୁରୂପ ଫଳ ପାଇବ । ଅପରକୁ ଈର୍ଷା କରିବା ଯେପରି ଅନ୍ୟାୟ, ଉପକାରୀର ଅପକାର କରିବା ମଧ୍ୟ ସେହିପରି ପାପ ।

 

ଚୁଲ୍ଲଲୋହିତ–ମୁନିବ ଆମକୁ ପ୍ରତିପାଳନ କରୁଅଛନ୍ତି ସତ, ଖାଇବାକୁ ଦେଉଛନ୍ତି ମଧ୍ୟ; କିନ୍ତୁ ତା ତ ବିନା କାରଣରେ ନୁହେଁ । ଆମେ ପ୍ରାଣ ଦେଇ ଖଟୁଥାଇଁ; ତେଣୁ ଖାଇବାକୁ ପାଉଛେ । ମେଣ୍ଢା ଯେ କେବଳ ଶୋଇ ଶୋଇ ଅପୂର୍ବ ଦ୍ରବ୍ୟମାନ ଖାଉଅଛି !

 

ମହାଲୋହିତ–ମୋର ମନେହେଉଛି, ଅକାରଣରେ ସେମାନେ ମେଣ୍ଢାର ଏତେ ଯତ୍ନ ନେଉ ନାହାନ୍ତି । ମେଣ୍ଢାଦ୍ୱାରା ତାଙ୍କର କିଛି ଉପକାର ହେବ ହିଁ ହେବ ।

 

ମହାଲୋହିତ କଥାରେ ଚୁଲ୍ଲଲୋହିତ ମନରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । ସେ ନିଜ ଜିଦରେ ଅଟଳ ରହିଲା । ମନ ଲଗାଇ କାର୍ଯ୍ୟ କଲା ନାହିଁ; ହଳ ବା ଶଗଡ଼ ଟାଣିବା ସମୟରେ ତଳେ ଶୋଇରହିଲା । ତେଣୁ ଯଥେଷ୍ଟ ପ୍ରହାର ଖାଇଲା ।

 

କିଛି ଦିନ ପରେ ଗୃହସ୍ଥଙ୍କ ଘରକୁ କେତେ ଜଣ ବନ୍ଧୁବାନ୍ଧବ ଆସିଲେ । ଗୃହସ୍ଥଙ୍କ ନିର୍ଦ୍ଦେଶକ୍ରମେ ମେଣ୍ଢାଟିକୁ ହଣାଗଲା ଓ ତାହାର ମାଂସ ତରକାରୀ ହେଲା ।

 

ସେ ଦୃଶ୍ୟ ଦେଖି ମହାଲୋହିତ ଚୁଲ୍ଲଲୋହିତକୁ ଚାହିଁ କହିଲା, ‘‘ଭାଇ, ମେଣ୍ଢାର ପରିଣତି ଦେଖିଲୁ ତ ? ବେଶ୍ ଯତ୍ନ କରି ସୁଖାଦ୍ୟ ଖୁଆଇବାର ଉଦ୍ଦେଶ୍ୟ ଏବେ ବୁଝିପାରିଲୁ କି ? ବେଶି ଖାଇ ମୋଟା ହେଲେ, ମେଣ୍ଢା ଦେହରୁ ବହୁ ପରିମାଣରେ ମାଂସ ବାହାରିବ ଓ ସେଥିରେ ବହୁତ ଲୋକ ସନ୍ତୁଷ୍ଟ ହେବେ–ସେଥିଲାଗି ଗୃହସ୍ଥ ଓ ଗୃହସ୍ଥପତ୍ନୀ ତାହାକୁ ଏତେ ଆଦର ଯତ୍ନ କରୁଥିଲେ । ମୁଁ ସେତେବେଳେ ତୋତେ କହୁଥିଲି; ମାତ୍ର ତୁ ମୋ କଥା ନ ଶୁଣି ଖାଉନ୍ଦଙ୍କ କାମରେ କ୍ଷତି କଲୁ । ତା ଫଳରେ ଯଥେଷ୍ଟ ପ୍ରହାର ଓ ଦୁଃଖଯନ୍ତ୍ରଣା ପାଇଲୁ ।’’

 

ମେଣ୍ଢାର ପରିଣତି ଦେଖି ଓ ମହାଲୋହିତର କଥା ଶୁଣି ଚୁଲ୍ଲଲୋହିତ ଅନୁତାପ ସ୍ୱରରେ କହିଲା, ‘‘ହଁ ଭାଇ, ମୋ ଦୋଷ ମୁଁ ଏବେ ବୁଝିପାରୁଅଛି । ନଡ଼ା, ଭୁଷୀ ଖାଇ, ପରିଶ୍ରମ କରି ସଂସାରରେ ମୁଣ୍ଡ ଟେକି ବଞ୍ଚିରହିବା ବରଂ ଭଲ; କିନ୍ତୁ ଶୋଇ ବସି ମଉଜ ମଜଲିସ୍ କରି ଦୁଇ ଦିନ ପରେ ଅକାଳରେ ମୃତ୍ୟୁମୁଖରେ ପଡ଼ିବା ଠିକ୍ ନୁହେଁ ।’’

 

ମହାଲୋହିତ ହସି ହସି କହିଲା, ‘‘ଠିକ୍ କଥା, ଅନ୍ୟର ସୁଖସ୍ୱାଚ୍ଛନ୍ଦ୍ୟ ଦେଖି ହିଂସା କରିବା ଯେପରି ଅନ୍ୟାୟ, ନିଜ କର୍ତ୍ତବ୍ୟକର୍ମରେ ଅବହେଳା କରିବା ମଧ୍ୟ ସେହିପରି ଅନୁଚିତ ।’’

 

‘‘ପରସୁଖ ଦେଖି ହୁଏ ଯେ କାତର,

ତା ମନେ ନ ରହେ ଶାନ୍ତି,

ଦୁଃଖଭୋଗ ଥୁଆ କର୍ତ୍ତବ୍ୟ ହୁଡ଼ିଲେ,

ଅଳିକ ମୋହରେ ମାତି ।’’

 

ପ୍ରଶ୍ନ

 

୧.

ଚୁଲ୍ଲଲୋହିତ ମୁନିବଙ୍କ ଉପରେ ରାଗିଲା କାହିଁକି ? ରାଗିବାରୁ ସେ ମୁନିବଙ୍କର କଅଣ କ୍ଷତି କଲା ? ତା ଫଳରେ ତାହାର କଅଣ ଲାଭ ହେଲା ?

୨.

ପ୍ରଚୁର, କଠିନ, ପୁଳାଏ, ମନ୍ଦାଏ, ଯଥେଷ୍ଟ–ଏ ବିଶେଷଣ ପଦ ପଛରେ ଉପଯୁକ୍ତ ବିଶେଷ୍ୟ ପଦ ଲଗାଇ ଗୋଟିଏ ଲେଖାଏଁ ବାକ୍ୟ କହ ।

୩.

ପ୍ରାଚୀନ, ଅବହେଳା, ଅଟଳ, ଈର୍ଷା, ଶୁଶ୍ରୂଷା–ଏଗୁଡ଼ିକର ଅର୍ଥ କଅଣ ?

୪.

‘‘ଅନ୍ୟର ସୁଖସ୍ୱାଚ୍ଛନ୍ଦ୍ୟ ଦେଖି ହିଂସା କରିବା ଯେପରି ଅନ୍ୟାୟ, ନିଜ କର୍ତ୍ତବ୍ୟକର୍ମରେ ଅବହେଳା କରିବା ମଧ୍ୟ ସେହିପରି ଅନୁଚିତ’’–ଏହାକୁ ନିଜ କଥାରେ ବୁଝାଇ ଦିଅ ।

Image

 

ଶୃଗାଳର ବୁଦ୍ଧି

 

ପୂର୍ବକାଳରେ ବାରାଣସୀରେ ରାଜା ବ୍ରହ୍ମଦତ୍ତ ରାଜତ୍ୱ କରୁଥିଲେ । ସେହି ସମୟରେ ବୋଧିସତ୍ତ୍ଵ ବାରାଣସୀର ମହାଶ୍ମଶାନ ମଧ୍ୟରେ ଗୋଟିଏ ବୃକ୍ଷ ରୂପରେ ଜନ୍ମଗ୍ରହଣ କରିଥିଲେ । ସେହି ଶ୍ମଶାନକୁ ପ୍ରତ୍ୟେହ କେତେ ମୃତଦେହ ସଂସ୍କାର ଉଦ୍ଦେଶ୍ୟରେ ଆସେ । ସେସବୁ ମୃତଦେହ ଦେଖି ସେମାନଙ୍କ ସ୍ୱଭାବ ଚରିତ୍ର କିପରି ଥିଲା, ତାହା ଉକ୍ତ ବୃକ୍ଷ ଜାଣିପାରେ । ଜୀବନକାଳରେ କି ପାପ କଲେ ଅନ୍ତିମରେ ତାହାର ଉପଯୁକ୍ତ କି ପ୍ରକାର ଶାସ୍ତି ମିଳେ, ସେ ବିଷୟ ବୃକ୍ଷକୁ ଉତ୍ତମରୂପେ ଜଣା ।

 

ଥରେ ଗୋଟିଏ ମହାପାତକୀର ମୃତଦେହ ତାହାର ଜ୍ଞାତି-ବନ୍ଧୁମାନେ ଦାହ କରିବାକୁ ଆଣିଲେ । ଯେତେ ଚେଷ୍ଟା କଲେ ମଧ୍ୟ ଚିତା ଅଗ୍ନି ଜଳିଲା ନାହିଁ; ତେଣୁ ସେ ପାତକୀର ଦେହ ଭସ୍ମ ହେଲା ନାହିଁ । ଜ୍ଞାତିକୁଟୁମ୍ବମାନେ ବହୁ ପରିଶ୍ରମ କରି ଶେଷକୁ ବ୍ୟସ୍ତ ହୋଇଉଠିଲେ । ସେମାନଙ୍କ ଦୁର୍ଦ୍ଦଶା ଦେଖି ବୃକ୍ଷ ମନରେ ଦୟା ହେଲା । ସେ ଶୂନ୍ୟରୁ ଶବ୍ଦ କରି କହିଲା, ‘‘ଏ ପାତକୀର ଦେହ ଅଗ୍ନିଦେବ ମୋଟେ ସ୍ପର୍ଶ କରିବେ ନାହିଁ । ତେଣୁ ଆଉ ଦାହ କରିବାକୁ ଉଦ୍ୟମ ନ କରି ଏଠାରୁ ଫେରିଯାଅ; ଗୃଧ୍ର, ଶୃଗାଳଙ୍କର ତାହା ଭୋଜ୍ୟ ହେଉ ।’’

 

ଏ କଥା ଶୁଣି ଜ୍ଞାତିକୁଟୁମ୍ବବର୍ଗ ଭୟରେ ସେଠାରୁ ପଳାଇଗଲେ । ସେ ମୃତଦେହକୁ ଗୃଧ୍ର ଓ ଶୃଗାଳସବୁ ଆନନ୍ଦରେ ଖାଇଲେ ।

 

ଗୋଟିଏ ଶୃଗାଳ ସେ ମାଂସ ଖାଇ ଅତିଶୟ ଲୋଭାତୁର ହୋଇପଡ଼ିଲା । ସେ ଭାବିଲା, ‘‘ଏ ମୃତଦେହ ଯେଉଁ ଜନପଦରୁ ଆସିଅଛି, ସେଠାକୁ ଗଲେ ମୁଁ ଏହିଭଳି ବହୁତ କିଛି ସୁଖାଦ୍ୟ ଖାଇବାକୁ ପାଇବି ।’’

 

ଏହା ଭାବି ରାତ୍ର ସମୟରେ ସେ ଉକ୍ତ ଗ୍ରାମକୁ ଗଲା । ମାତ୍ର ଗ୍ରାମରେ ତ ଶ୍ମଶାନ ନାହିଁ, କୌଣସି ପ୍ରକାର ମୃତଦେହ ସେଠାରେ ପଡ଼ି ନ ଥାଏ; ତେଣୁ ସେ କିଛି ହେଲେ ଖାଇବାକୁ ପାଇଲା ନାହିଁ ।

 

ବହୁ ସ୍ଥାନ ବୁଲି ବୁଲି ସେ ଗୋଟିଏ ବ୍ରାହ୍ମଣ ଘରେ ପହଞ୍ଚିଗଲା । ବ୍ରାହ୍ମଣ ସେଦିନ ବନ୍ଧୁଘରକୁ ନିମନ୍ତ୍ରଣ ଖାଇବାକୁ ଯାଇଥିଲେ । ବ୍ରାହ୍ମଣୀ ଯେ ଅନ୍ନବ୍ୟଞ୍ଜନ ରାନ୍ଧିଥିଲେ, ତାହା ବ୍ରାହ୍ମଣ ନ ଖାଇବାରୁ ସେହିପରି ଥୁଆ ହୋଇଥିଲା । ଶୃଗାଳ ଏତେଗୁଡ଼ାଏ ସୁଖାଦ୍ୟ ପାଇ ଆନନ୍ଦରେ ଖାଇବାକୁ ଲାଗିଲା । ଖାଉ ଖାଉ ସେ ଏତେ ବେଶି ଖାଇଦେଲା ଯେ, ଆଉ ଉଠି ଚଳପ୍ରଚଳ ହେବାକୁ ତା ବଳ ପାଇଲା ନାହିଁ; ତେଣୁ ସେହିଠାରେ ହିଁ ସେ ଶୋଇରହିଲା ।

 

କ୍ରମେ ରାତି ପାହି ଦିନ ହେଲା, କାଉମାନଙ୍କ କର୍କଶ କା କା ରାବରେ ଶୃଗାଳର ଗାଢ଼ ନିଦ ଭାଙ୍ଗିଗଲା । ସେ ଉଠି ଦେଖିଲା, ମନୁଷ୍ୟମାନେ ପଦାରେ ଚଳପ୍ରଚଳ ହେଲେଣି । ଏତେବେଳେ ସେ ପଦାକୁ ବାହାରିଲେ ତାକୁ ପିଟି ମାରି ପକାଇବେ । ତେଣୁ କି ଉପାୟରେ ସେ ଏ ବିପଦରୁ ଉଦ୍ଧାର ପାଇବ, ସେହି ବିଷୟ ହିଁ ଚିନ୍ତା କରିବାକୁ ଲାଗିଲା ।

 

କିଛି ସମୟ ପରେ ବ୍ରାହ୍ମଣ ସେହି ଘର ନିକଟ ଦେଇ ଯାଉଥିଲେ । ଶୃଗାଳ ମନୁଷ୍ୟକଣ୍ଠରେ ତାଙ୍କୁ ଡାକ ପକାଇଲା । କହିଲା, ‘‘ହେ ଭାଗ୍ୟବାନ୍ ବ୍ରାହ୍ମଣ ! ଶୁଣ, ଶୁଣ ।’’

 

ଘରମଧ୍ୟରୁ ଶବ୍ଦ ଆସୁଥିବାର ଶୁଣି ବ୍ରାହ୍ମଣ ସେଠାକୁ ଗଲେ । ସେଠାରେ ଦେଖିଲେ, ତାଙ୍କ ପବିତ୍ର ରୋଷଶାଳରେ ଗୋଟାଏ ଶୃଗାଳ । ରାଗରେ ତାହାଙ୍କ ଦେହ ଥରିବାକୁ ଲାଗିଲା । ତାକୁ ପ୍ରହାର ଦେବା ଲାଗି ସେ ଗୋଟାଏ ବଡ଼ ଠେଙ୍ଗାର ଅନୁସନ୍ଧାନ କଲେ ।

 

ଶୃଗାଳ ପୂର୍ବ ପରି ତାଙ୍କୁ କହିଲା, ‘‘ବ୍ରାହ୍ମଣ ! ତୁମର ଦୁଃଖ କଷ୍ଟ ସହି ନ ପାରି ମୁଁ ତୁମର ଉପକାର କରିବାକୁ ଏଠାକୁ ଆସିଅଛି । ତୁମେ ମୋର ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କଲେ, ଦୁଇ ସହସ୍ର କାଷପିଣ (ପୂର୍ବକାଳର ସ୍ଵର୍ଣ୍ଣମୁଦ୍ରା) ଆଜି ଲାଭ କରିବ ।’’

 

ଦୁଇ ସହସ୍ର କାଷପିଣ ମିଳିବ ବୋଲି ଶୁଣି ବ୍ରାହ୍ମଣଙ୍କ କ୍ରୋଧ ଶାନ୍ତ ପଡ଼ିଗଲା । ସେ ଶୃଗାଳକୁ ଚାହିଁ କହିଲେ, ‘‘ମୋତେ କଅଣ କରିବାକୁ ହେବ କୁହ; ସାଙ୍ଗେସାଙ୍ଗେ ସେ କାର୍ଯ୍ୟ ମୁଁ କରିବି ।’’

 

ଶୃଗାଳ କହିଲା, ‘‘ତୁମେ ମୋତେ ତୁମ ଚାଦରରେ ପୂରାଇ ଏ ଜନପଦର ଶେଷ ସୀମାକୁ ନେଇଯାଅ । ସେହିଠାରେ ହିଁ ମୁଦ୍ରାସବୁ ଗୁପ୍ତସ୍ଥାନରେ ରଖାଯାଇଅଛି । ମୁଁ ସେ ସ୍ଥାନ ଦେଖାଇଦେଲେ ତୁମେ ତାହା ନିଜ ଘରକୁ ଘେନି ଆସିବ ।’’

 

ବ୍ରାହଣ ଖୁସି ହୋଇ ନିଜର ଏକମାତ୍ର ଉତ୍ତରୀୟ ତଳେ ପକାଇଲେ । ଶୃଗାଳ ତା ଉପରେ ନିଶ୍ଚିନ୍ତରେ ଶୋଇପଡ଼ିଲା । ବ୍ରାହ୍ମଣ ତାହା କାନ୍ଧରେ ପକାଇ ଜନପଦ ବାହାରକୁ ଯିବାକୁ ବାଟ ଚାଲିଲେ ।

 

ବହୁ ଦୂର ଗଲା ପରେ ଚାଦର ମଧ୍ୟରୁ ଶୃଗାଳ ପଚାରିଲା, ‘‘ଏ କେଉଁ ସ୍ଥାନ ?’’

 

ବ୍ରାହ୍ମଣ ଉତ୍ତର ଦେଲେ, ‘‘ଏହା ଜନପଦର ଶେଷ ସୀମା ।’’

 

ଶୃଗାଳ କହିଲା, ‘‘ଆଉ କିଛି ବାଟ ଯାଅ ।’’

 

ବ୍ରାହ୍ମଣ ଧନଲୋଭରେ ପୁଣି ଚାଲିଲେ । ସେ କ୍ଳାନ୍ତ ହୋଇ ପଡ଼ିଥିଲେ ମଧ୍ୟ ଦୁଇ ସହସ୍ର କାଷପିଣ ଲାଭ ଆଶା ତାଙ୍କୁ ବେଶ୍‍ ବଳ ଦେଉଥାଏ । ଭୟଙ୍କର ସୂର୍ଯ୍ୟ ଉତ୍ତାପରେ ଦେହ ମୁଣ୍ଡ ପୋଡ଼ି ଯାଉଥାଏ, କାନ୍ଧରେ ପୁଣି ଶକ୍ତ ବୋଝ । ବ୍ରାହ୍ମଣଙ୍କୁ ଏ ସବୁ କଷ୍ଟ ଆଦୌ ଜଣାପଡ଼ୁ ନ ଥାଏ-

 

ବ୍ରାହ୍ମଣ ଚାଲିଚାଲି ଯାଇ ମହାଶ୍ମଶାନରେ ପହଞ୍ଚିଲେ । ଶୃଗାଳ ଡାକି କହିଲା, ‘‘ବ୍ରାହ୍ମଣ, ଏ କେଉଁ ସ୍ଥାନ ?’’ ବ୍ରାହ୍ମଣ ଉତ୍ତର ଦେଲେ, ‘‘ଏ ମହାଶ୍ମଶାନ ।’’

 

ନିଜ ବାସସ୍ଥାନ ହୋଇଗଲାଣି ବୁଝିପାରି ଶୃଗାଳ କହିଲା, ‘‘ଏହିଠାରେ ମୋତେ ଓହ୍ଲାଇ ଦିଅ, ମୁଁ ମୁଦ୍ରା ଥିବା ସ୍ଥାନ ତୁମଙ୍କୁ ଦେଖାଇଦେବି ।’’

 

ବ୍ରାହ୍ମଣ ଶୃଗାଳ କଥାରେ ବିଶ୍ୱାସ କରି ସେହିଠାରେ ତାକୁ ଓହ୍ଲାଇ ଦେଲେ । ଚାଦର ତଳେ ରଖି ଫିଟାଇ ଦେବାରୁ ଶୃଗାଳଟି ଡିଆଁମାରି ଅରଣ୍ୟମଧ୍ୟକୁ ପଳାଇଗଲା । ଯିବା ସମୟରେ କହୁଥାଏ, ‘‘ତୁମ ଚାଦରରେ କାଷପିଣ ରହିଅଛି, ପରୀକ୍ଷା କରି ଦେଖ ।’’

 

ବ୍ରାହ୍ମଣ ଚାଦର ଭଲରୂପେ ଫିଟାଇ ଦେବାରୁ ଦେଖିଲେ ଯେ, ତହିଁରେ ଦୁଷ୍ଟ ଶୃଗାଳ ମଳତ୍ୟାଗ କରିଅଛି । ତାହା ଦେଖି ତାଙ୍କ ମନରେ ବଡ଼ ଦୁଃଖ ହେଲା । ଲୋଭର ବଶବର୍ତ୍ତୀ ହୋଇ ଛାର ଶୃଗାଳ କଥାରେ ବିଶ୍ୱାସ କରିଥିବାରୁ ସେ ଅନୁଶୋଚନା କରିବାକୁ ଲାଗିଲେ । ସେହି ସମୟରେ ବୃକ୍ଷରୂପୀ ବୋଧିସତ୍ତ୍ଵ ଗାଥା ଗାଇଥିଲେ–

 

‘‘ହେ ଲୋଭୀ ବ୍ରାହ୍ମଣ ! ତୁମେ ହୋଇଲ କି ବାଇ ?

ଶୃଗାଳ ବଚନ କଲ ବିଶ୍ୱାସ କିପାଇଁ ?

ତୁମ ଖାଦ୍ୟ ଖାଇ, ଶୋଇ ତୁମ ରୋଷଘରେ,

ଅରଣ୍ୟେ ଫେରିଲା ବସି ତୁମ ପିଠିପରେ ।

ମୁଦ୍ରା କେଉଁପରି ଦିନେ ଯେହୁ ଦେଖି ନାହିଁ,

‘କାଷପିଣ’ ଦେବ ବୋଲି ଆଣିଲା ଭୁଲାଇ ।

ମୂର୍ଖକୁ ବିଶ୍ୱାସ କରି ପାଇଲ ଏ ଫଳ,

କାଷପିଣ ବଦଳରେ ଦେଲା ତାର ମଳ ।’’

 

ପ୍ରଶ୍ନ

 

୧.

ଶ୍ମଶାନ, ଗୃଧ୍ର, ଶୃଗାଳ, ଭୋଜ୍ୟ, ବର୍ଗ, କର୍କଶ, ଅନୁଶୋଚନା, ଅନୁସନ୍ଧାନ–ଏଗୁଡ଼ିକର ଅର୍ଥ କଅଣ ?

୨.

ବ୍ରାହ୍ମଣ ଶୃଗାଳ କଥା କାହିଁକି ବିଶ୍ୱାସ କଲେ ? ସେ ବିଶ୍ୱାସ କରି ନ ଥିଲେ କଅଣ ହୋଇଥାଆନ୍ତା ?

୩.

ଚଳପ୍ରଚଳ, ଆଦୌ, ବଶବର୍ତ୍ତୀ, ବାଇ, ମୁଦ୍ରା–ଏହାକୁ ଲଗାଇ ଗୋଟିଏ ଗୋଟିଏ ବାକ୍ୟ କହ ।

୪.

ଶୃଗାଳ, ବ୍ରାହ୍ମଣ, ଖାଦ୍ୟ, ଅରଣ୍ୟ–ଏହାର ଆଉ ତିନୋଟି ଲେଖାଏଁ ପ୍ରତିଶବ୍ଦ କହ ।

Image

 

ଈଶ ପଣ୍ଡିତ

 

ପ୍ରାଚୀନକାଳରେ ବୋଧିସତ୍ତ୍ଵ ବାରାଣସୀ ନଗରରେ ଗୋଟିଏ ବିରାଟ ଚତୁଷ୍ପାଠୀର ଅଧ୍ୟାପକ ଥିଲେ । ପାଞ୍ଚ ଶତ ଛାତ୍ର ବିଭିନ୍ନ ଦେଶରୁ ଆସି ତାଙ୍କ ପାଖରେ ଶିକ୍ଷାଲାଭ କରୁଥିଲେ । ସେମାନଙ୍କ ମଧ୍ୟରେ ଗୋଟିଏ ଶିଷ୍ୟ ଏପରି ନିର୍ବୋଧ ଥିଲା ଯେ, କୌଣସି ପ୍ରକାରେ ହେଲେ ସେ କିଛି ବୁଝିପାରୁ ନ ଥିଲା । ସହସ୍ର ଚେଷ୍ଟା କରି ମଧ୍ୟ ବୋଧିସତ୍ତ୍ଵ ତାକୁ କିଛି ଶିକ୍ଷା ଦେଇପାରିଲେ ନାହିଁ । ମାତ୍ର ତାହାର ଗୋଟିଏ ବିଶେଷ ଗୁଣ ଥିଲା । ତା ପରି ଗୁରୁସେବା ଆଉ କେହି କରିପାରନ୍ତି ନାହିଁ । ସେଥିଲାଗି ଅଧ୍ୟାପକ ତାକୁ ବଡ଼ ସ୍ନେହ କରୁଥିଲେ ।

 

ଅଧ୍ୟାପକ ଆହାର ପରେ ଯେତେବେଳେ ବିଶ୍ରାମ ନିଅନ୍ତି, ସେତେବେଳେ ଶିଷ୍ୟଟି ତାଙ୍କର ପାଦସେବା କରେ । ଅଧ୍ୟାପକ ନିଦ୍ରାଗଲା ପରେ ସେ ଶୋଇବାକୁ ଯାଏ । ସେ କେବେହେଲେ ଅଧ୍ୟାପକଙ୍କର କୌଣସି ଆଦେଶ ଲଙ୍ଘନ କରେ ନାହିଁ । ଯେପରି ଅଧ୍ୟାପକଙ୍କର କିଛି ହେଲେ ଅସୁବିଧା ନ ହୁଏ, ସେଥିପ୍ରତି ସେ ସର୍ବଦା ତୀକ୍ଷ୍ଣ ଦୃଷ୍ଟି ରଖିଥାଏ ।

 

ଦିନେ ରାତ୍ରରେ ଅଧ୍ୟାପକ ବିଶ୍ରାମ ନେଉଥିଲା ବେଳେ ଶିଷ୍ୟଟି ତାଙ୍କର ପାଦସେବା କରୁଥିଲା । ଅଧ୍ୟାପକ ନିଦ୍ରିତ ହେବା ପରେ ସେ ଧୀରେ ଉଠିଆସିଲା । ମାତ୍ର ସେତେବେଳେ ଦେଖିପାରିଲା ଯେ, ଅଧ୍ୟାପକ ଶୋଇଥିବା ଖଟର ଗୋଟିଏ ଗୋଡ଼ ଅଳ୍ପ ଭାଙ୍ଗି ଲାଖି ରହିଅଛି । ଗୁରୁଦେବ ନିଦ୍ରିତାବସ୍ଥାରେ କଡ଼ ଲେଉଟାଇଲେ ସେ ଗୋଡ଼ଟି ପୂରା ଭାଙ୍ଗିଯିବ ଏବଂ ସେ ତଳେ ପଡ଼ି ଆଘାତ ପାଇବେ ।

 

ଏପରି ଅବସ୍ଥାରେ ଶିଷ୍ୟଟି କି ଉପାୟ କରିବ, କିଛି ସ୍ଥିର କରିପାରିଲା ନାହିଁ । ଗୁରୁଦେବଙ୍କୁ ଉଠାଇ ତାଙ୍କ ନିଦ୍ରାରେ ବ୍ୟାଘାତ ଦେବାକୁ ସେ ଇଚ୍ଛା କଲା ନାହିଁ ।

 

କିଛି ସମୟ ଚିନ୍ତା କରି ଶିଷ୍ୟଟି ଖଟର ଭଙ୍ଗା ଗୋଡ଼ ପାଖରେ ବସିପଡ଼ିଲା । ଆସ୍ତେ ଖଟ ଟେକି ଧରି ଖଟର ସେ କୋଣଟିକୁ ନିଜ କାନ୍ଧରେ ରଖିଦେଲା ।

Image

ଏହିପରି ସମସ୍ତ ରାତ୍ରଟି କଟିଗଲା ।

 

ପରଦିନ ପ୍ରଭାତରୁ ଅଧ୍ୟାପକ ଉଠି ଦେଖିଲେ ଯେ, ତାଙ୍କ ପ୍ରିୟ ଶିଷ୍ୟ ରାତିଯାକ ଅନିଦ୍ରାରେ ତାଙ୍କ ଖଟତଳେ ବସିରହିଅଛି । କାରଣ ପଚାରିବାରୁ ଖଟର ଗୋଡ଼ଭଙ୍ଗା କଥା ଶିଷ୍ୟ ଜଣାଇଲା ।

 

ଗୁରୁ ଶିଷ୍ୟର ଭକ୍ତି ଦେଖି ମୁଗ୍‍ଧ ହୋଇଗଲେ । ସେ ମନେ ମନେ ଭାବିଲେ, ‘‘ମୋର ଏପରି ଭକ୍ତର ଯଦି ବିଦ୍ୟା ନ ହୁଏ, ତେବେ ମୋ ପକ୍ଷରେ ବଡ଼ ଲଜ୍ଜାର ବିଷୟ ହେବ ।’’

 

ସେ ସ୍ଥିର କଲେ, ‘‘କୌଣସିମତେ ଶିଷ୍ୟଟିର ବୁଦ୍ଧିବୃତ୍ତି ମାର୍ଜିତ କରିବାକୁ ହେବ । ଉଦାହରଣଦ୍ୱାରା ଶିକ୍ଷା ଶୀଘ୍ର ହୋଇଥାଏ । ଉପମା ସାହାଯ୍ୟରେ ଏହାର ବୁଦ୍ଧି ଉନ୍ମେଷର ଉଦ୍ୟମ କରିବି । ପ୍ରତ୍ୟହ ଏହାକୁ ନଗର ଭ୍ରମଣରେ ପଠାଇବି । ଫେରିଆସିଲେ ସେ କଅଣସବୁ ଦେଖିଲା, ତାହା ପଚାରିବି ଏବଂ ସେଗୁଡ଼ିକ କାହା ପରି, ତାହାର ବର୍ଣ୍ଣନା କରିବାକୁ କହିବି । ଏହି ଉପମା ସାହାଯ୍ୟରେ ତାହାର ବୁଦ୍ଧିବୃତ୍ତି ବିକାଶଲାଭ କରିପାରେ ।’’

 

ଏହି ସିଦ୍ଧାନ୍ତ ଅନୁଯାୟୀ ଅଧ୍ୟାପକ ଶିଷ୍ୟଟିକୁ ନଗର ଭ୍ରମଣ କରିବାକୁ ପଠାଇଦେଲେ । ପ୍ରଥମ ଦିନ ଶିଷ୍ୟ ଫେରିଆସିଲା ପରେ ଅଧ୍ୟାପକ ଜିଜ୍ଞାସା କଲେ–‘‘ତୁ ଆଜି କଅଣ ଦେଖିଲୁ ?’’

 

ଶିଷ୍ୟଟି ଉତ୍ତର ଦେଲା, ‘‘ଗୁରୁଦେବ, ବାଟରେ ଗୋଟାଏ ସାପ ଦେଖିଲି ।’’

 

ଅଧ୍ୟାପକ–ଆଚ୍ଛା କହିଲୁ, ସାପ କାହା ପରି ?

 

ଶିଷ୍ୟ–ଲଙ୍ଗଳର ଈଶ ପରି ।

 

ଅଧ୍ୟାପକ ଭାବିଲେ, ‘‘ହଁ, ସାପଟା ଲଙ୍ଗଳର ଈଶ ପରି ଲମ୍ବା । ଶିଷ୍ୟ ଉପମାଟା ଠିକ୍ ଦେଇପାରିଅଛି ।’’ ସେ ଟିକିଏ ଆଶ୍ୱସ୍ତ ହେଲେ ।

 

ଦ୍ଵିତୀୟ ଦିନ ଶିଷ୍ୟ ଫେରିଆସିଲା ପରେ ଅଧ୍ୟାପକ ପୂର୍ବପରି ପଚାରିଲେ, ‘‘ଆଜି ରାସ୍ତାରେ କଅଣ ଦେଖିଲୁ ?’’

 

ଶିଷ୍ୟ ଉତ୍ତର ଦେଲା, ‘‘ଆଜି ଗୋଟାଏ ହାତୀ ଦେଖିବାକୁ ପାଇଲି ।’’

 

ଅଧ୍ୟାପକ ପୁଣି ପ୍ରଶ୍ନ କଲେ, ‘‘କହ ତ ଦେଖି, ହାତୀଟା କାହା ପରି ?’’

 

ଶିଷ୍ୟ ନ ଭାବି ନ ଚିନ୍ତି ସଙ୍ଗେସଙ୍ଗେ ଉତ୍ତର ଦେଲା, ‘‘ଲଙ୍ଗଳର ଈଶ ପରି ।’’

 

ଅଧ୍ୟାପକ ମନେକଲେ, ‘‘ସମସ୍ତ ହାତୀଟା କଥା ଶିଷ୍ୟ ଭାବି ପାରି ନାହିଁ । କେବଳ ଶୁଣ୍ଢ ଓ ଦାନ୍ତ କଥା କଳ୍ପନା କରିଅଛି । ହାତୀର ଶୁଣ୍ଢ ଲଙ୍ଗଳର ଈଶ ପରି ଲମ୍ବା; ତେଣୁ ତାହାର ବୁଦ୍ଧି ବିବେଚନାରେ ସେ ଯାହା କହିଅଛି, ତାହା କେତେକାଂଶରେ ଅବଶ୍ୟ ଠିକ୍ ।’’

 

ତୃତୀୟ ଦିନ ନଗର ଭ୍ରମଣ ସାରି ଆସିଲା ପରେ ଅଧ୍ୟାପକ ପ୍ରଶ୍ନ କଲେ, ‘‘ଆଜି କଅଣ ଦେଖିଅଛୁ ?’’

 

ଶିଷ୍ୟ ଉତ୍ତର ଦେଲା, ‘‘ଆଜି ଜଣେ ଗୋପାଳ ଗୁଡ଼ିଏ ଗାଈ ଚରାଉଥିବାର ଦେଖିଲି-। ମୁଁ ପାଖକୁ ଗଲାରୁ ସେ ମୋତେ କିଛି ଦୁଧ, ଦହି ଓ ଲହୁଣୀ ଖାଇବାକୁ ଦେଲା ।’’

 

ଅଧ୍ୟାପକ ପୁଣି ପଚାରିଲେ, ‘‘ଆଚ୍ଛା କହିଲୁ, ସେ ଦୁଧ, ଦହି କାହା ପରି ?’’

 

ଶିଷ୍ୟ ପୂର୍ବଭଳି ଅମ୍ଳାନବଦନରେ ଉତ୍ତର ଦେଲା, ‘‘ଲଙ୍ଗଳର ଈଶ ପରି ।’’

 

ଅଧ୍ୟାପକ ତାହା ଶୁଣି ଅବାକ୍ । ସେ ମନେ ମନେ ଚିନ୍ତା କଲେ, ‘‘ଏ ଉପମାଟା ଏହା ମନକୁ ଆସିଲା କିପରି ? ଦୁଧ ଦହି ସହିତ ଲଙ୍ଗଳ ଈଶର କୌଣସି ସାଦୃଶ୍ୟ ତ ନାହିଁ ।’’

 

ବହୁତ ଭାବି ଅଧ୍ୟାପକ ଅନୁମାନ କଲେ ଯେ, ଦୁଧଦହିର ବର୍ଣ୍ଣ ଧଳା । ବଗ ମଧ୍ୟ ଧଳା-। ପୁଣି ବଗଟା କେତେକାଂଶରେ ଲଙ୍ଗଳର ଈଶ ପରି । ବୋଧହୁଏ ଏହିସବୁ କଥା କଳ୍ପନା କରି ସେ ଦୁଧ ଦହିକୁ ଲଙ୍ଗଳର ଈଶ ସହିତ ତୁଳନା କରିଅଛି ।

 

ଚତୁର୍ଥ ଦିନ ଶିଷ୍ୟ ଫେରିଆସିଲାରୁ ଅଧ୍ୟାପକ ପୁଣି ପୁଚ୍ଛା କଲେ, ‘‘ଆଜି କଅଣ ଦେଖିଅଛୁ ?’’

 

ଶିଷ୍ୟ ଉତ୍ତର ଦେଲା, ‘‘ଆଜି ଜଣେ ଗୃହସ୍ଥ ମୋତେ କିଛି ଗୁଡ଼ ଖାଇବାକୁ ଦେଇଥିଲେ-।’’

 

ଅଧ୍ୟାପକ ପରୀକ୍ଷା କରିବା ଲାଗି ପ୍ରଶ୍ନ କଲେ, ‘‘ଆଚ୍ଛା, ଗୁଡ଼ କାହା ପରି ?’’

 

ଶିଷ୍ୟ ବିନା ଦ୍ୱିଧାରେ କହିପକାଇଲା, ‘‘ଲଙ୍ଗଳର ଈଶ ପରି ।’’

 

ଅଧ୍ୟାପକଙ୍କ ବୁଦ୍ଧିବୃତ୍ତି ହଜିଗଲା । ସେ ଭାବିଲେ, ‘‘ଗୁଡ଼ ସହିତ ଲଙ୍ଗଳ ଈଶର ସାଦୃଶ୍ୟ କେଉଁଠି ?’’

 

ଅନେକ ଭାବି ଚିନ୍ତି ସେ ସ୍ଥିର କଲେ, ‘ଗୁଡ଼ ଯେଭଳି ମିଠା, ମହୁ ମଧ୍ୟ ସେହିଭଳି ମିଠା-। ମହୁ ଥାଏ ମହୁଫେଣାରେ । ମହୁଫେଣା ଗଛର ଡାଳରେ ଓହଳିଥାଏ । ସେ ଡାଳ କେତେକାଂଶରେ ଲଙ୍ଗଳର ଈଶ ସଦୃଶ ଦେଖାଯାଏ । ବୋଧହୁଏ ଶିଷ୍ୟ ସେହି କାରଣରୁ ଗୁଡ଼ ସହିତ ଲଙ୍ଗଳ ଈଶର ତୁଳନା କରିଅଛି ।’’

 

ଅଧ୍ୟାପକ କହିଲେ, ଶିଷ୍ୟ କ୍ରମେ ତାଙ୍କ କଳ୍ପନାରେ ବହୁ ଦୂରକୁ ଚାଲିଯାଉଅଛି । ତହୁଁ ସେ ହତାଶ ହୋଇ କହିଲେ, ‘‘ବତ୍ସ, ତୋହ ପରି ଗୁରୁଭକ୍ତ ଶିଷ୍ୟ ମୋତେ ଆଉ ମିଳିବେ ନାହିଁ । କିନ୍ତୁ ସ୍ୱାର୍ଥ ଲାଗି ତ ମୁଁ ଆଉ ତୋତେ ଏଠାରେ ଧରି ରଖିପାରିବି ନାହିଁ । ତୁ ଲଙ୍ଗଳର ଈଶ ବ୍ୟତୀତ ଆଉ କିଛି ଜାଣି ନାହୁଁ । ତୋର ମୁଣ୍ଡଟି ମଧ୍ୟ ଲଙ୍ଗଳର ଈଶ ସଦୃଶ । ତେଣୁ ଲଙ୍ଗଳର ଈଶ ହିଁ ତୋର ଅବଲମ୍ବନ ହେବା ଉଚିତ । ତୁ ଗ୍ରାମକୁ ଫେରିଯାଇ ଲଙ୍ଗଳଈଶର ଚର୍ଚ୍ଚା କର । ଲଙ୍ଗଳଈଶ–ଶାସ୍ତ୍ର ବ୍ୟତୀତ ଆଉ କୌଣସି ଶାସ୍ତ୍ର ତୋ ମୁଣ୍ଡରେ ସ୍ଥାନ ପାଇପାରିବ ନାହିଁ ।’’

 

ବୁଦ୍ଧିହୀନ ଯେଉଁ ନର,

ଯେତେ ଶାସ୍ତ୍ରଜ୍ଞାନ କରିବ ପ୍ରଦାନ,

ସବୁ ତ ହେବ ବିଫଳ ।

 

ଯାହାକୁ ଯୋଗାଏ ଯାହା,

ତାହା ଛାଡ଼ି ଆନ କର୍ମେ ଦେଲେ ମନ

ବୃଥା ସିନା ସବୁ ତାହା ।

 

ପ୍ରଶ୍ନ

 

୧.

ଚତୁଷ୍ପାଠୀ, ନିର୍ବୋଧ, ଅଧ୍ୟାପକ, ତୀକ୍ଷ୍ଣ, ମାର୍ଜିତ, ଆସ୍ଥାନ, ଉନ୍ମେଷ–ଏଗୁଡ଼ିକର ଅର୍ଥ କଅଣ ?

୨.

ଈଶ କାହାକୁ କହନ୍ତି ? ଲଙ୍ଗଳର ବିଭିନ୍ନ ଅଂଶର ନାମ କଅଣ ?

୩.

ଗୁରୁଙ୍କ ଆଦେଶରେ ଶିଷ୍ୟ କେତେ ଥର ନଗର ଭ୍ରମଣକୁ ଯାଇଥିଲା ଓ କେଉଁ ଥର କଅଣ ଦେଖିଥିଲା ?

୪.

ଅଧ୍ୟାପକ, ଶିଷ୍ୟ, ହାତୀ, ଦୁଧ–ଏହାର ଆଉ ଚାରିଗୋଟି ଲେଖାଏଁ ପ୍ରତିଶବ୍ଦ କହ ।

Image

 

ଅସାଧୁ ସାଧୁ

 

ମଗଧ ଦେଶର ଗୋଟିଏ ଗ୍ରାମରେ ଜଣେ ଧନୀ ଜମିଦାର ବାସ କରୁଥିଲେ । ସେ ବଡ଼ ଧାର୍ମିକ । ସାଧୁ ସନ୍ନ୍ୟାସୀଙ୍କଠାରେ ତାଙ୍କର ଅଗାଧ ବିଶ୍ୱାସ ଥିଲା । ବର୍ଷର ବାରମାସଯାକ ସେ ବହୁ ସାଧୁ ସନ୍ନ୍ୟାସୀଙ୍କୁ ଘରେ ରଖି ଦାନଧର୍ମ କରୁଥିଲେ ।

 

ଥରେ ଜଣେ ଜଟାଧାରୀ ସନ୍ନ୍ୟାସୀ ଆସି ତାଙ୍କ ଘରେ ଅତିଥି ହେଲେ । ଜମିଦାର ବିଧିମୁତାବକ ଭକ୍ତିର ସହିତ ତାଙ୍କର ସେବାପୂଜା କଲେ । ସନ୍ନ୍ୟାସୀ ଜମିଦାରଙ୍କ ଆଦରଗୌରବ ଦେଖି ସେ ସ୍ଥାନ ଛାଡ଼ିଯିବାକୁ ଆଉ ଇଚ୍ଛା କଲେ ନାହିଁ । ଜମିଦାର ତାଙ୍କ ଠାକୁର ଘର ବଗିଚାରେ ତାଙ୍କ ପାଇଁ ଖଣ୍ଡିଏ କୁଡ଼ିଆ ତିଆରି କରିଦେଲେ । ସନ୍ନ୍ୟାସୀ ରାତିଦିନ ସେହି କୁଡ଼ିଆ ମଧ୍ୟରେ ରହି ଯୋଗସାଧନା କରନ୍ତି । ବେଳାଏ ଜମିଦାରଙ୍କ ଘରେ ଓ ବେଳାଏ ଠାକୁର ମନ୍ଦିରରେ ସଂଘୃତ ଦିବ୍ୟ ସରୁଚାଉଳ-ଅନ୍ନ ଭୋଜନ କରି ରହିଥାଆନ୍ତି । ଆରାମରେ ରହିବାରୁ କ୍ରମେ ତାଙ୍କ ଜୀର୍ଣ୍ଣଶୀର୍ଣ୍ଣ ଦେହ ବେଶ୍‍ ଗୋଲ ହୋଇଗଲା; କୋଟରଗତ ଗଣ୍ଡଦେଶର ପୂର୍ବ ଦଶା ବଦଳିଗଲା ।

 

ଗୋଟିଏ ବର୍ଷ ଏହିପରି ଅତିବାହିତ ହେଲା । ଏହି ସମୟରେ ଦେଶରେ ଡକାଏତଙ୍କ ଉପଦ୍ରବ ବୃଦ୍ଧି ପାଇଲା । ଜମିଦାର ତାଙ୍କ ଧନସମ୍ପତ୍ତି କିପରି ନିରାପଦରେ ରଖିବେ, ସେ କଥା ଭାବି ବଡ଼ ବିବ୍ରତ ହୋଇପଡ଼ିଲେ । ଶେଷରେ ଭାବି ଠିକ୍ କଲେ, ଏ ସନ୍ନ୍ୟାସୀ ତ କେବଳ ବସି ବସି ଅନ୍ନ ଧ୍ୱଂସ କରୁଅଛନ୍ତି; ଧନସମ୍ପତ୍ତି ଜଗିବା ଭାର ଏହାଙ୍କ ଉପରେ ହିଁ ଛାଡ଼ି ଦିଆଯାଉ । ସନ୍ନ୍ୟାସୀମାନେ ସର୍ବସ୍ୱ ତ୍ୟାଗ କରି ଆସିଥାଆନ୍ତି, ପରଧନକୁ ବା ସେ କାହିଁକି ଲୋଭ କରିବେ ?

 

ଏହା ଭାବି ଜମିଦାର ସନ୍ନ୍ୟାସୀ ରହୁଥିବା କୁଡ଼ିଆଘରର ମାଟିତଳେ ସବୁ ସୁନାରୂପା, ଆୟଅଳଙ୍କାର ପୋତି ପକାଇଲେ । ସେ ମନେ ମନେ ଠିକ୍ କଲେ, ଏପରି ସ୍ଥାନରେ ଧନସମ୍ପତ୍ତି ରହିଲା, ଯେଉଁଠାରେ କି ଏହା ଅଛି ବୋଲି ଚୋର ଡକାଏତଙ୍କ ମନରେ ଟିକିଏ ହେଲେ ସନ୍ଦେହ ହେବ ନାହିଁ । ତା ବ୍ୟତୀତ ସନ୍ନ୍ୟାସୀ ତ ଘରତଳେ ବାଘଛାଲ ବିଛାଇ ରାତିରେ ଶୁଅନ୍ତି, ଦିନଯାକ ଜପ କରୁଥାଆନ୍ତି । ସମ୍ପତ୍ତି ରଖିବା ପାଇଁ ଏପରି ନିରାପଦ ସ୍ଥାନ ଆଉ କେଉଁଠି ମିଳନ୍ତା ନାହିଁ ।

 

କିଛିଦିନ ପରେ ସନ୍ନ୍ୟାସୀ ପୁଣି ନିଜର ଆହାର କମାଇବାକୁ ଲାଗିଲେ; ଦୁଧ, ଘିଅ, ସର ଆଦି ଖାଇବା ଛାଡ଼ିଦେଲେ । ଜମିଦାର ପଚାରିଲେ, ‘‘ଦେବ ! ଆପଣ ଦୁଧ, ଘିଅ, ମିଷ୍ଟାନ୍ନାଦି ନ ଖାଇଲେ ଆମେ କିପରି ଖାଇବୁଁ ? ଆପଣ ତାହା ଖାଉନାହାନ୍ତି କାହିଁକି ?’’

 

ସନ୍ନ୍ୟାସୀ ଉତ୍ତର ଦେଲେ, ‘‘କେବଳ ତୁମ ମନ ରକ୍ଷା କରି ମୁଁ ଏତେ ଦିନ ଏସବୁ ଦ୍ରବ୍ୟ ଖାଇଆସିଲି । ଏହା ସର୍ବସ୍ଵତ୍ୟାଗୀ ସନ୍ନ୍ୟାସୀଙ୍କର ଆହାର୍ଯ୍ୟ ନୁହେଁ । ସେମାନେ ତ୍ୟାଗୀ–ରାଜସିକ ଖାଦ୍ୟ ଖାଇଲେ କ୍ରମେ ଭୋଗୀ ହୋଇ ପଡ଼ିବେ । ଏସବୁ ଦ୍ରବ୍ୟ ଖାଇବା ଲାଗି ତୁମେ ଆଉ ମୋତେ ବଳାଅ ନାହିଁ । ମୁଁ ଏଣିକି ବଡ଼ ନିଷ୍ଠାରେ ଚଳିବି ।’’

 

ତାହାପରେ ସନ୍ନ୍ୟାସୀ ଅନ୍ନଭୋଜନ ମଧ୍ୟ ବନ୍ଦ କରିଦେଲେ । ଦିନଯାକ କାଷ୍ଠାରେ ରହି ଜପତପ କରନ୍ତି; ସନ୍ଧ୍ୟାରେ ସାମାନ୍ୟ ଫଳାହାର ମାତ୍ର କରନ୍ତି । ତାଙ୍କର ସେବା କରିବା ପାଇଁ, ବୋଲହାକ ଶୁଣିବା ପାଇଁ ଯେଉଁ ଚାକରଟି ଥିଲା, ଶେଷରେ ତାକୁ ପାଖରୁ ବିଦା କରିଦେଲେ । କାରଣ ପଚାରିବାରୁ କହିଲେ, ‘‘ତ୍ୟାଗୀ ସନ୍ନ୍ୟାସୀମାନେ ନିଜ କାମ ନିଜ ହାତରେ କରିବା ଉଚିତ । ସେମାନେ କୌଣସି ସେବକ ଉପରେ ନିର୍ଭର କରିବା ଅନ୍ୟାୟ ।’’

 

ସନ୍ନ୍ୟାସୀ ପୂର୍ବପରି ପୁଣି ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲେ । ଶୀତରୁ ରକ୍ଷା ପାଇବା ପାଇଁ ଜମିଦାର ତାଙ୍କୁ ଯେଉଁ କମଳଖଣ୍ଡିକ ଦେଇଥିଲେ, ସନ୍ନ୍ୟାସୀ ତାହା ଦିନେ ଫେରାଇ ଦେଇଗଲେ । ତାଙ୍କ ତ୍ୟାଗ, ନିଃସ୍ୱାର୍ଥପରତା ଓ ନିଷ୍ଠା ଦେଖି ଜମିଦାର ଓ ଜମିଦାରଙ୍କ ସ୍ତ୍ରୀଙ୍କର ଭକ୍ତି ଖୁବ୍‍ ବଢ଼ିଗଲା । ସେ ଦୁହେଁଯାକ ଆସି ତାଙ୍କଠାରୁ ଦୀକ୍ଷା ନେଲେ । ଦୀକ୍ଷାର ଦକ୍ଷିଣାରୂପେ ଜମିଦାର ଗୁରୁଙ୍କୁ ବହୁତ ମୂଲ୍ୟବାନ୍ ଦ୍ରବ୍ୟ ଉପହାର ଦେଲେ । ସନ୍ନ୍ୟାସୀ ସେସବୁ ହାତରେ ସ୍ପର୍ଶ କଲେ ନାହିଁ-। ଗୋଟିଏ ହରିଡ଼ା ମାତ୍ର ଗ୍ରହଣ କରି ଆଉ ସବୁ ଫେରାଇଦେଲେ ।

Image

ତାହାର କିଛି ଦିନ ପରେ ସନ୍ନ୍ୟାସୀ ଜମିଦାରଙ୍କୁ ଯାଇ କହିଲେ, ‘‘ସନ୍ନ୍ୟାସୀଙ୍କର ଗୋଟିଏ ସ୍ଥାନରେ ବହୁଦିନ ରହିବା ଠିକ୍ ନୁହେଁ । ମୁଁ ତୀର୍ଥ କରିବାକୁ ଆସି ଏଠାରେ ଅନେକ ଦିନ ରହିଗଲି । ଆଉ ରହିବା ଅନୁଚିତ । କାଲି ସକାଳୁ ତୀର୍ଥ କରିବାକୁ ଅନ୍ୟତ୍ର ଚାଲିଯିବି ।’’

 

ଜମିଦାର ଆଉ କିଛି ଦିନ ସେଠାରେ ରହିବାକୁ ବହୁ ଅନୁନୟ କଲେ; କିନ୍ତୁ ସନ୍ନ୍ୟାସୀ ଆଦୌ ସମ୍ମତ ହେଲେ ନାହିଁ ।

 

ପର ଦିନ ସକାଳୁ ସନ୍ନ୍ୟାସୀ କୁଡ଼ିଆ ଛାଡ଼ି ବାହାରିବାରୁ ଜମିଦାର ରାସ୍ତାଖର୍ଚ୍ଚ ପାଇଁ ତାଙ୍କୁ କେତେକ ସ୍ଵର୍ଣ୍ଣମୁଦ୍ରା ଦେଲେ । ସେ ତାହା ଗ୍ରହଣ କଲେ ନାହଁ । ହଠାତ୍ ନିଆଁ ହୁଳା ଦେଖି ଲୋକେ ଯେପରି ଚମକିଉଠି କିଛି ଦୂର ପଛକୁ ଘୁଞ୍ଚିଯାଆନ୍ତି, ସେହିପରି ସେ ଚାରିପାଦ ପଛକୁ ଘୁଞ୍ଚିଯାଇ କହିଲେ, ‘‘ସର୍ବସ୍ଵତ୍ୟାଗୀ ସନ୍ନ୍ୟାସୀଙ୍କର ଏସବୁ କଅଣ ହେବ ?’’

 

ଜମିଦାର ତାଙ୍କୁ ପାଛୋଟି ଦେବା ପାଇଁ ଗ୍ରାମର ଶେଷ ସୀମାକୁ ଗଲେ । ସେଠାରେ ସନ୍ନ୍ୟାସୀ ହଠାତ୍ ବୁଲିପଡ଼ି ଠିଆ ହୋଇଗଲେ । ନିଜ ମୁଣ୍ଡ ଜଟାରୁ କୁଟା ଖିଅଟିଏ ବାହାର କରି ଜମିଦାରଙ୍କ ହାତକୁ ବଢ଼ାଇ ଦେଇ କହିଲେ, ‘‘ତୁମ ଘରର କୁଟାଟିଏ ମୁଁ ଜଟାରେ ବାନ୍ଧି ଦେଇଥିଲି-। ଭୁଲରେ ତା ରହିଯାଇଅଛି । ଯେତେ ତୁଚ୍ଛ ଜିନିଷ ହେଲେ ବି ପରଦ୍ରବ୍ୟ ନେବା ସନ୍ନ୍ୟାସୀଙ୍କ ପକ୍ଷରେ ଉଚିତ ନୁହେଁ । ତୁମ କୁଟାଟି ତୁମେ ଫେରାଇନିଅ ।’’

 

ସନ୍ନ୍ୟାସୀ ଯେ କିପରି ନିର୍ଲୋଭ, ତାହା ଦେଖି ଜମିଦାର ଅବାକ୍ ହୋଇଗଲେ । ଭକ୍ତିରେ ତାଙ୍କ ମୁଣ୍ଡ ନଇଁଗଲା । ସେ ଆଉ ଥରେ ଗୁରୁଦେବଙ୍କ ପାଦତଳେ ମୁଣ୍ଡିଆ ମାରି ପାଦଧୂଳି ନେଲେ । କୁଟାଖଣ୍ଡି ଛିଡ଼ାଇ ସେଠାରେ ପକାଇଦେଲେ ।

 

ସନ୍ନ୍ୟାସୀ ଖଣ୍ଡେ ଦୂର ଚାଲିଗଲା ପରେ ଜମିଦାର ବଡ଼ ବ୍ୟଥିତ ଚିତ୍ତରେ ଘରକୁ ଫେରିଲେ ।

 

ବାଟରେ ବୋଧିସତ୍ତ୍ଵଙ୍କ ସହିତ ତାଙ୍କର ଭେଟ ହେଲା । ସେ ବୋଧିସତ୍ତ୍ଵଙ୍କୁ ସନ୍ନ୍ୟାସୀଙ୍କ ନିର୍ଲୋଭପଣିଆ କଥା ସବୁ କହିବାରୁ ବୋଧିସତ୍ତ୍ଵ ପଚାରିଲେ, ‘‘ଆଚ୍ଛା, ସନ୍ନ୍ୟାସୀ ତ ଚାଲିଗଲେ, ତୁମେ ତାଙ୍କ ଝୁଲିମୁଣି ଖୋଜାଖୋଜି କରି ଦେଖିଅଛ ତ ?’’

 

ଏହା ଶୁଣି ଜମିଦାର କ୍ରୋଧରେ କମ୍ପିଉଠିଲେ । ବୋଧିସତ୍ତ୍ଵ କେବଳ ଈଷଦ୍ଧାସ୍ୟ କରୁଥାଆନ୍ତି ।

 

‘‘ସନ୍ନ୍ୟାସୀ ଯେଉଁ ଭଗ୍ନକୁଟୀରରେ ଥିଲେ, ସେଠାର ଜିନିଷପତ୍ର ସବୁ ଠିକ୍ ଅଛି ତ ?’’ ବୋଧିସତ୍ତ୍ଵ ପୁଣି ପଚାରିଲେ ।

 

ଜମିଦାର କ୍ରୋଧରେ ଥରି ଥରି କହିଲେ, ‘‘ତୁମେ ଜାଣ, ସେ ମୋର ଗୁରୁ । ମୋ ଗୁରୁଙ୍କୁ ମୋ ଆଗରେ ନିନ୍ଦା କରିବ ନାହିଁ । ତାଙ୍କ ପରି ସାଧୁ ଲୋକ ପୃଥିବୀରେ ଆଦୌ ନାହାନ୍ତି । ଯେ ମୋର ସାମାନ୍ୟ କୁଟାଖଣ୍ଡିକ ଫେରାଇଦେଇ ଗଲେ, ସେ କଅଣ ମୋର ଧନସମ୍ପତ୍ତିରେ ଲୋଭ କରିବେ ?’’

ଏହା କହି ଜମିଦାର ସେଠାରୁ ତମତମ ହୋଇ ଚାଲିଗଲେ । ସନ୍ନ୍ୟାସୀ ଚାଲିଯିବାରୁ ତାଙ୍କ ମନରେ ବଡ଼ କଷ୍ଟ ହେଉଥାଏ । ସେ ପ୍ରଥମେ ସନ୍ନ୍ୟାସୀ ରହୁଥିବା କୁଡ଼ିଆ ଭିତରକୁ ପଶିଗଲେ ।

‘ସନ୍ନ୍ୟାସୀ ତ ଗଲେଣି; ତେଣୁ ସେଠାରେ ଯେଉଁ ଧନସମ୍ପତ୍ତି ପୋତା ହୋଇଅଛି, ତାହା କାଢ଼ି ଘରକୁ ନେଇଯିବା ଦରକାର’ –ଏହା ଭାବି ଜମିଦାର କୋଦାଳ ଆଣି ସେ ଘର ଖୋଳିଲେ । ମାତ୍ର ଜିନିଷ କାହିଁ ? ଘର ଏମୁଣ୍ଡରୁ ସେମୁଣ୍ଡ ସବୁ ଖୋଳିଗଲେ ମଧ୍ୟ ତାଙ୍କ ସୁନାରୂପା, ଆୟଅଳଙ୍କାର କିଛି ମିଳିଲା ନାହିଁ ।

ସେତେବେଳେ ବୋଧିସତ୍ତ୍ୱଙ୍କ କଥା ତାଙ୍କର ମନେ ପଡ଼ିଗଲା । ସେ ଆଉ ଘରକୁ ଯିବେ କଅଣ ? ସେଇଠାରୁ ବୋଧିସତ୍ତ୍ୱଙ୍କ ପାଖକୁ ଦଉଡ଼ିଲେ । ବୋଧିସତ୍ତ୍ୱଙ୍କୁ ଧନସମ୍ପତ୍ତି କଥା କହିବାରୁ ଦୁହେଁଯାକ ଦୁଇଟି ଘୋଡ଼ାରେ ବସି ସନ୍ନ୍ୟାସୀ ଯେଉଁ ଦିଗରେ ଯାଇଥିଲେ, ସେହି ଦିଗକୁ ଗଲେ । କେତେ ବାଟ ଗଲା ପରେ ବଣଭିତରେ ଭଙ୍ଗା ମନ୍ଦିରଟିଏ ଦେଖାଗଲା । ସେଠାରେ କିଛି ସମୟ ବିଶ୍ରାମ ନେବା ପାଇଁ ସେ ଦୁହେଁ ମନ୍ଦିର ମଧ୍ୟକୁ ଗଲେ; ମାତ୍ର ସେଠାରେ ଦେଖିଲେ, ସନ୍ନ୍ୟାସୀ ଗୋଟାଏ କୋଦାଳ ଧରି ଗର୍ତ୍ତ ଖନନରେ ବ୍ୟସ୍ତ । ଜମିଦାର ଓ ବୋଧିସତ୍ତ୍ଵଙ୍କୁ ପାଖରେ ଦେଖି ତାଙ୍କ ଛାତି ଥରିଉଠିଲା ।

ଦିନେ ରାତିରେ ସୁଯୋଗ ଦେଖି ସନ୍ନ୍ୟାସୀ କୁଡ଼ିଆଘର ତଳୁ ଧନସମ୍ପତ୍ତିସବୁ ଚୋରାଇ ଆଣି ଏହିଠାରେ ପୋତି ଦେଇ ଯାଇଥିଲେ । ଆଜି ଯିବାବେଳେ ସାଙ୍ଗରେ ନେଇଯିବେ ବୋଲି ତାହା ଖୋଳୁଥିଲେ । ଏପରି ଧରା ପଡ଼ିଯିବାରୁ ତାଙ୍କ ନିର୍ଲୋଭପଣିଆ ଜଣା ପଡ଼ିଗଲା ।

ଜମିଦାର ନିଜ ଧନସମ୍ପତ୍ତି ଧରି ଘରକୁ ଫେରିଲେ । ବୋଧିସତ୍ତ୍ଵ ସନ୍ନ୍ୟାସୀଙ୍କୁ ଚାହିଁ ଢଗ ବୋଲିଥିଲେ–

‘‘କୁଟାଖଣ୍ଡେ ବା କି ମୂଲ ତାର ? ଫେରାଇ ଦେବା ସହଜ ଅତି, ଓଳିଏ ଖାଇ ଠକ କିପରି, ପଡ଼ିଲ ଧରା କପଟ ଯତି ।’’

ପ୍ରଶ୍ନ

୧.

ଧାର୍ମିକ, ଅଗାଧ, ଅତିବାହିତ, ରାଜସିକ ଖାଦ୍ୟ, ନିର୍ଲ୍ଲୋଭପଣିଆ–ଏଗୁଡ଼ିକର ଅର୍ଥ କଅଣ-?

୨.

କୋଟରଗତ ଗଣ୍ଡଦେଶ, ସର୍ବସ୍ଵତ୍ୟାଗୀ ସନ୍ନ୍ୟାସୀ, ଭକ୍ତିର ସହିତ ସେବାପୂଜା, ଛାତି ଥରିଉଠିଲା–ଏହି ଖଣ୍ଡବାକ୍ୟଗୁଡ଼ିକୁ ସରଳଭାବରେ ବୁଝାଇଦିଅ ।

୩.

ସନ୍ନ୍ୟାସୀ ଜଟାରେ ଥିବା କୁଟାଖଣ୍ଡିକ ଫେରାଇ ଦେଲାବେଳେ କଅଣ କହିଥିଲେ ?

୪.

ଜମିଦାର ସନ୍ନ୍ୟାସୀଙ୍କୁ ଏତେ ଭକ୍ତି କରୁଥିଲେ କାହିଁକି ?

Image

 

ଅତିଲୋଭୀର ଦଣ୍ଡ

 

ବୋଧିସତ୍ତ୍ଵ ଏକ ସମୟରେ ଗୋଟିଏ ବ୍ରାହ୍ମଣକୁଳରେ ଜନ୍ମଗ୍ରହଣ କରିଥିଲେ । ତିନୋଟି କନ୍ୟା ଓ ବିଧବା ସ୍ତ୍ରୀକୁ ଛାଡ଼ି ସେ ଅସମୟରେ ପ୍ରାଣତ୍ୟାଗ କଲେ । ମୃତ୍ୟୁ ପରେ ସେ ଗୋଟିଏ ସ୍ୱର୍ଣ୍ଣ ହଂସର ରୂପ ଧରି ହିମାଳୟସ୍ଥ ମାନସରୋବରରେ ଜନ୍ମଗ୍ରହଣ କଲେ; ମାତ୍ର ପୂର୍ବଜନ୍ମ କଥା ମନରୁ ଭୁଲିପାରିଲେ ନାହିଁ । ପୂର୍ବଜନ୍ମର ସ୍ତ୍ରୀ ଓ କନ୍ୟାମାନଙ୍କ କଥା ମନେ ପଡ଼ିବାରୁ ସେ ମାନସରୋବର ଛାଡ଼ି ସମତଳ ପ୍ରଦେଶକୁ ଆସିଲେ ଏବଂ ବହୁ ବାଟ ଉଡ଼ି ଉଡ଼ି ଆସି ନିଜର ପୂର୍ବ ଗ୍ରାମରେ ପହଞ୍ଚିଲେ । ସେ ଦେଖିଲେ ଯେ, ତାଙ୍କ ଅନୁପସ୍ଥିତିରେ ସ୍ତ୍ରୀ ଓ କନ୍ୟାମାନେ ବଡ଼ ଦୁଃଖରେ ଗୋଟିଏ କୁଡ଼ିଆଘରେ ବାସ କରୁଅଛନ୍ତି; ଖାଇବାକୁ ନ ପାଇ ଅନ୍ୟ ଘରେ ଦାସୀବୃତ୍ତି କରି ଚଳୁଅଛନ୍ତି । ସେମାନଙ୍କ ଦୁର୍ଦ୍ଦଶା ଦେଖି ବୋଧିସତ୍ତ୍ୱଙ୍କ ହୃଦୟ ବିଗଳିତ ହୋଇପଡ଼ିଲା । ସେ ଭାବିଲେ, ‘ମୋ ଦେହରେ ତ ଅନେକ ସ୍ଵର୍ଣ୍ଣପକ୍ଷ ରହିଅଛି । ମାସକୁ ଗୋଟିଏ ଲେଖାଏଁ ପକ୍ଷ ସେମାନଙ୍କୁ ଦେଲେ ସେମାନଙ୍କ ଦୁଃଖ ଦୂର ହୋଇଯିବ; ମୋର ମଧ୍ୟ କୌଣସି କ୍ଷତି ହେବ ନାହିଁ ।’

 

ଏହି ସଙ୍କଳ୍ପ କରି ସେ ଉଡ଼ିଆସି ସେମାନଙ୍କ କୁଡ଼ିଆ ଘରର ଚାଳଉପରେ ବସିଲେ ଏବଂ ମନୁଷ୍ୟକଣ୍ଠରେ ନିଜ ପତ୍ନୀଙ୍କୁ ଚାହିଁ କହିଲେ, ‘‘ଭଦ୍ରେ ! ପୂର୍ବଜନ୍ମରେ ମୁଁ ତୁମର ସ୍ୱାମୀ ଥିଲି । ତୁମର ବର୍ତ୍ତମାନର ଦୁର୍ଦ୍ଦଶା ଦେଖି ମୋ ମନରେ ଦାରୁଣ ବ୍ୟଥା ଜାତ ହୋଇଅଛି । ମୁଁ ପ୍ରତି ମାସରେ ଆସି ତୁମକୁ ସଙ୍ଖୁଳିଯିବି ଏବଂ ସେହି ସମୟରେ ଗୋଟିଏ ଲେଖାଏଁ ମୋ ସ୍ଵର୍ଣ୍ଣପକ୍ଷରୁ ଦେଇଯିବି । ତାହା ବିକ୍ରୀ କରି ତୁମେ ସୁଖରେ ରହିବ; ପରେ କନ୍ୟାମାନଙ୍କୁ ଗୋଟି ଗୋଟି କରି ବିବାହ କରାଇଦେବ । କିନ୍ତୁ ମନେରଖ, ମୋର କୌଣସି ପ୍ରକାର କଷ୍ଟ ଯନ୍ତ୍ରଣା ହେଲେ ସେ ସ୍ୱର୍ଣ୍ଣପକ୍ଷଗୁଡ଼ିକ ସାଧାରଣ ପକ୍ଷରେ ପରିଣତ ହୋଇଯିବ ।’’

 

ଏହା କହି ସେ ଆଠ ଦଶ ତୋଳା ଓଜନର ଗୋଟିଏ ପକ୍ଷ ପକାଇଦେଇ ଉଡ଼ି ଚାଲିଗଲେ । ତାହା ବିକ୍ରୀ କରି ବ୍ରାହ୍ମଣୀ ଅପେକ୍ଷାକୃତ ସୁଖରେ ଚଳିଲେ; ଆଉ ଦାସୀବୃତ୍ତି କରିବା କଷ୍ଟ ଭୋଗିବାକୁ ତାଙ୍କୁ ପଡ଼ିଲା ନାହିଁ ।

 

ଏହିପରି ପ୍ରତ୍ୟେକ ମାସରେ ହଂସରୂପୀ ବୋଧିସତ୍ତ୍ଵ ସେ ଘରକୁ ଆସନ୍ତି; ଗୋଟିଏ ଲେଖାଏଁ ପକ୍ଷ ଦେଇ ପୁଣି ଆକାଶରେ ଉଡ଼ି ଚାଲିଯାଆନ୍ତି ।

 

କ୍ରମେ ସ୍ତ୍ରୀ ଓ କନ୍ୟାଙ୍କର ସେ ଅତି ପରିଚିତ ହୋଇଗଲେ । ସେ ଆଉ ଘରର ଛାତଉପରେ ନ ବସି ତଳକୁ ଆସିଲେ । ସ୍ତ୍ରୀ ଓ କନ୍ୟାମାନେ ତାଙ୍କ ଦେହରେ ହାତ ବୁଲାଇ ଆଉଁସି ଦେବାକୁ ଲାଗିଲେ–ତଦ୍ଦ୍ୱାରା ସେ ସୁଖବୋଧ କଲେ ।

 

ବ୍ରାହ୍ମଣୀଙ୍କର ସମସ୍ତ ଅଭାବ ଦୂର ହୋଇଗଲା । ସେ କ୍ରମେ ବହୁ ସମ୍ପତ୍ତିର ଅଧିକାରିଣୀ ହେଲେ । ପୂର୍ବର ଦୁରବସ୍ଥା ସେ ଏକାବେଳକେ ପାସୋରି ପକାଇଲେ ।

 

ଥରେ ସେ ମନରେ ଭାବି ଠିକ୍ କଲେ, ‘‘ଏପରି ମାସକୁ ଗୋଟିଏ ଲେଖାଏଁ ପକ୍ଷ ମିଳିବାରୁ କିଛି ସୁବିଧା ହେଉ ନାହିଁ । ଆଉ ମଧ୍ୟ ସେ ଯେ ଚିରଦିନ ଏହିପରି ଆସୁଥିବେ, ତାହାର ଠିକଣା ବା କଅଣ ? କେତେକ ମାସ ପରେ ହୁଏତ ନ ଆସିପାରନ୍ତି । ତା ଅପେକ୍ଷା ଦିନେ ତାଙ୍କୁ ଧରି ସବୁ ପକ୍ଷ ଛଡ଼ାଇ ରଖିନେଲେ ଗୋଟିଏ ଦିନରେ ଆମେ ବିପୁଳ ସମ୍ପତ୍ତି ପାଇପାରିବୁ ।’’

 

ବ୍ରାହ୍ମଣୀ ଏ ପ୍ରସ୍ତାବ କନ୍ୟାମାନଙ୍କୁ ଜଣାଇଲେ; ମାତ୍ର କନ୍ୟାମାନେ ଏଥିରେ ସମ୍ମତ ହେଲେ ନାହିଁ । ସେମାନେ ମାଆଙ୍କୁ ବାରମ୍ବାର ନିଷେଧ କରି କହିଲେ, ‘‘ମା, ଆମର ହଠାତ୍ କୁବେର ପାଲଟିଯିବା ଦରକାର ନାହିଁ । ଆମର ଦୁଃଖ, ଅଭାବ ଦୂର ହୋଇଅଛି, ଏହା ହିଁ ଯଥେଷ୍ଟ । ପିତାଙ୍କୁ କଷ୍ଟ ଦେଇ ଏଭଳି କାର୍ଯ୍ୟ କର ନାହିଁ । ତାଙ୍କ ଦେହରୁ ସମସ୍ତ ପକ୍ଷ ଉପାଡ଼ି ଆଣିଲେ ସେ ଆଉ ଉଡ଼ିପାରିବେ ନାହିଁ ।’’

Image

କିନ୍ତୁ ବ୍ରାହ୍ମଣୀଙ୍କୁ ଏ ପରାମର୍ଶ ସୁଖ ଲାଗିଲା ନାହିଁ । ସେ ମାସରେ ବୋଧିସତ୍ତ୍ଵ ଅସିଲାକ୍ଷଣି ଆଦର ଯତ୍ନ କରିବା ଛଳନାରେ ବ୍ରାହ୍ମଣୀ ତାଙ୍କୁ ଧରି କୋଳରେ ବସାଇଲେ । ତା ପରେ ଗୋଟିଏ ହାତରେ ହଂସର ଗଳାଟା ଚାପି ଧରି ଅନ୍ୟ ହାତରେ ଦେହରୁ ପକ୍ଷସବୁ ଗୋଟି ଗୋଟି ଉପାଡ଼ିବାରେ ଲାଗିଲେ । ବୋଧିସତ୍ତ୍ଵ ଯନ୍ତ୍ରଣାରେ ଛଟପଟ ହେଲେ । ସେ ଯେତେ ଥର ଆର୍ତ୍ତନାଦ କରି ଉଠନ୍ତି, ସେତେଗୋଟି ଛିନ୍ନ ହୋଇ ତଳେ ପଡ଼ିଥିବା ପକ୍ଷର ରଙ୍ଗ ବଦଳି ଧଳା ହୋଇଯାଏ । ଶେଷକୁ ଦେଖାଗଲା, ସମସ୍ତ ପକ୍ଷ ସାଧାରଣ ହଂସର ପକ୍ଷ ଭଳି ଧଳା ହୋଇଯାଇଅଛି; ଏଣେ ସ୍ୱର୍ଣ୍ଣ ହଂସଟି ଉଡ଼ି ନ ପାରି ତଳେ ପଡ଼ି ଛଟପଟ ହେଉଅଛି ।

 

କନ୍ୟାମାନେ ହଂସଟିକୁ ପାଖରେ ରଖି ବିଶେଷ ଯତ୍ନ ନେଲେ । ବହୁଦିନ ସେବାଶୁଶ୍ରୂଷା ପରେ ହଂସ ଦେହରେ ନୂତନ ପକ୍ଷ ଦେଖାଦେଲା; ମାତ୍ର ତାହା ଆଉ ସ୍ୱର୍ଣ୍ଣପକ୍ଷ ନୁହେଁ, ସାଧାରଣ ହଂସର ପକ୍ଷ ।

 

ଏଣେ ବ୍ରାହ୍ମଣୀଙ୍କ ଅବସ୍ଥା ପୂର୍ବପରି ହୋଇଗଲା । ସେ ପେଟଜ୍ୱାଳାରେ ପୁଣି ପରର ଦାସୀବୃତ୍ତି କରିବାକୁ ବାଧ୍ୟ ହେଲେ ।

 

ନୂଆ ପକ୍ଷ ଉଠିଗଲା ପରେ ଦିନେ ହଂସରୂପୀ ବୋଧିସତ୍ତ୍ଵ ଆକାଶକୁ ଉଡ଼ି ଚାଲିଗଲେ-। ଶୂନ୍ୟରେ ରହି କହିଲେ–

 

‘‘ଯାହା ଯେତେବେଳେ ମିଳଇ,

ତହିଁ ହୋଇବ ତୋଷ,

ଅତି ଲୋଭ କଲେ ଅକାଳେ

ଯିବ ସମୂଳେ ନାଶ ।’’

 

ପ୍ରଶ୍ନ

 

୧.

ବିଧବା, ଅସମୟ, ଦୁର୍ଦ୍ଦଶା, ଅଭାବ, ସୁବିଧା–ଏଗୁଡ଼ିକର ବିପରୀତ ଶବ୍ଦ କଅଣ ?

୨.

ବ୍ରାହ୍ମଣୀ କଅଣ ଭାବି ସ୍ୱର୍ଣ୍ଣହଂସର ସବୁ ପକ୍ଷ ଏକା ଦିନକେ ଉପାଡ଼ି ପକାଇଲେ ?

୩.

‘‘ପିତାଙ୍କୁ କଷ୍ଟ ଦେଇ ଏଭଳି କାର୍ଯ୍ୟ କର ନାହିଁ’’–ଏହି ବାକ୍ୟଟିକୁ ଆଉ କେତେ ପ୍ରକାର ଲେଖାଯାଇପାରେ ଲେଖ ।

୪.

ଦାରୁଣ, ବ୍ୟଥା, ଅଧିକାରିଣୀ, ପରାମର୍ଶ–ଏଗୁଡ଼ିକର ଅର୍ଥ କଅଣ ?

୫.

କୂଳ–କୁଳ; ସମତଳ–ତଳ; ଜ୍ୱାଳା–ଜଳା; ଛଟପଟ–ପଟ–ଏ ଯୋଡ଼ି ଯୋଡ଼ି ଶବ୍ଦ ମଧ୍ୟରେ ପ୍ରଭେଦ କଅଣ, ବୁଝାଇ ଦିଅ ।

୬.

ପକ୍ଷକୁ ଭିନ୍ନ ଭିନ୍ନ ଅର୍ଥ କରି ଚାରିଗୋଟି ବାକ୍ୟ କହ ।

୭.

ଆକାଶ, ସ୍ୱାମୀ, ନୂଆ–ଏହାର ଆଉ କେତୋଟି ଲେଖାଏଁ ପ୍ରତିଶବ୍ଦ କହ ।

Image

 

କପଟୀ ଶୃଗାଳ

 

ବାରାଣସୀର ଶ୍ମଶାନ ନିକଟରେ ହଜାରେ ପର୍ଯ୍ୟନ୍ତ ମୂଷା ବାସ କରୁଥିଲେ । ସେମାନଙ୍କର ଦଳପତି ଥିଲେ ଚୁଲ୍ଲକ । ସେ ଯେପରି ବଳିଷ୍ଠ, ସେହିପରି ଧାର୍ମିକ ଓ ବିବେକୀ । ସମସ୍ତ ମୂଷା ତାଙ୍କରି ନିର୍ଦ୍ଦେଶ ମାନି ସର୍ବଦା ଚଳୁଥାଆନ୍ତି ।

 

ପ୍ରତ୍ୟହ ସକାଳୁ ଚୁଲ୍ଲକ ନିଜ ଗୋଷ୍ଠୀର ସମସ୍ତ ମୂଷାଙ୍କ ସହ ଗର୍ତ୍ତରୁ ବାହାରି ପଦାରେ ଖାଦ୍ୟ ଅନ୍ୱେଷଣ ପାଇଁ ବୁଲଚାଲ କରନ୍ତି; ସନ୍ଧ୍ୟାବେଳକୁ ପୁଣି ଫେରିଆସନ୍ତି । ଚୁଲ୍ଲକଙ୍କ ପରାମର୍ଶ ଅନୁସାରେ ସମସ୍ତେ ଚଳୁଥିବାରୁ କାହାରି ଉପରକୁ କୌଣସି ପ୍ରକାର ବିପଦ ଆସେ ନାହିଁ ।

 

ଥରେ ଗୋଟିଏ ଧୂର୍ତ୍ତ ଶୃଗାଳ ଏ ମୂଷାଗୋଷ୍ଠୀକୁ ଦେଖିଲା । ଏତେଗୁଡ଼ାଏ ମୂଷା ଏକତ୍ର ଥିବାର ଦେଖି ତାହାର ବଡ଼ ଲୋଭ ହେଲା । କୌଶଳ କରି ସେମାନଙ୍କୁ କିପରି ଖାଇବ, ସେହି ଉପାୟ ସେ ଚିନ୍ତା କଲା ।

 

ପରଦିନ ପ୍ରତ୍ୟୁଷରୁ ଚୁଲ୍ଲକ ସଦଳବଳରେ ଗର୍ତ୍ତରୁ ବାହାରି ଆସିଲାବେଳେ ଦେଖିଲେ ଯେ, ଅଳ୍ପ ଦୂରରେ ଗୋଟିଏ ଶୃଗାଳ କେବଳ ମାତ୍ର ଗୋଟିଏ ପାଦରେ ଠିଆହୋଇ ରହିଅଛି ଏବଂ ତିନୋଟି ପାଦ ଉପରକୁ ଟେକିଅଛି । ସେ ତାହାର ପାଟି ମେଲା କରି ସୂର୍ଯ୍ୟୋଦୟ ହେବା ଦିଗକୁ ଚାହିଁ ରହିଅଛି ।

 

ତାହାର ଏ ଅବସ୍ଥା ଦେଖି ଚୁଲ୍ଲକ ବଡ଼ ସନ୍ଦେହରେ ପଡ଼ିଲେ । ସେ ତା ପାଖକୁ ଯାଇ ପଚାରିଲେ, ‘‘ଭଦ୍ରେ ! ତୁମ ନାମ କଅଣ ?’’

Image

‘‘ମୋ ନାମ ଧାର୍ମିକ’’–ଶୃଗାଳ ଉତ୍ତର ଦେଲା ।

 

ଚୁଲ୍ଲକ ପୁଣି ପ୍ରଶ୍ନ କଲେ, ‘‘ପୃଥିବୀ ଉପରେ ଚାରି ପାଦ ନ ରଖି ଗୋଟିଏ ପାଦରେ ଠିଆ ହୋଇଅଛ କାହିଁକି ?’’

 

ପୂର୍ବପରି ଗମ୍ଭୀର ସ୍ୱରରେ ଶୃଗାଳ କହିଲା, ‘‘ଅନ୍ୟକୁ କଷ୍ଟ ଦେବା ମୋର ନୀତିବିରୁଦ୍ଧ । ମୁଁ ଚାରିଗୋଟିଯାକ ପାଦ ପୃଥିବୀଉପରେ ରଖିଲେ ପୃଥିବୀକୁ ଦୁର୍ବହ ହୋଇପଡ଼ିବ । ସେହି କାରଣରୁ ମୁଁ ଗୋଟିଏ ମାତ୍ର ପାଦର ଭାର ପୃଥିବୀ ଉପରେ ଦେଇ ଅନ୍ୟ ତିନୋଟି ପାଦର ଭାର ନିଜେ ବହନ କରିଅଛି ।’’

ଏ ଉତ୍ତରରେ ଚୁଲ୍ଲକ ମନେକଲେ, ଏହା ପରି ପରୋପକାରୀ ଶୃଗାଳ ଆଉ ଅଛନ୍ତି କି ନାହିଁ ସନ୍ଦେହ । ସେ ପୁଣି ପଚାରିଲେ, ‘‘ତୁମେ ସବୁ ସମୟରେ ପାଟି ମେଲା କରି ରଖିଅଛ କାହିଁକି-?’’

ଶୃଗାଳ କହିଲା, ‘‘ମୁଁ ଗୁରୁଙ୍କଠାରୁ ଦୀକ୍ଷା ନେଲା ପରେ କେବଳ ବାୟୁ ବ୍ୟତୀତ ଆଉ କିଛି ହେଲେ ଆହାର କରୁ ନାହିଁ; ତେଣୁ ଏପରି ଆଁ କରି ରହିଛି । ତା ହେଲେ ବାୟୁ ବଳେ ବଳେ ଆସି ମୋ ପେଟମଧ୍ୟକୁ ଚାଲିଯିବ । ଜପ ତପ ଛାଡ଼ି ଆହାର ପାଇଁ ମୋତେ ଆଉ ସମୟ ନଷ୍ଟ କରିବାକୁ ପଡ଼ିବ ନାହିଁ ।’’

‘‘ସୂର୍ଯ୍ୟଙ୍କ ଆଡ଼କୁ ମୁଖ କରି ଠିଆ ହେବାର କାରଣ କଅଣ?’’–ଚୁଲ୍ଲକ ତୃତୀୟ ପ୍ରଶ୍ନ କଲେ ।

ଏହାର ଉତ୍ତରରେ ଶୃଗାଳ କହିଲା, ‘‘ମୁଁ ସୂର୍ଯ୍ୟପୂଜା କରୁଅଛି ।’’

ଏହିପରି ଉତ୍ତର ପାଇ ମୂଷିକଦଳପତି ବିଶ୍ୱାସ କଲେ ଯେ, ଏ ଶୃଗାଳ ବଡ଼ ସଦାଚାରୀ-। ତେଣୁ ସେ ନିଜର ଦଳକୁ ଚାହିଁ କହିଲେ, ‘‘ପ୍ରତିଦିନ ଆସି ଏହାଙ୍କର ସେବାଶୁଶ୍ରୂଷା କରିବ । ସନ୍ନ୍ୟାସୀଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ, ସେଥିପ୍ରତି ସତର୍କ ରହିବ । ତା ବ୍ୟତୀତ ସାଧୁସଙ୍ଗର ପୁଣ୍ୟ ବହୁତ ବେଶି । କିଛି ସମୟ ଏହାଙ୍କ ପାଖରେ ରହି ସତ୍‍ଶିକ୍ଷା ଅର୍ଜ୍ଜନ କଲେ, ଆମର ମଙ୍ଗଳ ହେବ ।’’

ଦଳପତିଙ୍କ ନିର୍ଦ୍ଦେଶକ୍ରମେ ସବୁ ମୂଷା ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ସେଠାକୁ ଆସନ୍ତି । କିଛି ସମୟ ସେଠାରେ ରହି ସେ ସ୍ଥାନ ପରିଷ୍କାର କରିଦିଅନ୍ତି । ସାଧୁଙ୍କ ହାନିଲାଭ ବୁଝି ବିଦାୟ ହୋଇଗଲା ବେଳେ ସମସ୍ତଙ୍କ ପଛରେ ଥିବା ମୂଷାଟିକୁ ଶୃଗାଳ ମାଡ଼ିବସି ମାରିପକାଏ ଓ ମନ ଆନନ୍ଦରେ ଖାଏ । ସର୍ବଶେଷ ମୂଷାଟିକୁ ସେ ଧରୁଥିବାରୁ ଅନ୍ୟମାନେ ତାହା ଜାଣିପାରନ୍ତି ନାହିଁ ।

ଏହିପରି କିଛିଦିନ ଚାଲିଲା । ଦଳରୁ ମୂଷାଙ୍କ ସଂଖ୍ୟା କ୍ରମେ କମିଆସିଲା । ଦଳପତି ଥରେ ଭାବିଲେ, ‘‘ଆଗରୁ ଆମ ଦଳରେ ଏତେ ମୂଷା ଥିଲେ ଯେ, ଏ ଗର୍ତ୍ତରେ ସ୍ଥାନ ହେଉ ନ ଥିଲା-। ଏବେ ଗର୍ତ୍ତର ବହୁ ଅଂଶ ଖାଲି ପଡ଼ିରହୁଅଛି । ଏହାର କାରଣ କଅଣ ?’’

ତାଙ୍କର ସାଧୁ ଶୃଗାଳ ଉପରେ ସନ୍ଦେହ ହେଲା । ପରଦିନ ମୂଷାସବୁ ଯେତେବେଳେ ଶୃଗାଳ ନିକଟକୁ ଗଲେ, ସେତେବେଳେ ଦଳପତି ଚୁଲ୍ଲକ ସମସ୍ତଙ୍କ ପଛରେ ରହିଲେ । ମୂଷାସବୁ ଶୃଗାଳଙ୍କ ସେବାଶୁଶ୍ରୂଷା କରି ଧାଡ଼ି ଧରି ଫେରିଆସିଲେ । ସର୍ବ ଶେଷରେ ଚୁଲ୍ଲକ ରହିଥିଲେ । ଶୃଗାଳ ପ୍ରତିଦିନ ପରି ସେ ଦିନ ମଧ୍ୟ ଶେଷ ମୂଷାଟିକୁ ଧରିବାକୁ ଚେଷ୍ଟା କଲା; ମାତ୍ର ଚୁଲ୍ଲକ ଆଗରୁ ସାବଧାନ ଥିବାରୁ ସେଠାରୁ ଖସିଆସିଲେ । ଶୃଗାଳ ଆଡ଼କୁ ଚାହିଁ କହିଲେ, ‘‘ତୁ ଏକ ଶଠ ସାଧୁ; ଅନ୍ୟକୁ ହିଂସା କରିବା ଲାଗି ଏ ତୋର କୌଶଳ ମାତ୍ର ।’’

‘‘ଧର୍ମ-ଧ୍ୱଜା ଧରି ତପସ୍ୱୀ ବେଶେ

ଅନ୍ୟକୁ ଠକଇ ଯେ ପାପୀ ଶେଷେ,

 

ତାର ସମ ମୂଢ଼ ଆଉ କେ ନାହିଁ,

ତିନି ପୁରେ ତାକୁ ନ ମିଳେ ଠାଇଁ ।’’

 

ଏହା କହିସାରି ଦଳପତି ଦଳର ଅନ୍ୟ ମୂଷାମାନଙ୍କୁ ଡାକିଲେ । ସମସ୍ତେ ଫେରି ତାଙ୍କୁ ଚାହିଁବାରୁ ଠକ ଶୃଗାଳର ବୃତ୍ତାନ୍ତ କହି ଉପଯୁକ୍ତ ଦଣ୍ଡ ଦେବାକୁ ଆଦେଶ ଦେଲେ । ଏତେଗୁଡ଼ାଏ ମୂଷା ଏକ ସମୟରେ ଶୃଗାଳ ଉପରେ ଚଢ଼ି କାମୁଡ଼ି ପକାଇବାରୁ ସେ ଛଟପଟ ହୋଇ ଶେଷକୁ ମରିଗଲା । ମୂଷାମାନେ ଆନନ୍ଦରେ ତାର ମାଂସ ଖାଇ କିଛି ଦିନ କଟାଇଲେ ।

 

ଯେଉଁ ଭଣ୍ଡ ତପସ୍ୱୀ ଦିନେ କୌଶଳ କରି ମୂଷାମାନଙ୍କୁ ଆହାର କରୁଥିଲା, ଶେଷରେ ସେ ପୁଣି ମୂଷାମାନଙ୍କର ଆହାର୍ଯ୍ୟ ହେଲା ।

 

ପ୍ରଶ୍ନ

 

୧.

ବଳିଷ୍ଠ, ଧାର୍ମିକ, ବିବେକୀ, ସର୍ବଦା, ଧୂର୍ତ୍ତ, ଗୋଷ୍ଠୀ, ପ୍ରତ୍ୟୁଷ, ନୀତିବିରୁଦ୍ଧ, ପରୋପକାରୀ, ଦୁର୍ବହ, ସଦାଚାରୀ, ଧ୍ୱଜା, ଠାଇଁ, ଆହାର୍ଯ୍ୟ–ଏ ଶବ୍ଦଗୁଡ଼ିକର ଅର୍ଥ କଅଣ ?

୨.

ଶୃଗାଳଟି ଗୋଟିଏ ପାଦରେ ଭରା ଦେଇ ଠିଆ ହୋଇଥିବାର କାରଣ ଯାହା କହିଥିଲା, ତାହା ତୁମେ ନିଜ କଥାରେ କହ ।

୩.

ଯେ ପରର ଉପକାର କରେ ସେ ପରୋପକାରୀ । ସେହିପରି କଅଣ ହେବ କୁହ–

 

ଯେ ଲୋଭ କରେ, ଯେ ଧର୍ମ କରେ, ଯେ କୌଶଳ କରେ, ଯେ ତପସ୍ୟା କରେ ।

 

 

୪.

ତଳଲିଖିତ ଶବ୍ଦଗୁଡ଼ିକର ବିପରୀତ ଶବ୍ଦ କଅଣ ?

 

ସଦାଚାରୀ, ସନ୍ଦେହ, ସାବଧାନ, ଉପଯୁକ୍ତ, ଖାଦ୍ୟ ।

୫.

ତିନିପୁର କହିଲେ କଅଣ ବୁଝାଏ ?

Image

 

କୁସଂସ୍କାର

 

ବୁଦ୍ଧଦେବ ଯେଉଁ ସମୟରେ ରାଜଗୃହ ବିହାରରେ ବାସ କରୁଥିଲେ, ସେତେବେଳେ ସେ ଅଞ୍ଚଳର ସବୁ ଶ୍ରେଣୀର ଲୋକେ ଆସି ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ ଏବଂ ବୁଦ୍ଧଦେବଙ୍କଠାରୁ ଧର୍ମ୍ମତତ୍ତ୍ୱ ଶୁଣି ସବୁ ପ୍ରକାର ସନ୍ଦେହ ମନରୁ ଦୂରକଲେ । କେବଳ ଦେଖାଗଲା, ଜଣେ ପଣ୍ଡିତ ବ୍ରାହ୍ମଣ ବୁଦ୍ଧଦେବଙ୍କ ପାଖକୁ ଆସୁ ନାହାନ୍ତି; ବରଂ ବୁଦ୍ଧଦେବ ଓ ବୌଦ୍ଧଧର୍ମ୍ମ ବିରୁଦ୍ଧରେ ନାନା ପ୍ରକାର ମିଥ୍ୟା କଥାର ଅବତାରଣା କରି ନାନା ପ୍ରକାର କଦର୍ଯ୍ୟ ପ୍ରଚାର ଚଳାଇ ଅଛନ୍ତି ।

 

ସେ ବ୍ରାହ୍ମଣ ଅଗାଧ ଧନସମ୍ପତ୍ତିର ମାଲିକ; ବେଶ୍ ବିଦ୍ୱାନ୍ ମଧ୍ୟ । କିନ୍ତୁ ସେ ନାନା କୁସଂସ୍କାରର ବଶବର୍ତ୍ତୀ ହୋଇ ଦିନ କଟାଉଥିଲେ ।

 

ଦିନେ ବ୍ରାହ୍ମଣ ପ୍ରାତଃକାଳରୁ ନଦୀକୁ ସ୍ନାନ କରିବାକୁ ଗଲେ । ସ୍ନାନ ପରେ ପିନ୍ଧିବାଲାଗି ମୂଲ୍ୟବାନ୍ ପାଟଲୁଗା ଓ ଚାଦର ଭୃତ୍ୟ ନେଇ ନଦୀକୂଳରେ ରଖିଦେଇ ଆସିଲା । ବ୍ରାହ୍ମଣ ସ୍ନାନ ସାରି ଓଦାବାସ ପ୍ରରିବର୍ତ୍ତନ କରିବାକୁ ଆସି ଦେଖିଲେ, ତାଙ୍କର ବହୁମୂଲ୍ୟର ପବିତ୍ର ପଟ୍ଟବାସ ଓ ଉତ୍ତରୀୟକୁ ମୂଷା କାଟି ପକାଇଅଛି । ତାହା ଦେଖି ସେ ଚମକି ଉଠିଲେ । ତାଙ୍କର ଦୃଢ଼ ବିଶ୍ୱାସ, ମୂଷାକଟା ଲୁଗା ବା ଉତ୍ତରୀୟ ଯେ ବ୍ୟବହାର କରିବ, ତା ନିଜର ଓ ପରିବାରର ସର୍ବନାଶ ହେବ । ଯେ ସ୍ପର୍ଶ କରିବ, ତାହାର ମଧ୍ୟ ଅମଙ୍ଗଳ ହୋଇପାରେ । ତେଣୁ ସେ ଉକ୍ତ ବସ୍ତ୍ର ପରିଧାନ ନ କରି ଓଦାବାସ ପିନ୍ଧି ଘରକୁ ଫେରିଲେ । ନଦୀକୂଳରେ ପଡ଼ିଥିବା ମୂଷାକଟା ଲୁଗା ଓ ଚାଦର ନେଇ ଶ୍ମଶାନରେ ପକାଇଦେଇ ଆସିବାକୁ ନିର୍ଦ୍ଦେଶ ଦେଲେ । କାଳେ ଭୃତ୍ୟମାନେ ଲୋଭର ବଶବର୍ତ୍ତୀ ହୋଇ ସେ ଲୁଗାଚାଦର ନିଜ ଘରକୁ ନେଇଯିବେ ଏବଂ ନିଜର ଓ ନିଜ ପରିବାରର ମୃତ୍ୟୁର କାରଣ ହେବେ, ସେହି ଭୟରେ ସେ ଭୃତ୍ୟମାନଙ୍କ ଉପରେ ଏ ଦାୟିତ୍ୱ ଦେଇପାରିଲେ ନାହିଁ ।

 

ସେ ନିଜ ପୁଅକୁ ଏ କାର୍ଯ୍ୟ ତୁଲାଇବାକୁ ବରାଦ କଲେ ଏବଂ କୌଣସିମତେ ସେ ଲୁଗା ନ ଛୁଇଁବାକୁ ବାରମ୍ବାର ତାଗଦା କରିଦେଲେ । ଶ୍ମଶାନରେ ଲୁଗା ପକାଇଦେଇ ତା ପରେ ଭଲରୂପେ ସ୍ନାନ ସାରି ଓ ଦିଅଁ ଦର୍ଶନ କରି ଘରକୁ ଫେରିବାକୁ ଆଦେଶ ଦେଲେ ।

Image

ପିତାଙ୍କ ଆଦେଶ ମତେ ପୁତ୍ର ନଈକୂଳକୁ ଯାଇ ଖଣ୍ଡିଏ ଲମ୍ବା ବାଉଁଶରେ ସେ ଲୁଗାଚାଦର ଉଠାଇଲା । ଲୋକେ ମୃତସର୍ପକୁ ଯେପରି ବାଡ଼ି ଅଗରେ ଉଠାଇ ନେଇ ଅନ୍ୟତ୍ର ଫିଙ୍ଗିଦିଅନ୍ତି, ସେହିପରି ସେ ଲୁଗାଚାଦର ଧରି ଶ୍ମଶାନକୁ ଗଲା ।

 

ବାଟରେ ବୁଦ୍ଧଦେବ ଏହା ଦେଖି ସବୁ କଥା ଜାଣିପାରିଲେ । ସେ ପିଲାର ପଛେ ପଛେ ଶ୍ମଶାନ ପର୍ଯ୍ୟନ୍ତ ଗଲେ । ତାହାପରେ ପିଲାଟି ଯେପରି ଲୁଗା ଓ ଚାଦର ଶ୍ମଶାନରେ ଫିଙ୍ଗିଦେଇଛି, ସେ ତତ୍‍କ୍ଷଣାତ୍ ତାହା ଉଠାଇଆଣିଲେ ଏବଂ ଲୁଗା ପିନ୍ଧି ଚାଦରକୁ ଦେହରେ ପକାଇଲେ । ପିଲାଟି ତାଙ୍କର ଅମଙ୍ଗଳ ଆଶଙ୍କାରେ ହା ହା କରି ଚମକିଉଠିଲା; ମାତ୍ର ବୁଦ୍ଧଦେବ ହସି ହସି ସେଠାରୁ ନିଜ ବିହାରକୁ ଚାଲିଗଲେ ।

 

ପୁତ୍ର ଆସି ବ୍ରାହ୍ମଣଙ୍କୁ ଏ ସମ୍ବାଦ ଦେଲା । ବ୍ରାହ୍ମଣ କହିଲେ, ‘‘ସର୍ବନାଶ । ଏହି ବସ୍ତ୍ର ପରିଧାନ କରି ଗୌତମ ତ ଦେହତ୍ୟାଗ କରିବେ, ଏପରି କି ତାଙ୍କର ହଜାର ହଜାର ଭକ୍ତ ଶିଷ୍ୟଙ୍କର ମଧ୍ୟ ମୃତ୍ୟୁ ଘଟିବ ।’’ ପୁଣି ସେ ମନେ ମନେ ଭାବିଲେ, ‘‘ହାୟ ବିଧର୍ମ୍ମୀ ନିର୍ବୋଧ ଗୌତମ ! ଏହାର ଯେ କଅଣ କୁଫଳ, ତାହା ତ ଜାଣି ନାହଁ; ତେଣୁ ନିଜର ଏପରି ସର୍ବନାଶ କରିବାକୁ ଗଲ ସିନା !’’

 

ବ୍ରାହ୍ମଣ ପୁଣି ଭାବିଲେ, ଏତେଗୁଡ଼ାଏ ଲୋକ ଯେ କାଲି ସକାଳୁ ମରିଯିବେ, ସେଥିପାଇଁ ତ ସେ ନିଜେ ଦାୟୀ । ତେଣୁ ତାଙ୍କ ଘରେ ଯେତେ ବସ୍ତ୍ର ଥିଲା, ସେ ସମସ୍ତ ସେ ସଂଗ୍ରହ କରି ଗାଡ଼ିରେ ଲଦି ବୁଦ୍ଧଦେବଙ୍କ ଆସ୍ଥାନସ୍ଥଳୀକୁ ଗଲେ । ପ୍ରଚୁର ଧନସମ୍ପତ୍ତି ମଧ୍ୟ ସାଙ୍ଗରେ ନେଇଥାଆନ୍ତି ।

 

ବିହାରରେ ପହଞ୍ଚି ବ୍ରାହ୍ମଣ ପଣ୍ଡିତ ବୁଦ୍ଧଦେବଙ୍କୁ କହିଲେ, ‘‘ମୂର୍ଖ ଗୌତମ ! ତୁମେ ଜାଣ ନାହିଁ ଯେ, ମୂଷାକଟା ଲୁଗା ସ୍ପର୍ଶକଲେ କି ଭୀଷଣ ଅମଙ୍ଗଳ ହୁଏ । ତୁମେ ବର୍ତ୍ତମାନ ସେ ଲୁଗାଚାଦର ଫିଙ୍ଗିଦିଅ । ଦେଖ, ତୁମ ପାଇଁ ଓ ତୁମର ଶିଷ୍ୟଭକ୍ତଙ୍କ ପାଇଁ ମୁଁ କେତେ ଲୁଗା ଆଣିଅଛି । ଏହାକୁ ନେଇ ସମସ୍ତେ ବ୍ୟବହାର କର । ତାର ଦକ୍ଷିଣା ସ୍ୱରୂପ ଏ ଧନସମ୍ପତ୍ତି ନିଅ; କିନ୍ତୁ ସେ ଅପବିତ୍ର ଲୁଗା ପରିତ୍ୟାଗ କର ।’’

 

ବୁଦ୍ଧଦେବ କହିଲେ, ‘‘ବ୍ରାହ୍ମଣ ! ଏତେଗୁଡ଼ାଏ ମୂଲ୍ୟବାନ୍ ବସ୍ତ୍ର ନେଇ ଆମେମାନେ କଅଣ କରିବୁ ? ଆମେ ସଂସାରତ୍ୟାଗୀ ସନ୍ନ୍ୟାସୀ । ବାଟଘାଟ ଓ ଶ୍ମଶାନରେ ପରିତ୍ୟକ୍ତ ଚିରା ଫଟା ଲୁଗା ହିଁ ଆମେ ସଂଗ୍ରହ କରି ନିଜ ବ୍ୟବହାରରେ ଲଗାଇଥାଉଁ । ଅନ୍ୟ ମୂଲ୍ୟବାନ୍ ବସ୍ତ୍ର ପିନ୍ଧିବା ଆମ ପକ୍ଷରେ ସମ୍ଭବ ନୁହେଁ, ଉଚିତ ନୁହେଁ ମଧ୍ୟ । ବ୍ରାହ୍ମଣ ! ତୁମେ କୁସଂସ୍କାରରେ ଅନ୍ଧ ହୋଇଯାଇଅଛ-। ତୁମେ ନାମକୁ ମାତ୍ର ବଞ୍ଚି ରହିଥିଲେ ମଧ୍ୟ ହଜାର ପ୍ରକାର ଅଳୀକ କାଳ୍ପନିକ ଭୟରେ ମୃତପ୍ରାୟ । ଆମେମାନେ ଜଗତର ସକଳ ଭୟକୁ ଜୟ କରିଅଛୁ । ତୁମେ ଯଦି ନିର୍ଭୟରେ ବଞ୍ଚି ରହିବାକୁ ଇଚ୍ଛା କର, ତେବେ ଏସବୁ କୁସଂସ୍କାର ମନରୁ ତ୍ୟାଗ କର । ଆମେ ଯେପରି ଚଳୁଅଛୁ, ସେହିପରି ଚଳ । କୁସଂସ୍କାରସବୁ ତୁମ ମନଭିତରେ ସର୍ପ ପରି ରହି ତୁମକୁ ସର୍ବଦା ଭୀତତ୍ରସ୍ତ କରି ରଖିଅଛନ୍ତି । ରାତିଯାକ ତୁମେ ଦୁଃସ୍ୱପ୍ନ ଦେଖ, ଶାନ୍ତିରେ ଟିକିଏ ଶୋଇପାର ନାହିଁ । ସମସ୍ତ ଦିନ ତୁମର ଦୁଶ୍ଚିନ୍ତାରେ କଟେ । ସ୍ୱପ୍ନଗୁଡ଼ାକୁ ସତ୍ୟ ବୋଲି ବିଶ୍ୱାସ କରି ତୁମେ ଅହର୍ନିଶି ମନେ ମନେ ଯାତନା ଭୋଗ କର । ପ୍ରତ୍ୟେକ ଜୀବଜନ୍ତୁଙ୍କ ଗତିବିଧିରେ ତୁମେ ମଙ୍ଗଳ ଓ ଅମଙ୍ଗଳର ଲକ୍ଷଣ ଦେଖିବାକୁ ପାଅ; ତେଣୁ ଅସ୍ଥିର ହୋଇଉଠ । କାକ ଡାକିଲେ ତୁମେ ଚମକି ଉଠ; ପେଚା ଶବ୍ଦ ଶୁଣି ନିକଟରେ ମୃତ୍ୟୁ ହେବ ବୋଲି ଧରିନିଅ; ଝିଟିପିଟି ଉପରେ ପଡ଼ିଲେ ତୁମ ମନର ଶାନ୍ତି ନଷ୍ଟ ହୁଏ । ରାତ୍ରରେ ଆକାଶକୁ ଚାହିଁବାର ତୁମର ଉପାୟ ନାହିଁ–କାଳେ ଉଲ୍‍କାପାତ ଦେଖିପକାଇବ । ଥରେ ଭାବି ଦେଖିଲ, କି ଭୀଷଣ ଅଶାନ୍ତ ଜୀବନ ତୁମେ ଯାପନ କରୁଅଛ ?

 

‘‘ଯା ମନେ ରହିଛି ଅନ୍ଧ-ବିଶ୍ୱାସ,

କେବେ ଆସେ ନାହିଁ ଶାନ୍ତି ତା ପାଶ ।

ମରଣ ଆଗରୁ ହଜାରେ ଥର,

ମୃତ୍ୟୁଭୟେ ହୁଏ ସେ ଥରହର ।’’

 

ବ୍ରାହ୍ମଣ କିନ୍ତୁ ବୁଦ୍ଧଦେବଙ୍କ କଥାକୁ ତିଳେହେଲେ ବିଶ୍ୱାସ କଲେ ନାହିଁ । ସେ ଭୟଙ୍କର ରାଗି ସେଠାରୁ ଚାଲିଗଲେ । ତାଙ୍କ ମନରେ ଦୃଢ଼ ଧାରଣା ହୋଇଯାଇଥିଲା ଯେ, ଆଜି ରାତିରେ ବୁଦ୍ଧଦେବ ଓ ତାଙ୍କର ହଜାର ହଜାର ଶିଷ୍ୟଭକ୍ତ ନିଶ୍ଚୟ ମୃତ୍ୟୁମୁଖରେ ପଡ଼ିବେ । ମୃତ୍ୟୁ ପୂର୍ବରୁ ଲୋକ ଯେପରି ବାଚାଳଙ୍କ ଭଳି ଗପେ, ବୁଦ୍ଧଦେବ ସେହିପରି ଅଶାସ୍ତ୍ରୀୟ କଥାମାନ କହି ଚାଲିଛନ୍ତି-

 

ବ୍ରାହ୍ମଣଙ୍କୁ ସେଦିନ ରାତ୍ରରେ ଆଦୌ ନିଦ ହେଲା ନାହିଁ । ଏତେଗୁଡ଼ିଏ ଲୋକଙ୍କ ଅମଙ୍ଗଳ ଆଶଙ୍କାରେ ସେ ଅସ୍ଥିର ହୋଇଉଠିଲେ । ରାତି ପାହିଲା । ବ୍ରାହ୍ମଣ ଦେଖିଲେ, ଯାହାଙ୍କ ପାଇଁ ସେ ଏତେ ବିଚଳିତ, ସେମାନେ କିନ୍ତୁ ଆନନ୍ଦରେ ରହିଅଛନ୍ତି । ବୁଦ୍ଧଦେବ କି ତାଙ୍କ ଶିଷ୍ୟଭକ୍ତ ଜଣେ କେହି ହେଲେ ମୃତ୍ୟୁମୁଖରେ ପଡ଼ିବା ଦୂରେ ଥାଉ, ସାମାନ୍ୟ ଅସୁସ୍ଥ ବି ହୋଇନାହାନ୍ତି ।

 

ଏହା ଦେଖି ବ୍ରାହ୍ମଣଙ୍କର ଜ୍ଞାନୋଦୟ ହେଲା । ସେ ଆସି ବୁଦ୍ଧଦେବଙ୍କର ଶରଣ ପଶିଲେ । ତାଙ୍କଠାରୁ ଦୀକ୍ଷା ନେଇ ବାକି ଜୀବନ ଶାନ୍ତିର ସହିତ ଆନନ୍ଦରେ କଟାଇଲେ ।

 

ପ୍ରଶ୍ନ

 

୧.

ଅବତାରଣା, ପରିବର୍ତ୍ତନ, ନିର୍ଦ୍ଦେଶ, କୁସଂସ୍କାର, ଦୁଃସ୍ୱପ୍ନ, ବିହାର, ଅଗାଧ, ନିର୍ଭୟରେ–ଏଗୁଡ଼ିକର ଅର୍ଥ କଅଣ ?

୨.

ମୂଷାକଟା ଲୁଗା ବ୍ୟବହାର କଲେ କଅଣ ହେବ ବୋଲି ବ୍ରାହ୍ମଣ ପଣ୍ଡିତଙ୍କର ବିଶ୍ୱାସ ଥିଲା-?

୩.

ଅଶାସ୍ତ୍ରୀୟ, ଜ୍ଞାନୋଦୟ, ମୂର୍ଖ, ଅପବିତ୍ର, କୁସଂସ୍କାର–ଏଗୁଡ଼ିକର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ କଅଣ ?

୪.

ତୁମ ଘରର ବା ଗ୍ରାମର ଲୋକଙ୍କ ମଧ୍ୟରେ କି ପ୍ରକାର କୁସଂସ୍କାର ଅଛି ବୋଲି ତୁମେ ଭାବୁଅଛ; କାରଣ ସହ ତାହା ବୁଝାଅ ।

Image

 

ଉଦଯୋଗୀର ଲକ୍ଷ୍ମୀଲାଭ

 

ବୋଧିସତ୍ତ୍ଵ ଏକ ସମୟରେ ବାରାଣସୀରେ ଜଣେ ଶ୍ରେଷ୍ଠୀ ଗୃହରେ ଜନ୍ମଗ୍ରହଣ କରିଥିଲେ । ସେ ଯେପରି ଲକ୍ଷ୍ମୀବନ୍ତ, ସେହିପରି ସାଧୁ ଓ ବିଚାରବୁଦ୍ଧିସମ୍ପନ୍ନ ବ୍ୟକ୍ତି ଥିଲେ । ତାଙ୍କ ନାମ ଥିଲା ଚୁଲ୍ଲ ସେଠୀ । ଥରେ ସେ ରାଜଦ୍ୱାରକୁ ଯାଉଥିଲେ । ବାଟରେ ଦେଖିଲେ, ଗୋଟିଏ ମଲାମୂଷା ପଡ଼ିଅଛି । ସେହି ସମୟରେ ଗୋଟିଏ ଭିକ୍ଷୁବାଳକ ତାଙ୍କୁ କିଛି ସାହାଯ୍ୟ ଭିକ୍ଷା କଲା । ଚୁଲ୍ଲ ସେଠୀ ତାକୁ ସେହି ମଲାମୂଷାଟିକୁ ଦେଖାଇ କହିଲେ, ‘‘ଏହି ମୂଷାଟି ଦ୍ଵାରାହିଁ ଯେ କେହି ଲୋକ ବିଶେଷ ଧନୀ ହୋଇପାରେ । ଭିକ୍ଷାବୃତ୍ତି ଛାଡ଼; ଯାଅ, ଉଦଯୋଗ କର ।’’ ଏହା କହି ସେ ନିଜ ବାଟରେ ଚାଲିଗଲେ ।

 

ଭିକ୍ଷୁବାଳକ ଶ୍ରେଷ୍ଠୀଙ୍କ କଥା ଶୁଣି ମନରେ ଭାବିଲା, ‘ଏହାଙ୍କ କଥା ଅନ୍ୟଥା ହୋଇ ନ ପାରେ ।’

 

ଏହା ଭାବି ସେ ଉକ୍ତ ମୂଷାଟିକୁ ଉଠାଇନେଲା । ତାକୁ ଧରି ଯାଉଥିବା ସମୟରେ ଜଣେ ଗୁଡ଼ବ୍ୟବସାୟୀ ତାକୁ ଡାକଦେଲେ । ତାଠାରୁ ମୂଷାଟିକୁ ରଖି ନିଜର ପୋଷା ବିଲେଇକୁ ଖାଇବାକୁ ଦେଇଦେଲେ ଓ ତା ପରିବର୍ତ୍ତରେ ଭିକ୍ଷୁବାଳକକୁ ସାମାନ୍ୟ କିଛି ଗୁଡ଼ ଦେଲେ । ସେ ମନେ କରିଥିଲେ, ବାଳକ ଗୁଡ଼ତକ ଖୁସିରେ ଖାଇଦେବ ।

 

ମାତ୍ର ବାଳକ ସେ ଗୁଡ଼ ନିଜେ ଖାଇଲା ନାହିଁ । ସେ ଗୁଡ଼ଟିକକ ଓ କେତେ ମାଠିଆ ପାଣି ଧରି ଜଙ୍ଗଲ ମଧ୍ୟକୁ ଗଲା, ମନୁଷ୍ୟ ଯାତାୟାତ ପଥରେ ବସିରହିଲା ।

 

ଦ୍ୱିପ୍ରହର ସମୟକୁ ଜଙ୍ଗଲର କାଠକଟାଳୀ ସ୍ତ୍ରୀ ପୁରୁଷ କାଠବୋଝ ଧରି ଫେରିଲେ । ସେମାନେ କାଠ ହାଣି ହାଣି କ୍ଳାନ୍ତ ହୋଇ ପଡ଼ିଥାଆନ୍ତି; କ୍ଷୁଧା ଓ ତୃଷାରେ ବ୍ୟାକୁଳ ହେଉଥାଆନ୍ତି । ପଥମଧ୍ୟରେ ଜଣେ ବାଳକ ପାଣି ରଖି ବସିଥିବାର ଦେଖି ସେମାନେ ସେଠାରେ ବିଶ୍ରାମ ନେଲେ ଏବଂ ପାଣି ପିଇବାକୁ ମାଗିଲେ । ବାଳକ ପାଣିସହ ଟିକିଏ ଲେଖାଏଁ ଗୁଡ଼ ମଧ୍ୟ ସେମାନଙ୍କୁ ଦେଲା-। ସେମାନେ ତୃପ୍ତ ହୋଇ ସେ ସ୍ଥାନ ଛାଡ଼ିଯିବା ପୂର୍ବରୁ ବିଡ଼ାଏ ଲେଖାଏଁ କାଠ ତାକୁ ଦେଇଗଲେ । ସେହି କାଠ ବିକ୍ରୀ କରି ବାଳକ କିଛି ଅର୍ଥ ପାଇଲା ।

 

ପରଦିନ ପାଣି ସହ ଗୁଡ଼ ଓ କିଛି ଛତୁ ସାଙ୍ଗରେ ନେଇ ସେ ଅରଣ୍ୟପଥରେ ବସିରହିଲା । ସେଦିନ ଲୋକମାନେ ଛତୁ ପାଇ ବିଶେଷ ଖୁସି ହେଲେ ଓ ବେଶି ପରିମାଣ କାଠ ଏବଂ ଅରଣ୍ୟରୁ ସଂଗ୍ରହ କରିଥିବା ଫଳମୂଳରୁ କିଛି ଉପହାର ଦେଇଗଲେ ।

 

ବାଳକ ତାହା ମଧ୍ୟ ବିକ୍ରୀ କରି ନିଜ ସଞ୍ଚିତ ଅର୍ଥର ପରିମାଣ ବଢ଼ାଇଲା ।

 

ଦିନେ ଝଡ଼ତୋଫାନ ଯୋଗେ ରାଜ-ବଗିଚାରେ ବହୁ ଗଛ ଓ ଗଛର ଡାଳ ଭାଙ୍ଗିପଡ଼ିଲା-। ବଗିଚା ଶୀଘ୍ର ପରିଷ୍କାର କରାଯିବା ଦରକାର । ବଗିଚାର ରକ୍ଷକ ଏକମାତ୍ର ମାଳୀ । ଅଳ୍ପ ସମୟ ମଧ୍ୟରେ ସେ କିପରି ବଗିଚା ପରିଷ୍କାର କରିବ, ତାହା ଭାବିପାରିଲା ନାହିଁ ।

 

ଏହି ଖବର ପାଇ ଭିକ୍ଷୁବାଳକ ଯାଇ ମାଳୀକୁ ଦେଖାକଲା ଏବଂ କହିଲା, ‘‘ଯଦି ମୋତେ ସେ ସମସ୍ତ କାଠ ଦେଇଦେବ, ତେବେ ମୁଁ ଖୁବ୍‍ କମ୍‍ ସମୟ ମଧ୍ୟରେ ବଗିଚା ସଫା କରିଦେବି ।’’ ମାଳୀ ଏଥିରେ ସମ୍ମତ ହେଲା ।

 

ବିଦ୍ୟାଳୟର ଛୋଟ ଛୋଟ ଛାତ୍ରମାନେ ବିଦ୍ୟାଶିକ୍ଷା ପରେ ନାନା ପ୍ରକାର କ୍ରୀଡ଼ାରେ ରତ ଥିଲେ । ଭିକ୍ଷୁବାଳକ ସେମାନଙ୍କ ନିକଟକୁ ଯାଇ କହିଲା, ‘‘ତୁମେମାନେ ଯାଅ; ବଗିଚାଟି ସଫା କରି କାଠତକ ଆଣି ରାସ୍ତା କଡ଼ରେ ଜମାଇଦିଅ, ତା ହେଲେ ମୁଁ ତୁମକୁ ଉପଯୁକ୍ତ ପୁରସ୍କାର ଦେବି-।’’

 

ଛୋଟ ଛୋଟ ଛାତ୍ରମାନେ ଆଚାର୍ଯ୍ୟଙ୍କ ଅନୁମତିକ୍ରମେ ବଗିଚାକୁ ଯାଇ କ୍ରୀଡ଼ାଛଳରେ ସମସ୍ତ ଭଙ୍ଗାକାଠ ଗୋଟାଇ ପଦାକୁ ଘେନି ଆସିଲେ । ଅଳ୍ପ ସମୟ ମଧ୍ୟରେ ବଗିଚାଟି ପରିଷ୍କାର ହୋଇଗଲା, ଭିକ୍ଷୁବାଳକ ସେମାନଙ୍କୁ ଛତୁ ଗୁଡ଼ ତିଆରି ମିଠାଇ ଖାଇବାକୁ ଦେଲା । ଏଭଳି ମିଠାଇ ସବୁ ପାଇ ଛାତ୍ରମାନେ ଆନନ୍ଦମନରେ ତାହା ଧରି ଗୁରୁଗୃହକୁ ଫେରିଗଲେ । ବଗିଚା ପରିଷ୍କାର ହୋଇଥିବାରୁ ମାଳୀ ଯେପରି ଖୁସି ହେଲା, କେତେଗୁଡ଼ିଏ କାଠ ପାଇ ଭିକ୍ଷୁବାଳକ ମଧ୍ୟ ସେହିପରି ଆନନ୍ଦିତ ହେଲା । ସେହି କାଠ ବିକ୍ରୀ କରି ସେ ଆଉ କିଛି ଅର୍ଥ ସଂଗ୍ରହ କଲା ।

 

ତାହାର ଉଦ୍ୟମ ଓ ବ୍ୟବହାରରେ ସାଧାରଣ ଲୋକେ ଓ ରାଜକର୍ମଚାରୀ ଅତ୍ୟନ୍ତ ପ୍ରୀତ ହେଲେ । ସେ ମଧ୍ୟ ଲୋକଙ୍କ ମଧ୍ୟରେ ଜଣାଶୁଣା ହୋଇଗଲା । ତେଣିକି ତାହାର ଖାତିର୍ ବଢ଼ିଲା ଓ ନାମ ହେଲା ‘ସତ୍ୟବାହ’ ।

 

ଥରେ ସତ୍ୟବାହ ସ୍ଥଳପଥ କର୍ମଚାରୀଙ୍କଠାରୁ ସମ୍ବାଦ ପାଇଲେ ଯେ, ଆସନ୍ତା କାଲି ସହରକୁ ଜଣେ ଘୋଡ଼ାବ୍ୟବସାୟୀ ପାଞ୍ଚ ଶହ ଘୋଡ଼ା ସହ ଆସୁଅଛନ୍ତି । ସେଦିନ ସେ ଅରଣ୍ୟପଥକୁ ଯାଇ କାଠକଟାଳୀମାନଙ୍କୁ କହିଲେ, ‘‘ଆଜି ମୋର କାଠ କି ଫଳମୂଳ ଲୋଡ଼ା ନାହିଁ; ଜଙ୍ଗଲ ମଧ୍ୟରୁ ମୋତେ କିଛି କିଛି ଘାସ କାଟି ଆଣି ଦେବ ।’’

 

ଜଙ୍ଗଲରୁ ସେ ଲୋକେ ଫେରିବା ସମୟରେ ସେମାନଙ୍କ ଦ୍ରବ୍ୟ ସହ ବିଡ଼ାଏ ଲେଖାଏଁ ଘାସ ଆଣିଥିଲେ । ସତ୍ୟବାହଙ୍କୁ ତାହା ଦେଇ ଛତୁଗୁଡ଼ ଖାଇ ଚାଲିଗଲେ ।

 

ପରଦିନ ଘୋଡ଼ାବ୍ୟବସାୟୀ ସହରକୁ ଆସିଲେ । ଘୋଡ଼ାଙ୍କ ଲାଗି ତାଙ୍କର ବହୁ ପରିମାଣ ଘାସ ଦରକାର ହେଲା । ସତ୍ୟବାହ ସେ ସମସ୍ତ ଘାସ ଯୋଗାଇ ଏହି ବ୍ୟବସାୟୀଙ୍କଠାରୁ ଯଥେଷ୍ଟ ଅର୍ଥ ଲାଭକଲେ ।

 

ପରେ ଜଳପଥ କର୍ମଚାରୀଙ୍କଠାରୁ ସତ୍ୟବାହ ଶୁଣିବାକୁ ପାଇଲେ ଯେ, ବହୁ ପଣ୍ୟଦ୍ରବ୍ୟ ନୌକା ଯୋଗେ ସହରକୁ ଆସୁଅଛି । ସତ୍ୟବାହ ମନେକଲେ, ଏ ସୁଯୋଗ ହରାଇବାର ନୁହେଁ । ସେ ବନ୍ଦର ନିକଟରେ ବହୁ ଆଡ଼ମ୍ବର ସହ ଯାଇ ବସି ରହିଲେ । ନୌକା ଆସି କୂଳରେ ଲାଗିବାରୁ ନୌକାର ମାଲିକଙ୍କୁ କହିଲେ, ‘‘ଏସବୁ ଦ୍ରବ୍ୟ ମୋତେ ବିକ୍ରୀ କରିଦିଅ । ଏହାର ଉଚିତ ମୂଲ୍ୟ ମୁଁ ତିନି ଦିନ ମଧ୍ୟରେ ଦେଇଦେବି । ଅନ୍ୟ କେହି ଖରିଦଦାର ଆସିଲେ, ସେମାନଙ୍କୁ ଏହା ଯେପରି ଆଉ ଥରେ ବିକ୍ରୀ ନ କର ।’’ ପଣ୍ୟଦ୍ରବ୍ୟର ବ୍ୟବସାୟୀ ଏଥିରେ ସମ୍ମତ ହେଲେ ।

 

ନୌକା ଆସି ବନ୍ଦରରେ ଲାଗିବା ସମ୍ବାଦ ସହରର ଅନ୍ୟାନ୍ୟ ବ୍ୟବସାୟୀ ବିଳମ୍ବରେ ପାଇଲେ । ସେମାନେ ଦ୍ରବ୍ୟ ଖରିଦ କରିବାକୁ ଆସି ଶୁଣିଲେ ଯେ, ସତ୍ୟବାହ ସମସ୍ତ ଦ୍ରବ୍ୟ ଆଗରୁ ଖରିଦ କରି ନେଇଅଛନ୍ତି । ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ । ପରେ ନିଜ ନିଜ ଦରକାର ମୁତାବକ ଦ୍ରବ୍ୟ ସତ୍ୟବାହଙ୍କଠାରୁ ଖରିଦ କରିନେଲେ । ଦ୍ରବ୍ୟର ମୂଲ୍ୟ ବ୍ୟତୀତ ସତ୍ୟବାହଙ୍କୁ ତାଙ୍କର ଲାଭ ପାଇଁ ଅଧିକା ହଜାରେ ଲେଖାଏଁ କାଷପିଣ ଦେଲେ ।

 

ଏହି ଉପାୟରେ ସତ୍ୟବାହ ଦୁଇ ଲକ୍ଷ କାଷପିଣର ଅଧିକାରୀ ହେଲେ । ସେ ବହୁ ଅର୍ଥ ଖର୍ଚ୍ଚ କରି ସହରର ଚୁଲ୍ଲଅନ୍ତେବାସ (ଛୋଟ ଛୋଟ ପିଲାମାନେ ବିଦ୍ୟାଶିକ୍ଷା ସମୟରେ ଯେଉଁଠାରେ ବାସ କରନ୍ତି) ନିର୍ମାଣ କରାଇଦେଲେ । ନିଜ ଗୁରୁ ଚୁଲ୍ଲ ଶ୍ରେଷ୍ଠୀଙ୍କୁ କୃତଜ୍ଞତା ଜଣାଇବାକୁ ଯାଇ ତାଙ୍କୁ ଏକ ଲକ୍ଷ କାଷପିଣ ଉପହାର ଦେଲେ । ଚୁଲ୍ଲ ଶ୍ରେଷ୍ଠୀ ତାଙ୍କୁ ପଚାରିଲେ, ‘‘ତୁମେ କି ଉପାୟରେ ଏତେ ଧନର ଅଧିକାରୀ ହେଲ ?’’

 

ସତ୍ୟବାହ ଶ୍ରେଷ୍ଠୀଙ୍କ କଥାନୁସାରେ ମଲାମୂଷା ଆଣି କିପରି ନିଜର ଭାଗ୍ୟ ପରିବର୍ତ୍ତନ କରିପାରିଅଛନ୍ତି, ତାହାସବୁ ବର୍ଣ୍ଣନା କରିଗଲେ । ଚୁଲ୍ଲ ଶ୍ରେଷ୍ଠୀ ତାଙ୍କ ଉଦ୍ୟମର ବିଶେଷ ପ୍ରଶଂସା କରିଥିଲେ ଏବଂ ନିଜର ଏକମାତ୍ର କନ୍ୟାକୁ ତାଙ୍କ ସହିତ ବିବାହ କରିଦେଲେ ।

 

ସେତେବେଳେ ସେ କହିଥିଲେ–

 

‘‘ମେଧାବୀ, ଉଦଯୋଗୀ ଯେ ଜନ,

ଲଭେ ଖ୍ୟାତି ସେ କାଳେ,

ଅକର୍ମା ଭାଗ୍ୟକୁ ସୁମରି

ମିଛେ ଲୋତକ ଢାଳେ ।

କୁହୁଳା ନିଆଁକୁ ଫୁଙ୍କିଲେ

ହୁତାଶନ ପ୍ରବଳ,

କୋଟିପତି ହୁଏ ଉଦଯୋଗୀ

ଅଳ୍ପ ଧନେ କେବଳ ।’’

 

ଚୁଲ୍ଲ ଶ୍ରେଷ୍ଠୀଙ୍କ ଅନ୍ତେ ସତ୍ୟବାହ ତାଙ୍କର ସମସ୍ତ ସମ୍ପତ୍ତିର ଅଧିକାରୀ ହେଲେ ଓ ସହରର ସର୍ବଶ୍ରେଷ୍ଠ ଶ୍ରେଷ୍ଠୀ ବୋଲି ଗଣ୍ୟ ହେଲେ ।

 

ପ୍ରଶ୍ନ

 

୧.

ଶ୍ରେଷ୍ଠୀ, ବିଚାରବୁଦ୍ଧିସମ୍ପନ୍ନ, ଉଦଯୋଗୀ, ଜଳପଥକର୍ମଚାରୀ, ସ୍ଥଳପଥକର୍ମଚାରୀ, ଚୁଲ୍ଲ ଅନ୍ତେବାସ, ମେଧାବୀ–ଏଗୁଡ଼ିକର ଅର୍ଥ କଅଣ ?

୨.

ସତ୍ୟବାହ ମଲାମୂଷାଟି ପରିବର୍ତ୍ତରେ ଯେଉଁ ଗୁଡ଼ ପାଇଲେ, ତାହା ନିଜେ ନ ଖାଇଲେ କାହିଁକି ?

୩.

ଚୁଲ୍ଲ ଶ୍ରେଷ୍ଠୀ ସତ୍ୟବାହଙ୍କଠାରୁ ସବୁ କଥା ଶୁଣି ଯେ ଗାଥା ଗାଇଥିଲେ, ତାହା ବୁଝାଇ ଦିଅ-

୪.

ହୁତାଶନ, ନୌକା, ବାଳକ, ଲୋକ–ଏଗୁଡ଼ିକର ତିନି ଗୋଟି ଲେଖାଏଁ ପ୍ରତିଶବ୍ଦ କହ ।

୫.

କର ଓ ବର–ଏ ପ୍ରତ୍ୟେକର ପାଞ୍ଚୋଟି ଲେଖାଏଁ ଅର୍ଥ କର ଓ ସେହି ଅର୍ଥ ବୁଝାଉଥିବା ଗୋଟିଏ ଲେଖାଏଁ ବାକ୍ୟ କହ ।

Image

 

କୃତଘ୍ନ ବନ୍ଧୁ

 

ମଗଧ ରାଜ୍ୟର ରାଜଗୃହ ନଗରରେ ‘ଶଙ୍ଖ’ ନାମକ ଜଣେ ଧନୀ ବ୍ୟବସାୟୀ ଥିଲେ । ସେହି ସମୟରେ ବାରାଣସୀ ନଗରରେ ମଧ୍ୟ ଜଣେ ଧନକୁବେର ବଣିକ ଥିଲେ । ତାଙ୍କ ନାମ ‘ପିଲିୟ’ । ସେ ଦୁଇ ଜଣଙ୍କ ଭିତରେ ଯଥେଷ୍ଟ ମୈତ୍ରୀ ଥିଲା । ବାରାଣସୀ ଓ ରାଜଗୃହ ମଧ୍ୟରେ ସମ୍ବନ୍ଧ ରହିଥିଲା । ବାଣିଜ୍ୟ ଉପଲକ୍ଷରେ ଦୁଇ ମିତ୍ରଙ୍କର ପ୍ରାୟ ପ୍ରତିବର୍ଷ ଦେଖାସାକ୍ଷାତ୍ ହେଉଥାଏ-। ଦୈବୀଦୁର୍ବିପାକରୁ ପିଲିୟଙ୍କର ବହୁ ସହସ୍ର ଶଗଡ଼ ପଣ୍ୟଦ୍ରବ୍ୟ ଡକାୟତମାନଙ୍କଦ୍ୱାରା ଲୁଣ୍ଠିତ ହୋଇଗଲା । ବ୍ୟବସାୟ ବାଣିଜ୍ୟର ଶ୍ରୀବୃଦ୍ଧି ଲାଗି ସେ ରାଜଭଣ୍ଡାରରୁ ଓ ଆଉ କେତେକ ଧନୀ ମହାଜନମାନଙ୍କଠାରୁ ଋଣ ଗ୍ରହଣ କଲେ । ଶେଷରେ ଋଣଦାୟରେ ସର୍ବସ୍ୱାନ୍ତ ହୋଇଗଲେ-। ତାଙ୍କର ଘରବାଡ଼ି ମଧ୍ୟ ଋଣ ବାବଦକୁ ମହାଜନମାନେ ନିଜର କରିନେଲେ ।

 

ପିଲିୟ କେଉଁଠାରେ ମୁଣ୍ଡ ଗୁଞ୍ଜି ରହିବେ, ତାହାର ସୁବିଧା କରି ନ ପାରି ରାଜଗୃହସ୍ଥ ବନ୍ଧୁ ଶଙ୍ଖଙ୍କ ଗୃହରେ ଆସି ଉପସ୍ଥିତ ହେଲେ । ଶଙ୍ଖ ବନ୍ଧୁଙ୍କୁ ଏପରି ଅବସ୍ଥାରେ ପାଇ ଯେପରି ମର୍ମାହତ ହେଲେ, ସେହିପରି ଆନନ୍ଦିତ ବି ହେଲେ । ସେ ପିଲିୟଙ୍କୁ ଆଲିଙ୍ଗନ କରି ପାଖରେ ବସାଇଲେ ଏବଂ କୁଶଳ ପ୍ରଶ୍ନାଦି ଜିଜ୍ଞାସା କଲେ ।

 

ପିଲିୟ ଦୀର୍ଘ ନିଶ୍ୱାସ ପକାଇ କହିଲେ, ‘‘ଭାଇ ! ମୋର ସର୍ବସ୍ୱ ଯାଇଅଛି । ମୁଁ ବର୍ତ୍ତମାନ ପଥର ଭିକାରୀ । ତୁମ ପାଖକୁ ସାହାଯ୍ୟ ଭିକ୍ଷା ଲାଗି ଆସିଅଛି ।’’ ଏହା କହି ସେ ନିଜର ଅବସ୍ଥା ଆନୁପୂର୍ବିକ ବର୍ଣ୍ଣନା କଲେ ।

 

ଶଙ୍ଖ ବନ୍ଧୁଙ୍କ ବିପଦରେ ଆନ୍ତରିକ ବ୍ୟଥିତ ହୋଇ କହିଲେ, ‘‘ବନ୍ଧୁ ! ଏଥିପାଇଁ ଦୁଃଖ କରି ଲାଭ କଅଣ ? ତୁମେ ମୋର ସହୋଦର ଭାଇଠାରୁ ବେଶି ଆପଣାର । ମୋର ବର୍ତ୍ତମାନ ଥିବା ସମ୍ପତ୍ତିର ଅର୍ଦ୍ଧେକ ତୁମର । ମୋର ଦାସଦାସୀ ଓ ସ୍ଥାବର ଅସ୍ଥାବର ସମ୍ପତ୍ତିରୁ ଅର୍ଦ୍ଧେକ ତୁମେ ନିଅ । ତୁମେ ନେଲା ପରେ ବାକି ମୋର ଯାହା ରହିବ, ତାହା ମୋ ପକ୍ଷରେ ଯଥେଷ୍ଟ ହେବ ।’’

 

ପିଲିୟ ଅମ୍ଳାନବଦନରେ ବନ୍ଧୁଙ୍କ ସମ୍ପତ୍ତିରୁ ଅର୍ଦ୍ଧେକ ଅଧିକାର କରି ବାରାଣସୀ ନଗରକୁ ଫେରିଗଲେ । ପୁଣି ବ୍ୟବସାୟ କରି ପୂର୍ବର ଖ୍ୟାତି ଓ ପ୍ରତିପତ୍ତି ଫେରାଇ ଆଣିଲେ ।

 

ଶଙ୍ଖ ଅତ୍ୟଧିକ ଦାନଧର୍ମ କରୁଥିଲେ । ତା ଫଳରେ କାଳକ୍ରମେ ସେ ସର୍ବସ୍ୱାନ୍ତ ହୋଇପଡ଼ିଲେ । ସେତେବେଳେ ସେ ମନେକଲେ–ବନ୍ଧୁଙ୍କ ପାଖକୁ ଯାଉଛି । ବିପଦକାଳରେ ବନ୍ଧୁ ହିଁ କେବଳ ସହାୟକ । ତା ବ୍ୟତୀତ ମୁଁ ତାଙ୍କୁ ମୋର ଯାବତୀୟ ସମ୍ପତ୍ତିର ଅର୍ଦ୍ଧେକ ପ୍ରଦାନ କରିଅଛି । ସେ ମୋର ଏ ଦୁର୍ଦ୍ଦଶା ଦେଖି ନିଶ୍ଚୟ ସାହାଯ୍ୟ କରିବେ ।’’

 

ଶଙ୍ଖ ପତ୍ନୀଙ୍କୁ ସଙ୍ଗରେ ଧରି ବାରାଣସୀରେ ଯାଇ ପହଞ୍ଚିଲେ । ସେଠାରେ ଗୋଟିଏ ଧର୍ମଶାଳାରେ ପ୍ରଥମେ ଆଶ୍ରୟ ନେଲେ । ପତ୍ନୀଙ୍କୁ ସେଠାରେ ରଖାଇ ସେ କହିଲେ, ‘‘ମୋର ବର୍ତ୍ତମାନ ଦୁରବସ୍ଥା ହୋଇଅଛି ସତ, ତଥାପି ତୁମେ ରାଜପଥରେ ଯେ ନଗ୍ନପଦରେ ଚାଲି ଚାଲି ଯିବ, ତାହା ସୁନ୍ଦର ହେବ ନାହିଁ । ଏହିଠାରେ ତୁମେ ଅପେକ୍ଷା କରିଥାଅ । ମୁଁ ବନ୍ଧୁ ଗୃହକୁ ଯାଉଅଛି; ସେଠାରୁ ତୁମ ପାଇଁ ଯାନବାହାନ ପଠାଇଦେବି ।’’

 

ପତ୍ନୀ ଏଥିରେ ସମ୍ମତ ହେଲେ । ଶଙ୍ଖ ପତ୍ନୀଙ୍କୁ ସେଠାରେ ରଖି ବନ୍ଧୁଗୃହକୁ ଗଲେ ।

 

ଶଙ୍ଖଙ୍କୁ ଦୂରରୁ ଦେଖି ପିଲିୟ ବୁଝିପାରିଲେ ଯେ, ଶଙ୍ଖ ପଥର ଭିକାରୀ ହୋଇପଡ଼ିଲେଣି । ଏପରି ଦରିଦ୍ର ବ୍ୟକ୍ତିକୁ ନିଜର ବନ୍ଧୁ ବୋଲି ପରିଚୟ ଦେବାକୁ ସେ କୁଣ୍ଠାବୋଧ କଲେ ।

 

ଶଙ୍ଖ ପାଖକୁ ଅସିଲାରୁ ସେ ତାଙ୍କୁ କୌଣସି ପ୍ରକାର ଆଦର ଆପ୍ୟାୟନ କଲେ ନାହିଁ; ବରଂ କଠୋର ସ୍ୱରରେ କହିଲେ, ‘‘ମୋର ତ ବର୍ତ୍ତମାନ ତୁମ ସହିତ କଥାବାର୍ତ୍ତା କରିବାକୁ ବେଶି ସମୟ ନାହିଁ । ତେବେ ତୁମେ ଆସି କେଉଁଠାରେ ଓହ୍ଲାଇଅଛ ?’’

 

ଶଙ୍ଖ ଉତ୍ତର ଦେଲେ, ‘‘ମୁଁ ଆସି ଧର୍ମଶାଳାରେ ରହିଅଛି । ମୋ ସ୍ତ୍ରୀ ମଧ୍ୟ ଆସିଛନ୍ତି; ମାତ୍ର ସେଠାରେ ମୁଁ ଖାଇବି କଅଣ ? ମୋର ସର୍ବସ୍ୱ ଯାଇଅଛି; ତେଣୁ ମୁଁ ତୁମର ସାହାଯ୍ୟପ୍ରାର୍ଥୀ ହୋଇ ଆସିଅଛି ।’’

ପିଲିୟ ରୂଢ଼ବାକ୍ୟରେ କହିଲେ, ‘‘ମୁଁ ତୁମଙ୍କୁ କୌଣସି ପ୍ରକାର ସାହାଯ୍ୟ କରିପାରିବି ନାହିଁ । ନିଜ ଦୋଷରୁ ଯେ ସର୍ବସ୍ୱ ହରାଏ, ତା ପ୍ରତି ଦୟା ପ୍ରଦର୍ଶନ ଅନୁଚିତ । ତୁମେ ଲକ୍ଷ୍ମୀଛଡ଼ା; ତୁମ ଉପରେ ଶନିଙ୍କର କ୍ରୂର ଦୃଷ୍ଟି ପଡ଼ିଅଛି । ତୁମଙ୍କୁ ମୁଁ ଆଶ୍ରୟ ଦେଲେ ମୋର ମଧ୍ୟ କ୍ଷତି ହେବ । ଯାଅ, ତୁମେ ତୁମର ପଥ ଦେଖ ।’’

ଶଙ୍ଖ ବିନୟସ୍ୱରରେ କହିଲେ, ‘‘ପଥ ତ ନିଶ୍ଚୟ ଦେଖିବି; କିନ୍ତୁ ରାଜଗୃହରୁ କେବଳ ତୁମରି ସାହାଯ୍ୟ ଆଶାରେ ମୁଁ ଯେ ଏତେ ଦୂର ଆସିଲି । ସାଙ୍ଗେ ସାଙ୍ଗେ କଅଣ ବିଦାୟ ନେଇ ଯିବି ? ମୋର ସ୍ତ୍ରୀ ଧର୍ମଶାଳାରେ ଅପେକ୍ଷା କରି ବସିଅଛନ୍ତି । ଦୁଇ ଦିନ ହେଲା ମଧ୍ୟ ଆମେ କିଛି ଖାଇ ନାହୁଁ ।’’

ପିଲିୟ–ତୁମେ ଖାଇ ନାହଁ ତ ମୁଁ କଅଣ କରିବି ? ଆଚ୍ଛା, ଅଢ଼ାଏ ଖୁଦ ମୁଁ ଦେଉଅଛି । ତାହା ଧରି ଏଠାରୁ ବିଦାୟ ହୁଅ, ଆଉ ଯେପରି ଏଠାକୁ ନ ଆସ ।

ଶଙ୍ଖ ମନରେ ଭାବିଲେ, ବନ୍ଧୁ ପ୍ରଦତ୍ତ ଖୁଦ ସେ ନେବେ ନାହିଁ; ମାତ୍ର ପରେ କଅଣ ଭାବି ସେ ଖୁଦତକ ଧରି ଧର୍ମଶାଳାକୁ ଫେରିଆସିଲେ ।

ପତ୍ନୀ ଏ ସମ୍ବାଦ ଶୁଣି ଅଧୈର୍ଯ୍ୟ ହୋଇ କାନ୍ଦିଉଠିଲେ ।

ତାଙ୍କର ବିକଳ କ୍ରନ୍ଦନ ଶୁଣି ସେଠାରେ ଜଣେ ବୃଦ୍ଧଲୋକ ଆସି ପହଞ୍ଚିଲେ । ସେ ବହୁଦିନ ତଳେ ଶଙ୍ଖଙ୍କ ନିକଟରେ ଚାକିରି କରୁଥିଲେ । ସେ କହିଲେ, ‘‘ମା, କାନ୍ଦ ନାହିଁ । ବ୍ୟସ୍ତ କାହିଁକି ? ମୋ ଘରକୁ ଆସ । ମୁଁ ଗରିବ ସତ; କିନ୍ତୁ ତୁମରି କୃପାରୁ ଏ ବୃଦ୍ଧବୟସରେ ପେଟକୁ ମୁଠାଏ ଖାଇବାକୁ ପାଉଅଛି । ସେଇଥିରୁ ଅର୍ଦ୍ଧେକ ତୁମ ଦୁହିଙ୍କୁ ଦେବି । ଆମୋଦପ୍ରମୋଦ ପାଇଁ ଯଥେଷ୍ଟ ସମ୍ପତ୍ତି ନ ମିଳିପାରେ; କିନ୍ତୁ ଉପବାସରେ ଆଉ ରହିବାକୁ ପଡ଼ିବ ନାହିଁ ।’’

ଶଙ୍ଖ ଶେଷକୁ ଅନ୍ୟ ଉପାୟ ନ ଦେଖି ବୃଦ୍ଧଙ୍କ କଥାରେ ସମ୍ମତି ଜଣାଇଲେ । ପତ୍ନୀଙ୍କ ସହ ସେ ବୃଦ୍ଧଙ୍କ ଘରକୁ ଗଲେ ଏବଂ ସେହିଠାରେ କିଛି ଦିନ ଆଶ୍ରୟ ନେଲେ । ବୃଦ୍ଧ, ତାଙ୍କ ସ୍ତ୍ରୀ ଓ ପିଲାମାନେ ଏମାନଙ୍କର ଯଥେଷ୍ଟ ସେବାପୂଜା କଲେ ।

ବୃଦ୍ଧ କେବଳ ଏତିକି କରି ସନ୍ତୁଷ୍ଟ ହେଲେ ନାହିଁ । ତାଙ୍କୁ ପିଲିୟଙ୍କର ଏ ଅନ୍ୟାୟ ବଡ଼ ଅସହ୍ୟ ବୋଧ ହେଲା । ସେ ଯାଇ ବାରାଣସୀର ରାଜାଙ୍କ ନିକଟରେ ପିଲିୟଙ୍କ ବିରୁଦ୍ଧରେ ନାଲିଶ କଲେ ।

ରାଜା ଦୁଇ ବନ୍ଧୁଙ୍କୁ ରାଜଦରବାରକୁ ଡକାଇନେଲେ । ଉଭୟଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ପଚାରି ପୂର୍ବର ସବୁ କଥା ବୁଝିଗଲେ । ଶଙ୍ଖଙ୍କ ସର୍ବସ୍ୱର ଅର୍ଦ୍ଧେକ ପାଇଅଛନ୍ତି ବୋଲି ପିଲିୟ ବାଧ୍ୟ ହୋଇ ରାଜଦରବାରରେ ସ୍ୱୀକାର କଲେ ।

Image

ରାଜା ପାତ୍ରମନ୍ତ୍ରୀଙ୍କ ସହ ପରାମର୍ଶ କରି ଆଦେଶ ଦେଲେ ଯେ, ‘‘ଏତେ ବଡ଼ ଅକୃତଜ୍ଞ ପାଷାଣ୍ଡ ମୋ ରାଜ୍ୟରେ ଯଦି ବାସ କରେ, ତେବେ ରାଜ୍ୟର ନିଶ୍ଚୟ ଅମଙ୍ଗଳ ହେବ; ମୋର ରାଜଶାସନର ଗୌରବ କ୍ଷୁଣ୍ଣ ହୋଇଯିବ । ଏହି କୃତଘ୍ନ ଯଦି ଧନକୁବେର ରହି ରାଜ୍ୟବାସୀ ସମସ୍ତଙ୍କର ସମ୍ମାନଲାଭର ପାତ୍ର ହୁଏ, ତାହାହେଲେ ବଡ଼ ଅନାଚାର ଘଟିବ; ନ୍ୟାୟ ଦୃଷ୍ଟିରୁ ଅଶୋଭନୀୟ ହେବ । ମୋର ଆଦେଶ, ପିଲିୟର ସର୍ବସ୍ୱ କାଢ଼ି ନେଇ ଶଙ୍ଖ ଶ୍ରେଷ୍ଠୀଙ୍କୁ ପ୍ରଦାନ କରାଯାଉ; ତାହାହେଲେ ଶଙ୍ଖ ସ୍ଵଚ୍ଛନ୍ଦରେ ଚଳିବେ ଏବଂ ମୋ ରାଜ୍ୟରେ ନ୍ୟାୟର ମର୍ଯ୍ୟାଦା ରକ୍ଷା ହେବ । ଯେଉଁ ପାଷାଣ୍ଡ ସର୍ବସ୍ୱର ଅର୍ଦ୍ଧେକ ପରିବର୍ତ୍ତରେ ଅଢ଼ାଏ ଖୁଦ ଦିଏ, ତା ପାଇଁ ଏ ଉପଯୁକ୍ତ ଶିକ୍ଷା ।’’

 

ସେହି ଅନୁସାରେ କର୍ମଠ ଗୋଧିସବୁ ନିଜ ନିଜ ଗର୍ତ୍ତର ଦୁଇଟି ଦ୍ଵାର କରିନେଲେ । ଯେଉଁମାନେ ଅଳସ, ସେମାନେ ପ୍ରତ୍ୟହ ଭାବନ୍ତି ଯେ କାଲି ଦ୍ଵାରମୁହଁ ଖୋଳିବାକୁ ହେବ; ମାତ୍ର ପର ଦିନ ତାହା ଭୁଲିଯାଆନ୍ତି । ଏହିପରି ବହୁ ଦିନ ଯାଏ ସେମାନେ ତାହା କରିପାରିଲେ ନାହିଁ ।

 

ଏହି ସମୟରେ ଗ୍ରୀଷ୍ମଋତୁ ଯାଇ ବର୍ଷାଋତୁ ଆସିଲା । ପ୍ରଥମ ବର୍ଷା ହେବାରୁ ଭୂଇଁତଳୁ ଝଡ଼ିପୋକ ବାହାରି ଉପରେ ଉଡ଼ିଲେ । ଗୋଧିସବୁ ସେମାନଙ୍କୁ ଖାଇବା ଆଶାରେ ପଦାରେ ବୁଲିଲେ ।

 

ଜଣେ ଗୋଧିଶିକାରୀ ହାତରେ ନିଆଁହୁଳା, ସାଙ୍ଗରେ ଗୁଡ଼ିଏ ଶିକାରୀ କୁକୁର ଧରି ଆସି ସେଠାରେ ପହଞ୍ଚିଗଲା ।

 

ଏଣ୍ଡୁଅ ଦେଖିଲା, ଗୋଧିବଂଶ ନାଶ କରିବାର ଏ ଉପଯୁକ୍ତ ସମୟ । ସେ ଶିକାରୀ ପାଖକୁ ଯାଇ କହିଲା, ‘‘ତୁମେ ଏପରି ଅବସ୍ଥାରେ ଏ ବଣରେ ବୁଲୁଅଛ କାହିଁକି ?’’

 

ଶିକାରୀ ଉତ୍ତର ଦେଲା, ‘‘ଗୋଧି ଶିକାର କରିବା ଉଦ୍ଦେଶ୍ୟରେ ।’’

 

‘‘ବେଶ୍, ତେବେ ମୋ ସହିତ ଆସ । ମୁଁ ଏପରି ଗୋଟିଏ ସ୍ଥାନ ଦେଖାଇଦେବି, ଯେଉଁଠାରୁ କି ତୁମେ ଏକ ସମୟରେ ପାଞ୍ଚଶତ ଗୋଧି ପାଇବ ।’’ ଏହା କହି ଏଣ୍ଡୁଅ ଶିକାରୀକୁ ଗୋଧିସବୁ ରହିଥିବା ସ୍ଥାନକୁ ନେଇଗଲା । ଶିକାରୀ ବହୁତଗୁଡ଼ିଏ ଗୋଧିଗାତ ଦେଖି ଏଣ୍ଡୁଅ କଥାରେ ବିଶ୍ୱାସ ଗଲା । ସେ ଅରଣ୍ୟର ଗୋଟିଏ ପାଖରେ ନିଆଁ ଲଗାଇଦେଲା, ଅନ୍ୟ ପାଖରେ ଶିକାରୀ କୁକୁରସବୁଙ୍କୁ ଜଗାଇଦେଲା-

 

ନିଆଁତାତି ଅସହ୍ୟ ହେବାରୁ ଗୋଧିସବୁ ଗାତରୁ ପଦାକୁ ବାହାରି ଆସିଲେ । ଶିକାରୀ ସେମାନଙ୍କୁ ସାଙ୍ଗେ ସାଙ୍ଗେ ପିଟି ମାରିପକାଇଲା । ଯେଉଁମାନେ ଅନ୍ୟ ଦିଗରେ ପଳାଇଲେ, ସେମାନଙ୍କୁ କୁକୁର ମାଡ଼ି ବସିଲେ ।

 

ଯେଉଁ ଗୋଧିମାନେ ନିଜ ଘରର ଦୁଇଟି ଦ୍ୱାରମୁହଁ କରିଥିଲେ, ସେମାନେ ଅନ୍ୟ ଦ୍ୱାରମୁହଁ ବାଟେ ପଳାଇଗଲେ; ସେମାନଙ୍କର କୌଣସି କ୍ଷତି ହେଲା ନାହିଁ । ମାତ୍ର ଯେଉଁମାନେ ଆଳସ୍ୟ ହେତୁ ଦ୍ଵିତୀୟ ଦ୍ୱାରଟି କରିପାରି ନ ଥିଲେ, ସେହିମାନେ ହିଁ ଛଟପଟ ହୋଇ ପ୍ରାଣ ଦେଲେ-

 

ପିଲ୍ଲେଗୋଧିକୁ ଗୋଟିଏ ହିଂସ୍ର କୁକୁର ମାଡ଼ିବସି କାମୁଡ଼ି ଧଇଲା ବେଳେ ଏଣ୍ଡୁଅ ଅଳ୍ପ ଦୂରରେ ରହି ତାହା ଆନନ୍ଦରେ ଦେଖୁଥିଲା । ପିତାଙ୍କ କଥା ଅମାନ୍ୟ କରିଥିବାରୁ ଅନୁଶୋଚନା କରି ସେତେବେଳେ ପିଲ୍ଲେଗୋଧି ଗାଇଥିଲା–

 

‘‘ପାପୀଙ୍କ ସଙ୍ଗତେ ସଙ୍ଗୀ ହେବା ପାଇଁ,

ପିତା ମୋତେ କେତେ କରିଥିଲେ ନାହିଁ ।

ଗୁରୁଜନ ବାକ୍ୟ ଲଙ୍ଘିବା କାରଣ,

ଅକାଳରେ ଆଜି ହୋଇଲା ମରଣ ।’’

 

ପ୍ରଶ୍ନ

 

୧.

ଝଡ଼ିପୋକ, ଏଣ୍ଡୁଅ ଓ ଗୋଧିର ରୂପ ବର୍ଣ୍ଣନା କର ।

୨.

ଷଡ଼ଯନ୍ତ୍ର, ଅମଙ୍ଗଳ, କାଣିଚାଏ, ସୁଖଦାୟକ, ଅସହ୍ୟ–ଏଗୁଡ଼ିକର ଅର୍ଥ କଅଣ ?

୩.

ଯେ ଅଳସୁଆ, ତାର ଅବସ୍ଥା କଅଣ ହୁଏ ? –ଏହା ବର୍ଣ୍ଣନା କରି ନିଜ ମନରୁ ଗୋଟିଏ ଗପ କହ ।

୪.

‘‘ଏମାନଙ୍କୁ ଏ ସ୍ଥାନରୁ ମୂଳପୋଛ ନ କଲେ, ଏଣ୍ଡୁଅ ଜାତି କଦାପି ତିଷ୍ଠି ରହିପାରିବେ ନାହିଁ-।’’ –ଏ ବାକ୍ୟକୁ ଆଉ କେତେ ପ୍ରକାର ଲେଖାଯାଇପାରେ, ତାହା ଲେଖ ।

Image

 

ମନୁଷ୍ୟ ହୁଅ

 

ଆଗେ ବାରାଣସୀରେ ଜଣେ ଧାର୍ମିକ ରାଜା ଥିଲେ । ତାଙ୍କ ନାମ ବ୍ରହ୍ମଦତ୍ତ । ବହୁତଦିନ ପରେ ତାଙ୍କର ଗୋଟିଏ ପୁଅହେଲା । ରାଜାରାଣୀଙ୍କର ପ୍ରାଣର ସଙ୍ଖାଳି, ‘ଏକୋଇରବଳା ବିଶିକେଶନ’ । ତେଣୁ ତାହାର ଆଦର ଯତ୍ନ କହିଲେ ନ ସରେ । ପୁଅର ନାମ ଦିଆଗଲା ଚନ୍ଦ୍ରଦତ୍ତ-

 

କ୍ରମେ ଚନ୍ଦ୍ରଦତ୍ତଙ୍କୁ ପାଞ୍ଚ ବର୍ଷ ହେଲା । ବିଦ୍ୟାଶିକ୍ଷା ଲାଗି ରାଜା ତାଙ୍କୁ ଗୁରୁଆଶ୍ରମରେ ଛାଡ଼ିଆସିଲେ ।

 

ଗୁରୁଆଶ୍ରମ ସେତେବେଳେ ବହୁ ଦୂରଦୂରାନ୍ତଆଗତ ଛାତ୍ରମାନଙ୍କଦ୍ୱାରା ପୂର୍ଣ୍ଣ ହୋଇଥାଏ । କେତେ ରାଜକୁମାର, କେତେ ନିଃସ୍ୱ ଦରିଦ୍ରସନ୍ତାନ–ସବୁ ଜାତି, ସବୁ ଶ୍ରେଣୀର ଶିଷ୍ୟଭକ୍ତ ସେ ଆଶ୍ରମରେ ରହି ନିଜ ନିଜ ସାଧନା ମୁତାବକ ଶାସ୍ତ୍ର ଓ ଶସ୍ତ୍ର ଶିକ୍ଷା କରୁଥାଆନ୍ତି ।

 

ଦିନେ ନୁହେଁ, ମାସେ ନୁହେଁ, ବର୍ଷେ ବି ନୁହେଁ, ପାଞ୍ଚ ବର୍ଷ; ଦଶ ବର୍ଷଯାଏ ଗୁରୁଆଶ୍ରମକୁ ସେମାନେ ନିଜ ଗୃହ ମନେ କରି ଆନନ୍ଦରେ ଚଳନ୍ତି । ନିଜ ପରିବାରର ଆଦର, ଯତ୍ନ, ସ୍ନେହ, ଶ୍ରଦ୍ଧା ସବୁ ସେହିଠାରେ ସେମାନେ ପାଆନ୍ତି । ସହପାଠୀ ମେଳରେ ପ୍ରତି ମୁହୂର୍ତ୍ତ ନାନା ପ୍ରକାର କର୍ମ ଓ ବିଦ୍ୟାଶିକ୍ଷାରେ ଏପରି କଟେ ଯେ, ପରିବାରର କଥା ମନରେ ପଡ଼ିବାକୁ ସମୟ ନ ଥାଏ ।

 

ସେ ଆଶ୍ରମଟି ବାରାଣସୀଠାରୁ ବହୁ ଦୂରରେ ଗୋଟିଏ ଅରଣ୍ୟ ମଧ୍ୟରେ ଅବସ୍ଥିତ । ଗୁରୁ ଉଦୀଚୀଙ୍କ ଖ୍ୟାତି ସେତେବେଳେ ବହୁତ ବେଶି । ତାଙ୍କ ପରି ବିଦ୍ୱାନ୍, ଧୀର, ଶାନ୍ତ, ଓ ସାଧୁପୁରୁଷ କ୍ଵଚିତ୍‍ ଅଛନ୍ତି ବୋଲି ସେତେବେଳେ ଲୋକଙ୍କର ବିଶ୍ୱାସ ଥିଲା; ତେଣୁ ସବୁ ସମୟରେ ଦୁଇସହସ୍ର ଛାତ୍ର ଶିଷ୍ୟ ସେ ଆଶ୍ରମର ଅନ୍ତେବାସୀ ହୋଇଥାଆନ୍ତି ।

 

ବାରାଣସୀର ରାଜା ଏହି ପୁଣ୍ୟକାର୍ଯ୍ୟ ପାଇଁ ଗୁରୁ ଉଦୀଚୀଙ୍କୁ କେତେକ ଜମି ଦାନ କରିଥାଆନ୍ତି । ଛାତ୍ର ଶିଷ୍ୟମାନଙ୍କଦ୍ୱାରା ସେହି ଜମି ଚାଷ କରାଯାଏ । ସେଥିରୁ ଯେଉଁ ଫସଲ ଉତ୍ପନ୍ନ ହୁଏ, ତାହା ହିଁ ଅନ୍ତେବାସୀଙ୍କୁ ଖାଦ୍ୟ ଯୋଗାଇଥାଏ । ଅତି ଅଳ୍ପ ବୟସ୍କ ଶିଷ୍ୟମାନେ ଦଳ ଦଳ ହୋଇ ଯାଇ ବଣରୁ ଫୁଲ, ଫଳ, ହୋମକାଠ ଆଦି ସଂଗ୍ରହ କରି ଆଣନ୍ତି । ତଦ୍ଦ୍ୱାରା ସେବାପୂଜା ଓ ଯଜ୍ଞ ଆଦି କରାଯାଇଥାଏ ।

 

ମୋଟଉପରେ ଉଦୀଚୀଙ୍କ ଆଶ୍ରମ ଗୋଟିଏ ଅତି ବୃହତ୍ ପରିବାର ପରି ଅରଣ୍ୟ ମଧ୍ୟରେ ରହିଥାଏ ।

 

ଚନ୍ଦ୍ରଦତ୍ତ ସେହି ଆଶ୍ରମକୁ ବିଦ୍ୟାଶିକ୍ଷା ଉଦ୍ଦେଶ୍ୟରେ ଆସିଲେ । ଗୁରୁଙ୍କ ସମ୍ମୁଖରେ ସବୁଶିଷ୍ୟ ସମାନ । ରାଜାଘର ପିଲା, ଧନୀଘରର ପିଲା ବା ଅସହାୟ ଦରିଦ୍ର ପିଲା–ଏସବୁର କିଛି ପ୍ରଭେଦ ତାଙ୍କ ପାଖରେ ନ ଥାଏ ।

 

ଚନ୍ଦ୍ରଦତ୍ତ ସବୁ ଶିଷ୍ୟ ଛାତ୍ରମାନଙ୍କ ସହ ମିଳିମିଶି ରହିଲେ, ଅନ୍ୟମାନଙ୍କ ପରି ତଳେ ନଡ଼ା ବିଛାଇ ଶୋଇଲେ, ପତ୍ରଦନାରେ ଖାଇଲେ, ଗୁରୁଙ୍କ ନିର୍ଦ୍ଦେଶ ମୁତାବକ ସାଧାରଣ କାର୍ଯ୍ୟମାନ କଲେ ।

 

ପ୍ରତ୍ୟହ ଭୋରରୁ ଉଠି ସେ ନିତ୍ୟକର୍ମ ସାରନ୍ତି । ତାହାପରେ ସାଥି ପିଲାଙ୍କ ସହ ବଣକୁ ଫୁଲ, ଫଳ ସଂଗ୍ରହ କରିବାକୁ ଯାଆନ୍ତି । ସେଠାରୁ ଆସି ବିଦ୍ୟାଚର୍ଚ୍ଚାରେ ଯୋଗ ଦିଅନ୍ତି ।

 

ଏହି ଅନୁସାରେ ଗୋଟିଏ ବର୍ଷ କଟିଗଲା । ଚନ୍ଦ୍ରଦତ୍ତଙ୍କ ମନରୁ ରାଜକୁମାର ଗର୍ବ ଉଭେଇଗଲା । ଗୁରୁ ଉଦୀଚୀଙ୍କ ସ୍ନେହ ମମତାରେ ସମସ୍ତେ ଏକାବେଳକେ ବଶ ହୋଇପଡ଼ିଲେ ।

 

ଦିନେ ଚନ୍ଦ୍ରଦତ୍ତ ଅରଣ୍ୟରୁ ସାଙ୍ଗସାଥୀଙ୍କ ସହ ଫୁଲଚାଙ୍ଗଡ଼ା ଧରି ଫେରୁଅଛନ୍ତି, ଦେଖିଲେ ବାଟରେ ଗୁଡ଼ିଏ ତିଳ ଶୁଖୁଅଛି ।

 

ଚନ୍ଦ୍ରଦତ୍ତ ପ୍ରଥମ ହୋଇ ସେଦିନ ତିଳ ଦେଖିଲେ । ତାହାର ସ୍ୱାଦ କିପରି, ତାହା ଜାଣିବାକୁ ତାଙ୍କ ମନ ଅଥୟ ହେଲା । ମାତ୍ର ଅନ୍ୟ ଲୋକର ଦ୍ରବ୍ୟ ହରଣ କରିବା ମହାପାପ–ଏ ଭୟରେ ସେ ଘୁଞ୍ଚିଆସିଲେ ।

 

ଆଶ୍ରମର ଅଳ୍ପ ଦୂରରେ ଗୋଟିଏ ବୁଢ଼ୀ କୁଡ଼ିଆ କରି ରହିଥାଏ । ସେ ପ୍ରତ୍ୟହ କିଛି ତିଳ ଆଣି ସେଠାରେ ଶୁଖାଏ; ଶୁଖିଗଲେ ତାକୁ କୁଟି ରାନ୍ଧି ଖାଏ ।

 

ବହୁଦିନ ହେଲା ବୃଦ୍ଧା ସେ ସ୍ଥାନରେ ଏହିପରି ତିଳ ଶୁଖାଇ ଆସୁଅଛି । କୌଣସି ପ୍ରକାର ଚୋରଭୟ ନ ଥିବାରୁ ଜଗି ବସିବା ଦରକାର ପଡ଼େ ନାହିଁ । ସନ୍ଧ୍ୟା ସମୟରେ ଆସି ସେ ତାହା ତୋଳିନିଏ ।

 

ଚନ୍ଦ୍ରଦତ୍ତ ପ୍ରଥମ ଦିନ ତିଳ ଦେଖି ଆଶ୍ରମକୁ ଚାଲିଆସିଲେ । ଦ୍ଵିତୀୟ ଦିନ ମଧ୍ୟ ସେ ସ୍ଥାନରେ ତିଳ ଶୁଖୁଥିବାର ସେ ଦେଖିଲେ । ସେଥିରୁ ମୁଠାଏ ଆଣି ଖାଇବାକୁ ତାଙ୍କର ପ୍ରବଳ ଆକାଂକ୍ଷା ହେଲା; ମାତ୍ର ଗୁରୁଙ୍କ ଉପଦେଶ ମନେପଡ଼ିଗଲା, ‘‘ପର ଦ୍ରବ୍ୟକୁ କଦାପି ଲୋଭ କରିବ ନାହିଁ ।’’

 

‘‘ପରଦ୍ରବ୍ୟ ଦେଖି ଯାର ଲୋଭ ହୁଏ ମନେ,

ନିଜକୁ କରଇ ଧନୀ ଯେହୁ ପରଧନେ,

ପର ପରିଶ୍ରମ ଫଳ ଯେ ବସି ଭୁଞ୍ଜଇ,

କର୍ମ୍ମକୁଣ୍ଠ ଅଳସ କେ ତାହା ପରି ନାହିଁ ।’’

 

ଚନ୍ଦ୍ରଦତ୍ତ ପୁଣି ଭାବିଲେ, ‘‘ଏ ତିଳ ଅନ୍ୟର; ମୋର ନୁହେଁ କି ମୁଁ ଏଥିପାଇଁ କିଛି ପରିଶ୍ରମ କରି ନାହିଁ । ତେବେ ଏ ତିଳ ଖାଇବି କିପରି ?’’

 

ସେଦିନ ସେ ମନର ଲୋଭ ଦମନ କରି ସାଥୀ ପିଲାଙ୍କ ସହ ଚାଲିଆସିଲେ ।

 

ତୃତୀୟ ଦିନ ମଧ୍ୟ ସେହି ବାଟ ଦେଇ ପିଲାଏ ଗଲେ । ଚନ୍ଦ୍ରଦତ୍ତ ଦେଖିଲେ ଯେ ପୂର୍ବପରି ତିଳ ଶୁଖୁଅଛି ।

 

ସେଦିନ ଆଉ ସେ ନିଜକୁ ସମ୍ଭାଳିପାରିଲେ ନାହିଁ । ସବୁ ପିଲାଙ୍କଠାରୁ ଟିକିଏ ପଛରେ ରହିଗଲେ । ପିଲାଏ କିଛି ବାଟ ଆଗକୁ ଚାଲିଯିବାରୁ ସେ ନଇଁପଡ଼ି ମୁଠାଏ ତିଳ ଉଠାଇନେଲେ । ତାହା ହଠାତ୍ ପାଟିରେ ପୂରାଇ ଚୋବାଇ ଚୋବାଇ ଅରଣ୍ୟକୁ ଚାଲିଗଲେ ।

 

ସେଦିନ ସନ୍ଧ୍ୟାକୁ ବୁଢ଼ୀ ଆସି ଦେଖିଲା, ଗୋଟାଏ ସ୍ଥାନରୁ ମୁଠାଏ ତିଳ କିଏ ନେଇଯାଇଅଛି । ସେ ବଡ଼ ଆଶ୍ଚର୍ଯ୍ୟ ହୋଇଗଲା । କୌଣସି ଦିନ ତ ତାହାର ତିଳ ଏପରି କମ୍ ହୋଇ ନ ଥାଏ । ତେବେ ଆଜି କାହିଁକି ହେଲା ? ଆଜି ମୁଠାଏ ଖଣ୍ଡିଆ କରି କିଏ ନେଲା ?

 

ପରଦିନ ବୁଢ଼ୀ ପୂର୍ବ ପରି ତିଳ ଶୁଖାଇଦେଇ ଆସିଲା । ସନ୍ଧ୍ୟାକୁ ଦେଖିଲା, ସେଦିନ ବି ମୁଠାଏ ତିଳ କିଏ ନେଇଅଛି ।

 

ବୁଢ଼ୀ ମନରେ ସନ୍ଦେହ ହେଲା । ପରଦିନ ସେ ତିଳ ଶୁଖାଇଦେଇ ଖଣ୍ଡଦୂରରେ ଲୁଚି ବସିରହିଲା ।

 

ସେଦିନ ବି ଚନ୍ଦ୍ରଦତ୍ତ ସାଙ୍ଗ ପିଲାଙ୍କଠାରୁ ପଛରେ ରହିଗଲେ । ଚାରିଆଡ଼କୁ ଚାହିଁ ନଇଁପଡ଼ି ମୁଠାଏ ତିଳ ଉଠାଇ ଆଣିଲେ । ସେ ତାକୁ ପାଟିରେ ପୂରାଇବାକୁ ଯାଉଅଛନ୍ତି, ବୁଢ଼ୀ ଉଠି ଡାକ ପକାଇଲା ।

 

ବୁଢ଼ୀ ଭାବିଥିଲା, ‘‘ପିଲାଟି କ୍ଷୁଧାର୍ତ୍ତ ଅଛି । ଶୁଖିଲା ତିଳ ଚୋବାଇ ଖାଇଲେ ତାକୁ କଷ୍ଟ ହେବ । କିଛି ତିଳ-ଅନ୍ନ ତାକୁ ଖାଇବାକୁ ଦେବା ଦରକାର ।’’

 

ସେ ପାଟି କରି କହିଲା, ‘‘ବତ୍ସ ! ସେ ମୁଠାକ ତିଳରେ ତ ତୋର କ୍ଷୁଧା ଦୂର ହେବ ନାହିଁ-। ନେ, ମୋ ପାଖରେ ତିଳଅନ୍ନ ଅଛି, ମନବୋଧ କରି ଖାଇ କ୍ଷୁଧା ଦୂର କର ।’’

 

ମାତ୍ର ଚନ୍ଦ୍ରଦତ୍ତଙ୍କର ଏତେ କଥା ଶୁଣିବାକୁ ଧୈର୍ଯ୍ୟ କାହିଁ ? ସେ ବୃଦ୍ଧାର ଶବ୍ଦ ଶୁଣିବାକ୍ଷଣି ତିଳମୁଠାକ ଫିଙ୍ଗିଦେଇ ସେଠାରୁ ପଳାଇଗଲେ ।

 

ବୁଢ଼ୀ ଏଥିରୁ ସ୍ପଷ୍ଟ ବୁଝିପାରିଲା ଯେ, ପିଲାଟି କ୍ଷୁଧାର୍ତ୍ତ ନୁହେଁ, ଲୋଭୀ । ଜିହ୍ୱାଲାଳସା ସମ୍ଭାଳି ନ ପାରି ସେ ପ୍ରତ୍ୟହ ମୁଠାଏ ଲେଖାଏଁ ତିଳ ନେଉଅଛି । ଏପରି ଅସଞ୍ଜତ ହେବା ତ ଠିକ୍ ନୁହେଁ । ପୁଣି ପିଲାଟି ଦିନୁଁ ଏହିପରି ଚୋରି କଲେ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏ ମନ୍ଦ ଅଭ୍ୟାସ ମଧ୍ୟ ବୃଦ୍ଧି ପାଇବ; ପିଲାଟି ଦୁଶ୍ଚରିତ୍ର ହୋଇଯିବ ।

 

ବୁଢ଼ୀ ଏହା ଭାବି ସାଙ୍ଗେସାଙ୍ଗେ ଆଶ୍ରମକୁ ଆସିଲା । ଗୁରୁଦେବଙ୍କୁ ସାକ୍ଷାତ କରି ତିଳଚୋରି ବୃତ୍ତାନ୍ତ ସମସ୍ତ ବର୍ଣ୍ଣନା କଲା । ଗୁରୁ ଚନ୍ଦ୍ରଦତ୍ତଙ୍କୁ ନିକଟକୁ ଡକାଇ ଆଣିଲେ । ବୁଢ଼ୀ ଆଗରେ ତାଙ୍କୁ ବହୁ ତିରସ୍କାର ଓ ପ୍ରହାର କଲେ ।

 

ସେହି ଦିନୁ ସେ ନିର୍ଦ୍ଦେଶ ଦେଲେ, ଆଶ୍ରମରେ ଚନ୍ଦ୍ରଦତ୍ତଙ୍କ ଲାଗି ପ୍ରତ୍ୟହ ତିଳ-ଅନ୍ନ ରନ୍ଧାଯିବ ।

 

ଚନ୍ଦ୍ରଦତ୍ତ ଏ ଅପମାନ ପାଇ ଓ ପ୍ରହାର ଖାଇ ସଙ୍କୁଚିତ ହୋଇପଡ଼ିଲେ । ସେ ଆଉ କେବେହେଲେ ପରର ଦ୍ରବ୍ୟ ଅପହରଣ କରିବାକୁ ମନ ବଳାଇଲେ ନାହିଁ ।

 

ସେ ଗୁରୁ ଆଶ୍ରମରେ ଦ୍ୱାଦଶ ବର୍ଷ ରହି ବହୁ ଶାସ୍ତ୍ର, ପୁରାଣ ଦର୍ଶନ ଓ ରାଜନୀତି ଶିକ୍ଷା କଲେ । ସେ ଯେ ଜଣେ ବଡ଼ ପଣ୍ଡିତ ଓ ଜ୍ଞାନୀ–ଏହା ସମସ୍ତେ ହୃଦୟଙ୍ଗମ କଲେ ।

 

ଦ୍ୱାଦଶ ବର୍ଷ ପରେ ଚନ୍ଦ୍ରଦତ୍ତ ରାଜନବରକୁ ଫେରିଲେ । କିଛି ଦିନ ପରେ ପିତା ବ୍ରହ୍ମଦତ୍ତଙ୍କର ପରଲୋକ ହେବାରୁ ସେ ରାଜଗାଦିରେ ଅଭିଷିକ୍ତ ହେଲେ । ଶାସନକ୍ଷମତା ପାଇବା ମାତ୍ରକେ ପ୍ରଥମେ ସେ ଦୂତ ପଠାଇ ଆଶ୍ରମରୁ ଗୁରୁ ଉଦୀଚୀଙ୍କୁ ଡକାଇ ଆଣିଲେ ।

 

ଗୁରୁ ଆସି ରାଜସଭାରେ ପହଞ୍ଚିଲେ । ସେଠାରେ ପାତ୍ରମନ୍ତ୍ରୀ, ରାଜ୍ୟର ପଣ୍ଡିତ ଓ ବହୁ ପାଖଲୋକ ବସିଥାଆନ୍ତି । ସମସ୍ତେ ଭାବିଥିଲେ, ରାଜା ଗୁରୁପୂଜା କରିବାକୁ, ଗୁରୁଙ୍କୁ ଉପଯୁକ୍ତ ସମ୍ବର୍ଦ୍ଧନା କରିବାକୁ ନିମନ୍ତ୍ରଣ କରି ଆଣିଅଛନ୍ତି । ମାତ୍ର ଗୁରୁ ଆସି ସିଂହାସନ ତଳେ ଠିଆହେଲେ ମଧ୍ୟ ରାଜା ନିଜ ଆସନରୁ ଉଠିଲେ ନାହିଁ କି ଗୁରୁଙ୍କୁ ତିଳେ ହେଲେ ସମ୍ମାନ ପ୍ରଦର୍ଶନ କଲେ ନାହିଁ ।

 

ଏହା ଦେଖି ଦରବାରର ଲୋକେ ବଡ଼ କ୍ଷୁବ୍ଧ ହେଲେ । ମାତ୍ର ପର ମୁହୂର୍ତ୍ତରେ ଯାହା ଘଟିଲା, ସେଥିରେ ସମସ୍ତେ ଏକାବେଳକେ ଚମକି ଉଠିଲେ ।

 

ରାଜା ଭୃତ୍ୟକୁ ଡାକି ଆଦେଶ ଦେଲେ, ‘‘ଏ ବୃଦ୍ଧଙ୍କ ପିଠିରେ ବର୍ତ୍ତମାନ ଏହି ସ୍ଥାନରେ ଦଶ ପ୍ରହାର ବସାଅ । ତାହାହେଲେ ଯାଇ ମୋ ମନ ସନ୍ତୁଷ୍ଟ ହେବ ।’’

 

ପାତ୍ରମନ୍ତ୍ରୀ ଓ ପାଖଲୋକ ଏହାର କାରଣ କିଛି ବୁଝିପାରିଲେ ନାହିଁ । ସେମାନେ ଭାବିଲେ, ‘‘ଉଦୀଚୀ ଦେଶର ଜଣେ ବିଖ୍ୟାତ ତତ୍ତ୍ୱଦର୍ଶୀ ପଣ୍ଡିତ । ଦେଶ, ବିଦେଶ ଚାରିଆଡ଼େ ତାଙ୍କର ସମ୍ମାନ, ଆଦର; ମାତ୍ର ନିଜ ଦେଶରେ, ପୁଣି ନିଜ ଶିଷ୍ୟଦ୍ୱାରା ସେ ଏପରି ଅପମାନିତ କାହିଁକି ? ରାଜା ବା ରାଜ୍ୟ ପକ୍ଷରେ ତ ଏହା କଦାପି ମଙ୍ଗଳକର ନୁହେଁ । ଦ୍ୱାଦଶ ବର୍ଷ ପାଖରେ ରଖି ଶିକ୍ଷାଦାନ କରିବାର କଅଣ ଏହି ଦକ୍ଷିଣା ?’’

 

ଦରବାରର ଜଣେ ବୃଦ୍ଧ ବ୍ୟକ୍ତି ଉଠି ଆପତ୍ତି ଜଣାଇଲେ ।

ରାଜା ଗମ୍ଭୀରସ୍ୱରରେ କହିଲେ, ‘‘ସହସ୍ର ସହସ୍ର ଶିଷ୍ୟ ଛାତ୍ରଙ୍କ ସମ୍ମୁଖରେ ଏ ମୋତେ ଯେଉଁ ଅପମାନ ଓ ପ୍ରହାର ଦେଇଥିଲେ, ମୁଁ ତାହାର ପ୍ରତିଶୋଧ ନେବି ।’’

ଗୁରୁଙ୍କ ଆଡ଼କୁ ଚାହିଁ ପୁଣି ସେ କହିଲେ–

‘‘ମୁଠାଏ ତିଳ ପାଇଁ ନ ବହି ଦୟା ତିଳେ,

ଦେଲ ଯେ ମାଡ଼, ତାହା ରହିଛି ମୋର ମନେ ।

ରାଜାର ପୁଅ ବୋଲି ନ ଥିଲ ଜାଣି କି ହେ ?

ରହିଛ ବଞ୍ଚି ପରା ରାଜାଙ୍କ ଦତ୍ତ ଧନେ ।’’

ଗୁରୁ ଉଦୀଚୀ ଏପର୍ଯ୍ୟନ୍ତ ନିର୍ବିକାରଚିତ୍ତରେ ଠିଆ ହୋଇ ରହିଥିଲେ । ରାଜାଙ୍କର ଏହି କଥାପଦକ ଶୁଣି ତାଙ୍କ ନେତ୍ରରୁ ଝରଝର ଲୋତକ ଝରିପଡ଼ିଲା ।

ଦରବାରର ଲୋକେ ଏହା ଦେଖି ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ । ଏଡ଼େବଡ଼ ଜ୍ଞାନୀ, ପଣ୍ଡିତ, ଧୀରସ୍ଥିର ବ୍ୟକ୍ତି ବୋଲି ସମସ୍ତେ ଜାଣନ୍ତି; ସେ ପୁଣି କାନ୍ଦୁଅଛନ୍ତି !

ମୁହଁର ଭାବଭଙ୍ଗୀରୁ ସେମାନଙ୍କ ମନର କଥା ଗୁରୁ ଜାଣିପାରିଲେ । ସେ କହିଲେ–

‘‘କେତେ ମଣିଷ ମୁଁ ଗଢ଼ିଲି

ନିତି ପିଠା ଗଢ଼ିବାର ପରିରେ,

ଜଣକର ଲାଗି ସଢ଼ିଲି,

ଆଜି ଲାଜ ଅପମାନେ ମରିରେ ।

ସବୁ ଟେକ ମୋର ଭାଜିଲା,

ଯେବେ ଅମଣିଷ ହେଲା ଜଣକ,

ପୋଡ଼ା ପିଠାଟିକ ଲାଗିରେ

ଯଥା ଛିଇଛାଆ ପିଠା ପଣକ ।’’

 

ଏହା କହି ଗୁରୁ ରାଜାଙ୍କ ତିଳଚୋରି କଥା ଓ ସେଥିପାଇଁ କି ଦଣ୍ଡ ଦିଆଯାଇଥିଲା, ତାହା ବର୍ଣ୍ଣନା କରିଗଲେ । ଶେଷରେ କହିଲେ, ‘‘ସେତେବେଳେ ଦଣ୍ଡ ଦେଇ ମୁଁ ସାବଧାନ କରାଇ ଦେଇ ନ ଥିଲେ ଏହାଙ୍କର ସେହି ସ୍ୱଭାବ କ୍ରମେ ବଢ଼ିଥାଆନ୍ତା । ଛୋଟ ଛୋଟ ଦ୍ରବ୍ୟ ଚୋରି କରୁ କରୁ ଏ ଗୋଟିଏ ବଡ଼ ଚୋର ହୋଇ ଯାଇଥାଆନ୍ତେ । ଆଜି ହୁଏତ କେଉଁଠି ବନ୍ଦୀଶାଳାରେ ରହି ଅଭିଶପ୍ତ ଜୀବନ କାଟୁଥାଆନ୍ତେ, ନ ହେଲେ ସମସ୍ତଙ୍କର ଘୃଣାର ପାତ୍ର ହୋଇଥାଆନ୍ତେ । ମୁଁ ଦଣ୍ଡ ଦେବା ଯୋଗେ ସେ ସ୍ୱଭାବ ତାଙ୍କର ଦୂର ହୋଇଅଛି । ସେ ବହୁ ଶାସ୍ତ୍ର-ପୁରାଣ ଅଧ୍ୟୟନ କରିଅଛନ୍ତି, ଆଜି ରାଜା ମଧ୍ୟ ହୋଇଅଛନ୍ତି । ମାତ୍ର ରାଜା ସିନା ହୋଇଛନ୍ତି; କିନ୍ତୁ ମନୁଷ୍ୟ ହୋଇପାରିଲେ ନାହିଁ–ମୋର ଏହି ମାତ୍ର ଦୁଃଖ । ଏହି ଦୁଃଖ ହିଁ ମୋର ହୃଦୟ ମନ୍ଥି ପକାଇଲା, ନେତ୍ରରୁ ଲୋତକ ବୁହାଇଦେଲା ।’’

 

ଏହା ଶୁଣି ପାତ୍ରମନ୍ତ୍ରୀ ଓ ପାରିଷଦ ରାଜାଙ୍କୁ ବହୁତ ଧିକ୍କାର କରିବାକୁ ଲାଗିଲେ । ରାଜା ମଧ୍ୟ ନିଜ ଦୋଷ ବୁଝିପାରି ସିଂହାସନରୁ ତଳକୁ ଓହ୍ଲାଇ ଆସିଲେ । ଗୁରୁଙ୍କ ପାଦ ଧରି ଲମ୍ବ ହୋଇ ତଳେ ପଡ଼ିଗଲେ ଏବଂ ନିଜ ମୂଢ଼ତା ଲାଗି କ୍ଷମା ମାଗିଲେ । ତାଙ୍କ ଦୁଇ ଆଖିର ଲୋତକସ୍ରୋତ ଗୁରୁଙ୍କ ଧୂଳିଧୂସରିତ ପାଦ ଧୋଇଦେଲା ।

ଗୁରୁ ଉଦୀଚୀ ତାଙ୍କୁ ଉଠାଇ କୋଳ କଲେ । ସସ୍ନେହ ହସ୍ତ ମସ୍ତକରେ ବୁଲାଇ କହିଲେ–‘‘ସୁବୁଦ୍ଧି ହେଉ, ମନୁଷ୍ୟ ହୁଅ ।’’

ପ୍ରଶ୍ନ

୧.

ବୁଢ଼ୀ କଅଣ ଭାବି ତିଳଚୋରି କଥା ଆସି ଗୁରୁଙ୍କୁ କହିଲା ?

୨.

‘ଏକୋଇରବଳା ବିଶିକେଶନ’–ପୂର୍ବାପର ସଂଗତି ସହ ଏହା ବୁଝାଇ ଦିଅ ।

୩.

ଦର୍ଶନ–ପ୍ରଦର୍ଶନ, ଆମନ୍ତ୍ରଣ–ନିମନ୍ତ୍ରଣ, ନିର୍ଦ୍ଦେଶ–ଆଦେଶ, ଚରିତ–ଚରିତ୍ର, ଶସ୍ତ୍ର–ଶାସ୍ତ୍ର, ପାରିଷଦ–ପରିଷଦ–ଏ ଯୋଡ଼ି ଯୋଡ଼ି ଶବ୍ଦ ମଧ୍ୟରେ ପ୍ରଭେଦ କଅଣ ବୁଝାଇ ଦିଅ ଓ ଏହି ଶବ୍ଦ ଲଗାଇ ଗୋଟିଏ ଗୋଟିଏ ବାକ୍ୟ କହ ।

୪.

ତାଙ୍କ ଦୁଇ ଆଖିର ଲୋତକସ୍ରୋତ ଗୁରୁଙ୍କ ଧୂଳିଧୂସରିତ ପାଦ ଧୋଇଦେଲା–ଏହି ବାକ୍ୟକୁ ତୁମ ନିଜ କଥାରେ ତିନି ପ୍ରକାରରେ ଲେଖ ।

୫.

ସିଂହାସନ ତଳେ ଗୁରୁ ଠିଆ ହୋଇ ଯେଉଁ କବିତା ବୋଲିଥିଲେ, ତାହା ବୁଝାଇ ଦିଅ ।

୬.

ସ୍ରୋତ, ଧୂଳିଧୂସରିତ, ଅବସ୍ଥିତ, ଅନ୍ତେବାସୀ, ଜିହ୍ଵାଲାଳସା, ସଙ୍କୁଚିତ, ତତ୍ତ୍ୱଦର୍ଶୀ, ଅଭିଶପ୍ତ ଜୀବନ–ଏଗୁଡ଼ିକର ଅର୍ଥ କଅଣ ?

୬.

ଶେଷରେ ଗୁରୁଦେବ ରାଜା ଚନ୍ଦ୍ରଦତ୍ତଙ୍କୁ କି ଆଶୀର୍ବାଦ କଲେ ?

୭.

ପୂର୍ବକାଳର ଗୁରୁଗୃହରେ ଛାତ୍ରମାନେ କିପରି ରହି ଶିକ୍ଷାଲାଭ କରୁଥିଲେ, ସେ ସମ୍ପର୍କରେ ଦଶଟି ବାକ୍ୟରେ ଗୋଟିଏ ପ୍ରବନ୍ଧ ଲେଖ ।

Image

 

ଲୋଭୀର ଲାଭ

 

ପୂର୍ବକାଳରେ ରାଜଗୃହରେ କୌଶିକ ନାମକ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲା । ସେ ଏପରି କୃପଣ ଥିଲା ଯେ, ପ୍ରତ୍ୟୁଷରେ ତାହାର ନାମ ଉଚ୍ଚାରଣ କଲେ ସେଦିନ ଖାଇବାକୁ ମିଳିବ ନାହିଁ ବୋଲି ଲୋକେ ବିଶ୍ଵାସ କରୁଥିଲେ । ଜୀବନରେ କେବେହେଲେ ସେ ଗାଟିଏ କପର୍ଦ୍ଦକ ସୁଦ୍ଧା କାହାକୁ ହାତ ଉଠାଇ ଦେଇ ନାହିଁ । ମୁଠାଏ ଅନ୍ନ ମଧ୍ୟ କୌଣସି କ୍ଷୁଧାର୍ତ୍ତକୁ ସେ ଦାନ କରି ନାହିଁ । ଅନ୍ୟକୁ ଦାନ କରିବା ଦୂରେ ଥାଉ, ସେ ନିଜ ପେଟକୁ ମୁଠାଏ କେବେ ସନ୍ତୋଷ କରି ଖାଏ ନାହିଁ; ସ୍ତ୍ରୀ, ପିଲାପିଲିଙ୍କୁ ମଧ୍ୟ ଗଣ୍ଡାଏ ଖାଇବାକୁ ଦିଏ ନାହିଁ । ପିତା ପ୍ରଚୁର ଅର୍ଥ ଓ ଦ୍ରବ୍ୟ ରଖି ଯାଇଥିଲେ; ତାହା କେବଳ ପହରା ଦେଇ ଦେଇ ସେ ସମୟ କଟାଇଅଛି । ପିତୃପିତାମହ ଅମଳରୁ ସାତମହଲା ଘର ରହିଥିଲା; ଅର୍ଥବ୍ୟୟ ଆଶଙ୍କାରେ ତାହା ଆଦୌ ମରାମତି ହେବାକୁ ନାହିଁ ।

 

ସେହି କୌଶିକ ଦିନେ ରାସ୍ତାରେ ଯାଉ ଯାଉ ଦେଖିଲା, ଗୋଟିଏ ଭିକ୍ଷୁକ ରାସ୍ତାକଡ଼ରେ ବସି ଖଣ୍ଡିଏ ପିଠା ଖାଉଅଛି । ତାହାର ସେତେବେଳେ ଯେଉଁ ଆନନ୍ଦ, ତାହା କହିଲେ ନ ସରେ । ତାହା ଦେଖି କୌଶିକର ପିଠା ଖାଇବାକୁ ପ୍ରବଳ ଇଚ୍ଛା ହେଲା । ମାତ୍ର ପିଠା ଖାଇବା ତ କିଛି ସହଜ କଥା ନୁହେଁ । ଚାଉଳଚୂନା, ଗୁଡ଼, ଘିଅ, ନଡ଼ିଆ–କେତେ କଅଣ ମୂଲ୍ୟବାନ ପଦାର୍ଥ ଦରକାର; ବହୁତ ଖରଚ । ପୁଣି ପିଠା ହେଲେ ଘରର ସମସ୍ତେ ତାହା ଖାଇବାକୁ ଚାହିଁବେ, ବେଶି ପରିମାଣରେ ବି ଖାଇବେ । ତାହାହେଲେ ଗୋଟିଏ ଦିନରେ ତାହାର ଯାହା ଖର୍ଚ୍ଚ ହୋଇଯିବ, ତା କିଛି କମ୍ ନୁହେଁ । ଏହିସବୁ କଥା ଭାବି ସେ ମନର ବାସନା ମନରେ ମାରି ଚୁପ୍ ହୋଇ ରହିଲା ।

 

ଏପରି ବାସନା-ସଂଯମ ତାକୁ ଆଗରୁ କେବେ କରିବାକୁ ପଡ଼ି ନ ଥିଲା; କାରଣ ତାହା ମନରେ କେବେହେଲେ କୌଣସି ପ୍ରକାର ବାସନାର ଉଦ୍ଭବ ହୋଇ ନ ଥିଲା ।

 

ମନର ବାସନା ସଂଯତ କରି ଚଳିବା ବଡ଼ କଷ୍ଟକର ବ୍ୟାପାର । ଏହା ଏକ ସାଧନା । କୌଶିକ ସେହି କଠୋର ସାଧନା କରିବାକୁ ଲାଗିଲା । ତାହା ମନର ସମସ୍ତ ଶାନ୍ତି ଓ ଆଶ୍ୱସ୍ତି ଲୋପ ପାଇଲା । ସେ ସବୁବେଳେ ଅନ୍ୟମନସ୍କ ରହିଲା ଏବଂ ଛଟପଟ ହେଲା । କୌଣସି କାର୍ଯ୍ୟରେ ମନ ଲାଗିଲା ନାହିଁ, ଆହାରରେ ରୁଚି ରହିଲା ନାହିଁ, ରାତ୍ରରେ ନିଦ୍ରା ହେଲା ନାହିଁ ।

 

କ୍ରମେ କୌଶିକର ଶରୀର ଶୀର୍ଣ୍ଣ ହେବାକୁ ଲାଗିଲା, ହସ୍ତ-ପଦ ଅବଶ ହୋଇପଡ଼ିଲା । ଦେହର ଶିରାପ୍ରଶିରା ଓ ବକ୍ଷର ପଞ୍ଜରାହାଡ଼ ଦେଖାଗଲା । ସେ ସର୍ବଦା ବିଛଣାରେ ପଡ଼ିରହିଲା ।

 

କୌଶିକର ସ୍ତ୍ରୀ ପାଦସେବା କରୁ କରୁ ପଚାରିଲା, ‘‘ଆର୍ଯ୍ୟପୁତ୍ର ! ତୁମର କଅଣ ଅସୁଖ ହୋଇଅଛି କହ, ତାହାର ପ୍ରତିକାର କରିବା ।’’

 

କୌଶିକ–ମୋହର ତ କୌଣସି ଅସୁଖ ହୋଇ ନାହିଁ ।

 

ପତ୍ନୀ–ତେବେ କଅଣ ରାଜା ତୁମ ଉପରେ କୌଣସି କାରଣରୁ କ୍ରୋଧାନ୍ୱିତ ହୋଇଅଛନ୍ତି ?

 

କୌଶିକ–ନା, ରାଜା କାହିଁକି ବା କ୍ରୋଧାନ୍ୱିତ ହେବେ ?

 

ପତ୍ନୀ–ତେବେ କଅଣ ପୁତ୍ରକନ୍ୟା କେହି କିଛି ଅନ୍ୟାୟ କରିଅଛନ୍ତି ?

 

କୌଶିକ–ନା, ସେମାନେ ମୋ ଜାଣିବାରେ କୌଣସି ଅନ୍ୟାୟ କାର୍ଯ୍ୟ କରି ନାହାନ୍ତି ।

 

ପତ୍ନୀ–ତେବେ ମୁଁ କଅଣ ମୋର ଅଜ୍ଞାତରେ କୌଣସି ବିରକ୍ତିକର କାର୍ଯ୍ୟ କରିଅଛି ?

 

କୌଶିକ–ନା, ତୁମେ କିଛି ଅପରାଧ କରି ନାହଁ ।

 

ପତ୍ନୀ–ତେବେ କଅଣ ତୁମର କୌଣସି ସୁଖାଦ୍ୟ ଖାଇବାକୁ ମନ ହେଉଅଛି ?

 

କୌଶିକ ଏ ପ୍ରଶ୍ନର କିଛି ଉତ୍ତର ଦେଲା ନାହିଁ, ଚୁପ୍ ହୋଇ ରହିଲା । ପତ୍ନୀ ବୁଝିଗଲା, ସ୍ୱାମୀଙ୍କର କୌଣସି ଦ୍ରବ୍ୟ ଖାଇବାକୁ ମନ ହେଉଅଛି । ସେ ପଚାରିଲା, ‘‘ତୁମର କଅଣ ଖାଇବାକୁ ମନ ହେଉଅଛି, ତାହା କୁହ; ମୁଁ ସାଙ୍ଗେସାଙ୍ଗେ କରାଇଦେବି ।’’

 

କୌଶିକ ଉତ୍ତର ଦେଲା, ‘‘ସତ କଥା କହୁଅଛି, ମୋହର ପିଠା ଖାଇବାକୁ ପ୍ରବଳ ବାସନା ହେଉଛି ।’’

 

ପତ୍ନୀ–ଏହି ଛାର କଥା ପାଇଁ ଏତେଦୂର ଅବସ୍ଥା ହେଲାଣି ! ତୁମର ବା ଅଭାବ କଅଣ-? ମୁଁ ଆଜି ଏତେ ପରିମାଣ ପିଠା ତିଆରି କରିଦେବି ଯେ, ତୁମେ ତୁମର ଗ୍ରାମବାସୀମାନଙ୍କ ସହ ପ୍ରଚୁର ପରିମାଣରେ ତାହା ଖାଇବ ।

 

କୌଶିକ–ସର୍ବନାଶ ! ସମଗ୍ର ଗ୍ରାମର ଲୋକଙ୍କୁ ପିଠା ଖୁଆଇବ ନା କଅଣ ? ନା, ନା, ମୋର ପିଠା ଖାଇବା ଦରକାର ନାହିଁ । ତା ହେଲେ ଗୋଟିଏ ଦିନରେ ମୋର ସର୍ବସ୍ୱ ଚାଲିଯିବ ।

 

ପତ୍ନୀ–ଆଚ୍ଛା, ତେବେ କେତେକ ସାହିର ଲୋକଙ୍କୁ ତୁମ ସହିତ ପିଠା ଖାଇବାକୁ ଦେଲେ ହେବ ନାହିଁ ?

 

କୌଶିକ–ତୁମେ କଅଣ ପାଗଳ ହୋଇଗଲଣି ? ସାହିଲୋକଙ୍କୁ ପିଠା ଖୁଆଇବ ? କେତେ ଖରଚ ?

 

ପତ୍ନୀ–ତା ଏବେ ନ ହେଲା; ଘରର ସମସ୍ତଙ୍କ ପାଇଁ ପିଠାର ବରାଦ କରୁଅଛି ।

 

କୌଶିକ–ତୁମେ ମୋତେ ପଥର ଭିକାରୀ ନ କରି ଛାଡ଼ିବ ନାହିଁ ଦେଖୁଅଛି । ସେହି କାରଣରୁ ତ ମୁଁ ଏପର୍ଯ୍ୟନ୍ତ ମୋ ମନର କଥା ପ୍ରକାଶ କରୁ ନ ଥିଲି ।

 

ପତ୍ନୀ–ତା ହେଲେ ତୁମ ପାଇଁ ଓ ତୁମର ପୁଅଝିଅଙ୍କ ପାଇଁ ପିଠା କରୁଅଛି । ଏଥିରେ ବେଶି କିଛି ଖର୍ଚ୍ଚ ହେବ ନାହିଁ । ପିଲାଙ୍କୁ ନ ଦେଇ ବାପ ମା କଅଣ କିଛି ଖାଇବା ସୁନ୍ଦର ହେବ ?

 

କୌଶିକ–ସେମାନେ ତ ବର୍ତ୍ତମାନ ଅଳ୍ପବୟସ୍କ; ବହୁତ ଦିନ ବଞ୍ଚିରହିବେ, କେତେ ଖାଇବେ । ତାଙ୍କ ପାଇଁ ବ୍ୟସ୍ତ ହେଉଅଛ କାହିଁକି ? ମୁଁ ମରିଗଲେ ହୁଏତ ସେମାନେ ରାତିଦିନ କେବଳ ପିଠା ହିଁ ଖାଇବେ ।

 

ପତ୍ନୀ–ତେବେ କେବଳ ଆମ ଦୁହିଁଙ୍କ ବରାଦରେ ପିଠା କରୁଅଛି ?

 

କୌଶିକ–ସ୍ତ୍ରୀ ଲୋକଙ୍କର ଏପରି ଲୋଭ କରିବା ଉଚିତ ନୁହେଁ । ପତିର ସୁଖରେ ହିଁ ସତୀର ସୁଖ । ଦୁଇ ଜଣଙ୍କ ପାଇଁ ପିଠା କଲେ ପୁଣି ଖରଚ ତ ବଢ଼ିବ ।

 

ପତ୍ନୀ–ହଉ ତେବେ, କେବେଳ ତୁମରି ପାଇଁ ପିଠାର ଆୟୋଜନ କରୁଅଛି ।

 

କୌଶିକ–ଯଦି ପିଠାର ଆୟୋଜନ କରିବ, ତେବେ ଏଠାରେ ନୁହେଁ, ଏକାବେଳକେ ସାତ ମହଲା ଉପରେ ଯାଇ ବ୍ୟବସ୍ଥା କର । ସେଠାକୁ କିଛି ଖୁଦ, ଗୁଡ଼, ଘିଅ, ଧରି ଚାଲ । ସେହିଠାରେ ଖୁଦ ଚୂନା କରିବ, ପିଠୋଉ ତିଆରି ହେବ ଓ ପିଠା ଛଣାଯିବ । ତୁମେ ତିଆରି କରିବ ଓ ମୁଁ ଖାଇବି । ବାସ୍, ଏତିକି । ପିଲାଙ୍କ କଥା ଦୂରେ ଥାଉ, ବିଲେଇଛୁଆଟିଏ ବି ଯେପରି ସେଠାକୁ ନ ଯାଏ ।

 

କୌଶିକ ଭଣ୍ଡାରଘର ତାଲା ଫିଟାଇ ପୋଷେ ଖୁଦ, ସାମାନ୍ୟ କିଛି ଘିଅ ଓ ଗୁଡ଼ ସ୍ତ୍ରୀ ହାତରେ ଦେଲା । ତାହା ପରେ ପ୍ରତ୍ୟେକ ମହଲା ଘରର ଦ୍ୱାରମୁହଁ ଓ ଝରକା ବନ୍ଦ କଲା । ସପ୍ତମ ମହଲା ଘରେ ଯାଇ ଦ୍ୱାର ଓ ଝରକା ଭିତରୁ ବନ୍ଦ କରି ବସିରହିଲା । ପତ୍ନୀ ସେହିଠାରେ ପିଠା ତିଆରିର ଆୟୋଜନରେ ଲାଗିଗଲା । କେବଳ ମୁଠାଏ ଖୁଦ, ତାହା ତଳେ ଚୂରାଗଲା । ଅଳ୍ପ ଗୁଡ଼ ଓ ଅତି ସାମାନ୍ୟ ଘିଅ । ନିଆଁରେ ପାତ୍ର ବସାଇ ପତ୍ନୀ ପିଠା ଛାଣିବାର ଉଦ୍ୟମ କଲା ।

 

ଠିକ୍ ଏହି ସମୟରେ କୌଶିକ ଝରକା ପାଖକୁ ଚାହିଁ ଦେଖିଲା, ଜଣେ ବୌଦ୍ଧଭିକ୍ଷୁ ଠିଆହୋଇ ରହିଅଛନ୍ତି । ସେ ଆଶ୍ଚର୍ଯ୍ୟ ହୋଇଗଲା । ମନରେ ଭାବିଲା, ବିଲେଇଛୁଆଟିଏ ବି ଯେପରି ନ ଆସିବ, ସେଥିପାଇଁ ଏତେ ସତର୍କତା ଅବଲମ୍ବନ କଲି; ତଥାପି ଏଠାରେ ଆସି ଜଣେ ଭିକ୍ଷୁକ ପହଞ୍ଚିଗଲାଣି ! ଧିକ୍ ମୋର କର୍ମ, ଧିକ୍ ମୋର ପିଠା ଖାଇବା ବାସନା ! ସେ ଭିକ୍ଷୁକକୁ ପ୍ରଶ୍ନ କଲା, ‘‘ତୁମର କଅଣ ଦରକାର ? ତୁମେ ଏଠାକୁ କିପରି ଆସିଲ ?’’

 

ବୌଦ୍ଧଭିକ୍ଷୁ ଶାନ୍ତସ୍ୱରରେ ଉତ୍ତର ଦେଲେ, ‘‘ମୋତେ ଖଣ୍ଡିଏ ପିଠା ଦିଅ ।’’

 

କୌଶିକ–ସାତ ମହଲା ଉପରକୁ ଆସି ମଧ୍ୟ ନିସ୍ତାର ନାହିଁ । ଏଠାରେ ବି ଜଣେ ଭିକ୍ଷୁକ ଆସି ହାଜର । ନା, କିଛି ମିଳିବ ନାହିଁ । ଏଠାରୁ ପଳାଅ ।

Image

ବୌଦ୍ଧଭିକ୍ଷୁ–ମୁଁ ଗୋଟିଏ ମାତ୍ର ପିଠା ଦରକାର କରୁଅଛି । ତୁମର ତ ବହୁତ ରହିଅଛି । ଦାନ ସମାନ ପୁଣ୍ୟ ନାହିଁ । ଦାନ କଲେ ତୁମର ସଦ୍‍ଗତି ହେବ ।

 

କୌଶିକ–ମୋର ପୁଣ୍ୟ ଦରକାର ନାହିଁ କି ମୁଁ ସଦ୍‍ଗତି ଚାହେଁ ନାହିଁ । ତୁମେ ଏଠାରୁ ଚାଲିଯାଅ । ମୁଁ ଚିମୁଟାଏ ହେଲେ ବି ପିଠା ଦେବି ନାହିଁ ।

 

ବୌଦ୍ଧଭିକ୍ଷୁ ସେହିପରି ଧୀର ସ୍ଥିର ଭାବରେ ଠିଆହୋଇ ରହିଲେ । କୌଶିକ ବିରକ୍ତ ହୋଇ ଖଣ୍ଡିଏ ଠେଙ୍ଗା ଧରି ତାଙ୍କୁ ପ୍ରହାର କରିବାକୁ ଧାଇଁଗଲା; ମାତ୍ର ପାଖରେ ଯାଇ ଦେଖିଲା, କେହି ନାହାନ୍ତି ।

 

ସେଠାରୁ ଫେରିଆସି ନିଜ ସ୍ଥାନରେ ବସିଲା । ଖଣ୍ଡିଏ ପିଠା ଖାଇବ ବୋଲି ମୁହଁ ପାଖକୁ ନେଉଅଛି, ଦେଖିଲା, ପୁଣି ସେହି ଭିକ୍ଷୁ ଉଭା । କୌଶିକ ଆଉ ଥରେ ମାରି ଗୋଡ଼ାଇଲା । ସେଥର ମଧ୍ୟ ଭିକ୍ଷୁ ଅନ୍ତର୍ଦ୍ଧାନ ହୋଇଗଲେ; କୌଶିକ ନିଜ ସ୍ଥାନକୁ ଫେରି ଅସିଲାରୁ ପୁଣି ଦେଖାଦେଲେ ।

 

କୌଶିକ ବଡ଼ ଅସ୍ଥିର ହୋଇଉଠିଲା । ସେ ସ୍ତ୍ରୀକୁ ଚାହିଁ କହିଲା–‘‘ଅତି ସାମାନ୍ୟ ପିଠୋଉରେ ଟିକି ପିଠାଖଣ୍ଡେ ଛାଣିଦିଅ, ଭିକ୍ଷୁକକୁ ତାହା ଦେଇ ବିଦାୟ କରିଦେବା; କିନ୍ତୁ ସାବଧାନ, ଚିମୁଟେ ପିଠାରୁ ଯେପରି ବେଶି ଖର୍ଚ୍ଚ ନ ହୁଏ ।’’

 

ଗୃହିଣୀ ଖୁବ୍ ଅଳ୍ପ ପିଠୋଉ ଟିପଅଗରେ ଆଣି କରେଇରେ ପକାଇଲା । କିଛି ସମୟ ଉତ୍ତପ୍ତ କରେଇ ଟକଟକ ଫୁଟିଉଠିଲା । ପରେ ଦେଖାଗଲା, ତାହା ଛୋଟ ପିଠାଟିଏ ହେବା ପରିବର୍ତ୍ତେ ଗୋଟିଏ ଅତି ବଡ଼ ପିଠା ହୋଇଯାଇଅଛି । ପିଠାଟିର ଆକାରରେ ଘିଅକରେଇ ପୂରିଯାଇଅଛି ।

 

ଏତେ ବଡ଼ ପିଠାଟିଏ ଦେବାକୁ କୌଶିକର ମନ ହେଲା ନାହିଁ । ସେ ଆଉ ଗୋଟିଏ ଛୋଟ ପିଠା କରିବାକୁ କହିଲା । ସେଥର ମଧ୍ୟ ଯେତେ ଅଳ୍ପ ପିଠୋଉ ଦିଆଯାଇଥିଲେ ବି ପିଠାଟି ଅତି ବଡ଼ ହୋଇଗଲା ।

 

ଏହିପରି ଯେତେ ଥର ଛୋଟ ପିଠା କରିବାର ଉଦ୍ୟମ ହେଲା, ସେତେ ଥର ପିଠା ବୃହତ୍ ଆକାର ଧାରଣ କଲା । ଶେଷକୁ କୌଶିକ ନିଜ ହାତରେ ଅତି ଅଳ୍ପ ପରିମାଣ ପିଠୋଉ ନେଇ କରେଇରେ ପକାଇଲା । ତାହା ମଧ୍ୟ ପୂର୍ବ ଦଶା ଭଜିଲା ।

 

କୌଶିକର ଆଖି ଖୋସି ହୋଇପଡ଼ିଲା । ସେ ବ୍ୟସ୍ତ ହୋଇଉଠିଲା ।

 

ବୌଦ୍ଧଭିକ୍ଷୁ ହସହସ ବଦନରେ କହିଲେ, ‘‘ଦେଖ କୌଶିକ, ଦାନ କରିବ ବୋଲି ଚିମୁଟାଏ ପିଠୋଉ ଦେଉଛ; ସେଥିରେ ଦଶ ଜଣ ଖାଇଲା ଭଳି ବଡ଼ ପିଠା ହୋଇଯାଉଅଛି । ଏପର୍ଯ୍ୟନ୍ତ ଦାନ କରି ନାହଁ; ଦାନର ସଂକଳ୍ପ ମାତ୍ର କରି ଏତେ ପିଠା ପାଇଗଲଣି । ଥରେ ଭାବି ଦେଖ, ଦାନ କଲେ କେତେ ଆଉ ନ ପାଇବ ? ଯେତେ ପିଠୋଉ ହୋଇଥିଲା, ସେଥିରେ ତୁମ ନିଜ ପାଇଁ ପିଠା କରିଥିଲେ କଅଣ ଏତେ ପିଠା ପାଇଥାଆନ୍ତ ? ଧନସମ୍ପତ୍ତି ପରକୁ ଦେଲେ ବୃଦ୍ଧି ପାଏ; ସ୍ୱାର୍ଥସାଧନ ପାଇଁ ଜମାଇ ରଖିଲେ କମିଯାଏ ।’’

 

କୌଶିକର ଲୋଭ ବଢ଼ିଗଲା । ସେ କହିଲା, ‘‘ଭିକ୍ଷୁ, ତୁମେ ଘରଭିତରକୁ ଆସ । ଏଠାରେ ବସି ମନବୋଧ କରି ପିଠା ଖାଅ । ତା ହେଲେ ମୋର ବହୁତ ପିଠା ହୋଇଯିବ ।’’

 

ବୌଦ୍ଧଭିକ୍ଷୁ ଉତ୍ତର ଦେଲେ, ‘‘ମୁଁ ତ ଏହା ବର୍ତ୍ତମାନ ଖାଇପାରିବି ନାହିଁ । ମୁଁ ଆସିଥିଲି ଭିକ୍ଷା ମାଗିନେବାକୁ । ଭିକ୍ଷା ନେଲେ ଜେତବନରେ ଯେ ପାଞ୍ଚଶତ ଭିକ୍ଷୁ ଅଛନ୍ତି, ସେମାନେ ସମସ୍ତେ କ୍ଷୁଧା ନିବାରଣ କରିବେ ।’’

 

କୌଶିକ–ଖଣ୍ଡେ ମାତ୍ର ପିଠାରେ କଅଣ ପାଞ୍ଚଶତ ଭିକ୍ଷୁ ବୋଧହେବେ ?

 

ଭିକ୍ଷୁ–ନ ହେବେ କାହିଁକି ? ଚିମୁଟାଏ ପିଠୋଉରେ ଯଦି ଦଶଜଣଙ୍କ ଭଳି ଖାଦ୍ୟ ତିଆର ହୋଇପାରେ, ତେବେ ଖଣ୍ଡିଏ ପିଠା ତ ପାଞ୍ଚ ଶହଙ୍କ ପାଇଁ ଯଥେଷ୍ଟ ।

 

ଏହା କହି ଭିକ୍ଷୁ ଅନ୍ତର୍ଦ୍ଧାନ ହୋଇଗଲେ । କୌଶିକର ପିଠା ଖାଇବା ପାଇଁ ଆଉ ଇଚ୍ଛା ହେଲା ନାହିଁ । ସେ ବ୍ୟାକୁଳ ହୋଇଉଠିଲା, କିପରି ସେ ଭିକ୍ଷୁକଙ୍କୁ ତାର ଧନରତ୍ନ ଦାନ କରିବ । ତା ହେଲେ ତାର ମହଯୁଦ ଥିବା ସମ୍ପତ୍ତି ବହୁ ଗୁଣ ବଢ଼ିଯିବ; ସେ ଅଗାଧ ସମ୍ପତ୍ତିର ମାଲିକ ହେବ ।

 

ଏହି ଚିନ୍ତାରେ ସେ ଛଟପଟ ହେଲା । ରାତ୍ରରେ ନିଦ୍ରା ହେଲା ନାହିଁ । କିପରି ରାତ୍ର ପାହିବ, ସେଥିପାଇଁ ସେ ଲିତା, ବିଲିତା ସମୟ ଗଣିବାକୁ ଲାଗିଲା ।

 

ପରଦିନ ପ୍ରତ୍ୟୁଷ ହେବା ସଙ୍ଗେ ସଙ୍ଗେ କୌଶିକ ଜେତବନକୁ ଧାଇଁଲା । ସେଠାରେ ଦେଖିଲା, ଗତ ରାତ୍ରରେ ଯେଉଁ ଭିକ୍ଷୁ ତା ପାଖରେ ପିଠାପ୍ରାର୍ଥୀ ହୋଇଥିଲେ, ସେ ପଦ୍ମାସନରେ ପ୍ରସନ୍ନ ବଦନରେ ବସିଅଛନ୍ତି । ସେ ହେଉଛନ୍ତି ସ୍ୱୟଂ ବୁଦ୍ଧଦେବ । ତାଙ୍କ ଚତୁର୍ଦ୍ଦିଗରେ ବହୁ ଶତ ଶିଷ୍ୟଭକ୍ତ ଘେରି ରହିଅଛନ୍ତି ।

 

କୌଶିକ ପାଗଳ ପ୍ରାୟ ଯାଇ ବୁଦ୍ଧଦେବଙ୍କ ପାଦତଳେ ପଡ଼ିଗଲା । ଗଦଗଦ୍ କଣ୍ଠରେ କହିଲା, ‘‘ଦେବ, ମୋର ଯେତେ ଧନସମ୍ପତ୍ତି, ଯେତେ ଘରବାଡ଼ି ଅଛି, ସେ ସମସ୍ତ ମୁଁ ଆପଣଙ୍କୁ ଦାନ କଲି । ଆପଣ ନିଜ ଇଚ୍ଛା ମୁତାବକ ତାହାର ସଦ୍‍ବ୍ୟବହାର କରନ୍ତୁ ।’’

 

ବୁଦ୍ଧଦେବ ହସିହସି ତା ମୁଣ୍ଡରେ ହାତ ବୁଲାଇଦେଲେ ।

 

କୌଶିକ ଅନ୍ତରରେ ଦିବ୍ୟବୁଦ୍ଧିର ସଞ୍ଚାର ହେଲା । ସେ ଅନୁଭବ କଲା, ରାଜଗୃହରେ ଯେତେ ଯାହାର ଧନସମ୍ପତ୍ତି ଅଛି, ଯେତେ ନବର ଅଟ୍ଟାଳିକା ରହିଅଛି, ସେସବୁ ତାହାର । ନଗରର ସମସ୍ତ ଅଧିବାସୀ ତାହାର ଜ୍ଞାତିକୁଟୁମ୍ବ–ଆପଣାର । ତା ମନ ଆନନ୍ଦରେ କୁରୁଳି ଉଠିଲା । ସେ କହିଲା, ‘‘ମୋର ଗୋଟିଏ ମାତ୍ର ପରିବାରର ଧନସମ୍ପତ୍ତି ଥିଲା; ବର୍ତ୍ତମାନ ମୁଁ କୋଟିଏ ପରିବାରର ଧନସମ୍ପତ୍ତିର ଅଧିକାରୀ । ବୁଦ୍ଧଦେବଙ୍କୁ ସାମାନ୍ୟ ଦାନରେ ମୁଁ ଅସୀମ ସମ୍ପତ୍ତି ପାଇଲି । ଏ ସୁଯୋଗ କେତେ ଜଣଙ୍କ ଭାଗ୍ୟରେ ମିଳେ ?’’

 

କୌଶିକର ଏ କଥା ଶୁଣି ବୁଦ୍ଧଦେବ କହିଥିଲେ–

 

‘‘ଉଡ଼ି ବୁଲୁଥାଇ ଭ୍ରମର ସୁଖେ କୁସୁମ ପାଶେ,

ରୂପ, ଗନ୍ଧ ତାର ନ ହରି ମଧୁ ଚାଖିବା ଆଶେ ।

ସେହିପରି ଧନ ନ ହରି ଜ୍ଞାନୀ ତାପସଗଣ

କଉଶଳେ ହରିନିଅନ୍ତି ଭବେ ସଂସାରୀ ମନ ।’’

 

ପ୍ରଶ୍ନ

 

୧.

ଧନସମ୍ପତ୍ତି ଦାନ କରିବାକୁ କୌଶିକ ଶେଷରେ କାହିଁକି ବ୍ୟାକୁଳ ହେଲା ?

୨.

ସମ୍ପତ୍ତି ଦାନ କରିଦେବା ଫଳରେ ତା ମନରେ କି ଭାବାନ୍ତର ଆସିଲା ?

୩.

ସେ ଦାନ କରିବାକୁ ଆଦୌ ରାଜି ହୋଇ ନ ଥିଲେ କଅଣ ହୋଇଥାଆନ୍ତା ?

୪.

ପ୍ରଚୁର, ବାସନା, ସଂଯମ, ଶୀର୍ଣ୍ଣ, ଆୟୋଜନ, ସଦ୍‍ଗତି–ଏଗୁଡ଼ିକର ଅର୍ଥ କଅଣ ?

୫.

ଲିତା ବିଲିତା, ଜେତବନ, ପଦ୍ମାସନ, ପରିବାର–ଏହା କଅଣ ବୁଝାଇ ଦିଅ ।

Image

 

ହତାଶ ହୁଅ ନାହିଁ

 

ସବୁ ପ୍ରକାର ପଣ୍ୟଦ୍ରବ୍ୟ ବୋଝାଇ ପାଞ୍ଚଶହ ଶଗଡ଼ । ତାର ପରିଚାଳକ ମଧ୍ୟ ପାଞ୍ଚଶହ ସାଧବ । ପାଞ୍ଚଶହ ଓଟ ତାହା ଟାଣି ଟାଣି ନେଉଅଛନ୍ତି । ଏ ସମସ୍ତର ଅଧିକାରୀ ବୋଧିସତ୍ତ୍ଵ; ଦଳର ଦଳପତି ମଧ୍ୟ । ତାଙ୍କରି ନିର୍ଦ୍ଦେଶରେ ବିଭିନ୍ନ ଦ୍ରବ୍ୟଭରା ଶଗଡ଼–ସବୁ ଉତ୍ତରାପଥ ଦେଶ ଅଭିମୁଖରେ ଯାତ୍ରା କରୁଅଛି ।

 

ପଥରେ ଅନୁଚ୍ଚ ପ୍ରଦେଶର ସମତଳ ଭୂମି । ଚତୁର୍ଦ୍ଦିଗରେ ଗହମକ୍ଷେତ । ସବୁଜରଙ୍ଗର କଅଁଳ ଗହମଗଛର ପତ୍ର ପବନରେ ଦୋହଲି ଢେଉ ଖେଳୁଅଛି । କେତେ ଶସ୍ୟକ୍ଷେତ୍ର, କେତେ ବଣଜଙ୍ଗଲ, କେତେ ଜନପଦ ପଛରେ ପକାଇ ହସିହସି ଆଗକୁ ସାଧବମାନେ ଚାଲିଅଛନ୍ତି ।

 

ଜନପଦର ମଧ୍ୟ ଦେଇ ଯାତ୍ରୀମାନେ ଯାତ୍ରା କରୁଥିଲା ବେଳେ ଆଗରେ ଯାଉଥିବା ଲୋକେ ସଂଭ୍ରମରେ ଘୁଞ୍ଚିଯାଆନ୍ତି । ବାଳକବାଳିକାମାନେ ଆଖି ଆଗରୁ ଶଗଡ଼ସବୁ ଅଦୃଶ୍ୟ ନ ହେବା ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଚାହିଁରହନ୍ତି । ପ୍ରୌଢ଼ମାନେ ଆଗ୍ରହର ସହିତ ପଚାରନ୍ତି, ‘‘ଏ ଦ୍ରବ୍ୟସବୁ କାହାର ? କେଉଁ ଦେଶରୁ ଆସିଲା ? ଯାଉଛି କେଉଁ ଦେଶକୁ ?’’

 

ବୋଧିସତ୍ତ୍ଵଙ୍କୁ ଦେଖି ପିଲାମାନେ କହନ୍ତି, ‘ରାଜପୁତ୍ର’; ବୃଦ୍ଧମାନେ କହନ୍ତି, ‘ଇନ୍ଦ୍ର’ । ବୃଦ୍ଧାମାନେ ବଡ଼ ବ୍ୟାକୁଳକଣ୍ଠରେ କହନ୍ତି, ‘‘ଆହା, କେଡ଼େ ସୁନ୍ଦର ପୁଅ ! ପିତା ମାତା କିପରି ଏହାକୁ ଦୂର ଦେଶକୁ ପଠାଇ ଦେଇଅଛନ୍ତି ? ଏ ଖରା ତେଜରେ କୋମଳ ଅଙ୍ଗ ଝାଉଁଳି ପଡ଼ିଲାଣି ସିନା !’’

 

ସମତଳ ପ୍ରଦେଶ ପରେ ଅନନ୍ତ ପ୍ରାନ୍ତର–ମରୁଭୂମି । ଜନମାନବର କି ବୃକ୍ଷଲତାର ଚିହ୍ନ ସୁଦ୍ଧା ନାହିଁ । ପଛରେ ଜନପଦର ଛବି ନୀଳଆକାଶ ସହିତ ମିଶିଗଲାଣି; ସଙ୍ଗୀତ-କୋଳାହଳର ସ୍ୱର ବତାଶ ମଧ୍ୟରେ ଲୁଚିଗଲାଣି । ଆଗରେ ଯେତେ ଦୂର ଦୃଷ୍ଟି ଯାଏ, କେବଳ ରୁକ୍ଷ ବାଲି । ସମୟ ସମୟରେ ଉତ୍ତପ୍ତ ପବନ ଓ ବାଲୁକା ଝଡ଼ ପ୍ରାଣାନ୍ତ ଯନ୍ତ୍ରଣା ଦିଏ ।

 

ତଥାପି ଯାତ୍ରୀଦଳ ପଥ ଚାଲିଥାଆନ୍ତି । ପଣ୍ୟଦ୍ରବ୍ୟ ପରିପୂର୍ଣ୍ଣ ଶଗଡ଼ ଓ ଓଟ ସେମାନଙ୍କ ଆଗେ ଆଗେ ।

 

ଅନ୍ଧକାର ରାତ୍ରରେ ସେ ପ୍ରାନ୍ତରମଧ୍ୟରେ ତମ୍ବୁ ପଡ଼େ । ଯାତ୍ରୀବୃନ୍ଦ ବିଶ୍ରାମ ନିଅନ୍ତି । ରନ୍ଧାବଢ଼ା, ଖିଆପିଆ ଓ ଖୁସି ଗଳ୍ପରେ ଅଧେ ରାତି କଟିଯାଏ; ବାକି ଅର୍ଦ୍ଧେକ ରାତ୍ରି ଦଳକ ପରେ ଦଳେ ପାଳି କରି ଶୋଇପଡ଼ନ୍ତି–ଦିନଯାକର ପଥଚଲା କ୍ଳାନ୍ତି ଭୁଲିଯାଆନ୍ତି ।

 

ଜଳହୀନ ଓ ଛାୟାହୀନ ମରୁଭୂମି । ଆଖି ଯେଉଁ ଦିଗକୁ ଯାଏ, ସେ ଦିଗରେ ସୁଦୂର ଦିଗ୍‍ବଳୟ ପର୍ଯ୍ୟନ୍ତ କେବଳ ବାଲୁକାମୟ ପ୍ରାନ୍ତର ।

 

ଉତ୍ତରାପଥ ଦେଶକୁ ଯିବାକୁ ହେଲେ ଏହି ମରୁଭୂମିର ମଧ୍ୟରେ ଏକୋଇଶ ଦିନ ଚାଲିବାକୁ ପଡ଼େ । ସେଥିଲାଗି ଏହି ଏକୋଇଶ ଦିନର ଦରକାରୀ ମନୁଷ୍ୟ ଓ ପଶୁମାନଙ୍କ ଖାଦ୍ୟପେୟ ଆଗରୁ ସଂଗ୍ରହ କରି ରଖିବାକୁ ପଡ଼ିଥାଏ । ପିଇବା ପାଣିପୂର୍ଣ୍ଣ ବଡ଼ ବଡ଼ ଚମଡ଼ାମୁଣା ଓଟ ପିଠିରେ ଲଦା ହୋଇଥାଏ । ବାଟରେ ବଡ଼ ସାବଧାନତାର ସହ ଜଗିରଖି ସେ ଜଳ ବ୍ୟବହାର କରାଯାଏ । ପୋଷେ ହେଲେ ତାହା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତଙ୍କର ତୀକ୍ଷ୍ଣ ଦୃଷ୍ଟି ଥାଏ ।

 

ବାଟରେ କୋଡ଼ିଏଟି ଦିନ ଆନନ୍ଦରେ କଟିଗଲା, ବାକି ଗୋଟିଏ ଦିନ ମାତ୍ର । ଏ ଦିନଟି ଗଲେ ଯାତ୍ରୀମାନେ ପ୍ରସିଦ୍ଧ ବାଣିଜ୍ୟକେନ୍ଦ୍ରରେ ପହଞ୍ଚିବେ । ସେଠାରେ ଖାଦ୍ୟପେୟର ଅଭାବ ନାହିଁ-। ବ୍ୟବସାୟ ବାଣିଜ୍ୟର ଆଦର ଖୁବ୍ ବେଶି । ବନ୍ଧୁବାନ୍ଧବ ମଧ୍ୟ କମ୍ ନାହାନ୍ତି ।

 

ତେଣୁ ଉଦ୍‍ବୃତ୍ତ ପାଣିସବୁ ଫିଙ୍ଗି ଦିଆଗଲା । ଅଯଥା ବୋଝ ବହି ଲାଭ କଅଣ ?

 

ଯାତ୍ରୀମାନେ ବେଶ୍ ଉତ୍‍ଫୁଲ୍ଲ ହୋଇଉଠିଲେ । ସେଦିନ ରାତ୍ରରେ ତମ୍ବୁମଧ୍ୟରେ ଆନନ୍ଦରେ ବିଶ୍ରାମ ନେଲେ । ଦୁଶ୍ଚିନ୍ତା କମିଗଲେ, ମନ ହାଲୁକା ହୋଇଗଲେ ନିଦ ଗାଢ଼ତର ହୁଏ । ସେଦିନ ସମସ୍ତେ ନିଘୋଡ଼ ନିଦରେ ଶୋଇପଡ଼ିଲେ ।

 

ପ୍ରତିଦିନ ପରି ରାତ୍ର ପାହିବା ଆଗରୁ ଅନ୍ଧକାର ମଧ୍ୟରେ ପୁଣି ଯାତ୍ରା ଆରମ୍ଭ ହୋଇଗଲା । ପଥହୀନ ମରୁଭୂମି; ଦିଗ ସ୍ଥିର କରିବା ଅସମ୍ଭବ । ତଥାପି ଯାତ୍ରୀମାନେ ଶଗଡ଼ ଓ ଓଟ ଚଳାଇ ଲକ୍ଷ୍ୟସ୍ଥଳ ଅଭିମୁଖରେ ବାହାରିପଡ଼ିଲେ ।

 

କ୍ରମେ ସୂର୍ଯ୍ୟୋଦୟ ହେଲା, ଚତୁର୍ଦ୍ଦିଗ ପରିଷ୍କାର ଦେଖାଗଲା । ତଥାପି ଯାତ୍ରୀମାନେ କି ବୋଧିସତ୍ତ୍ଵ କେହି ଠିକ୍ ପଥ ପାଇପାରିଲେ ନାହିଁ । ଉତ୍ତରାପଥ ଦେଶକୁ ଯାଉଅଛନ୍ତି ଜାଣି ପୂର୍ବ ପରି ଚାଲିବାକୁ ଲାଗିଲେ ।

 

ସୂର୍ଯ୍ୟ ମୁଣ୍ଡଉପରକୁ ଆସିଲେ; ଉତ୍ତପ୍ତ ତାତିରେ ଦେହ ମୁଣ୍ଡ ସିଝିଗଲା । ପୁଣି ସନ୍ଧ୍ୟା ହୋଇ ଆସିଲା, ଅନ୍ଧକାର ଘୋଟିଗଲା; ତଥାପି ଯାତ୍ରୀଗଣ ଲକ୍ଷ୍ୟହୀନ ଭାବରେ ପଥ ଚାଲି ଥାଆନ୍ତି । କାହିଁ ? ଉତ୍ତରାପଥ ଦେଶ ଗଲା କୁଆଡ଼େ ? ସେମାନଙ୍କ ଲକ୍ଷ୍ୟସ୍ଥଳ ବାଣିଜ୍ୟକେନ୍ଦ୍ରର ସତ୍ତା କାହିଁ ?

 

ପରଦିନ ସକାଳୁ ଜଣାପଡ଼ିଲା, ଭୁଲକ୍ରମେ ସେମାନେ ଦୁଇ ଦିନର ବାଟ ପଛକୁ ଚାଲି ଆସିଲେଣି । ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା, ଭୟରେ ମୁହଁ ଶୁଖିଗଲା, ଦେହର ରକ୍ତ ଶୀତଳ ହୋଇଆସିଲା ।

 

ଆଗରେ ଆଉ ତିନି ଦିନର ବାଟ । ତିନି ଦିନ ତିନି ରାତି ଏ ମରୁଭୂମି ଉପରେ ଯାତ୍ରା କଲେ ସେମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବେ । ଏଣେ ପଶୁଗୁଡ଼ିକ କ୍ଳାନ୍ତ, ଯାତ୍ରୀମାନେ ଅବସନ୍ନ । ବଡ଼ କଥା, ଟୋପିଏ ହେଲେ ପାଣି ନାହିଁ । ପାଞ୍ଚଶହ ଲୋକ, ପାଞ୍ଚଶହ ପଶୁ–ଏମାନେ ପିଇବେ କଅଣ ? ଏ ତିନି ଦିନ କଟିବ ବା କିପରି ?

ସମସ୍ତେ ସ୍ଥିର କରିନେଲେ, ଏହି ଜନମାନବହୀନ ଅପନ୍ତରାରେ ହିଁ ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବଙ୍କ ଅଗୋଚରରେ ସେମାନଙ୍କର ମୃତ୍ୟୁ ନିଶ୍ଚିତ ।

 

ବୋଧିସତ୍ତ୍ଵ କିନ୍ତୁ ସ୍ଥିର, ଅଟଳ । ସେ ଭାବିଲେ, ଏ ବିପଦ ସମୟରେ ଭାଙ୍ଗିପଡ଼ିଲେ ଚଳିବ ନାହିଁ । ଏତେବେଳେ ଧୈର୍ଯ୍ୟ ଦରକାର । ଜୟ ପରାଜୟ କେବଳ ମନର ଜୋର୍‍ ଉପରେ ନିର୍ଭର କରେ । ବେଶି ସଂଖ୍ୟାରେ ମନୁଷ୍ୟ ଥିଲେ ବା ଦେହରେ ଯଥେଷ୍ଟ ବଳ ଥିଲେ ଯାହା ହୋଇ ନ ପାରେ, ସ୍ଥିରଚିତ୍ତରେ ଧୈର୍ଯ୍ୟର ସହିତ ବିବେଚନା କରି କାର୍ଯ୍ୟ କଲେ, ତାହା ହେବା ଅସମ୍ଭବ ନୁହେଁ ।

 

ଯାତ୍ରୀମାନେ ହତାଶ ହୋଇ ବସିପଡ଼ିଲେ; ମାତ୍ର ବୋଧିସତ୍ତ୍ଵ ବସି ରହିଲେ ନାହିଁ । ସେ ପାଖଆଖ ଅଞ୍ଚଳରେ ଏଣେତେଣେ ବୁଲିବାକୁ ଲାଗିଲେ । ଯାଉ ଯାଉ କେତେକ ଦୂରରେ ଦେଖିଲେ, କେତୋଟି ଶୁଷ୍କ କୁଶବୁଦା । ସେ ଆଶ୍ଚର୍ଯ୍ୟ ହୋଇଗଲେ । ବାଲି-ସ୍ତୂପ ମଧ୍ୟରେ କୁଶବୁଦା ! ଏହା ଯେ ଜଳନ୍ତା ନିଆଁରେ ଫୁଲ ଫୁଟିଲା ପରି ।

 

ବୋଧିସତ୍ତ୍ଵ ସେଠାରେ କିଛି ସମୟ ଠିଆହେଲେ । ସେ ଭାବିଲେ, ଏଠାରେ ମାଟିତଳେ ଯେତେ ଦୂରରେ ହେଉ ନା କାହିଁକି, ପାଣିର ସୁଅ ଅଛି । ତା ନ ହେଲେ ମରୁଭୂମିରେ କୁଶ କଦାପି ଜନ୍ମନ୍ତା ନାହିଁ ।

 

ସେ ସହଯାତ୍ରୀମାନଙ୍କୁ ଡାକି ନିର୍ଦ୍ଦେଶ ଦେଲେ, ଏ ସ୍ଥାନକୁ ଖୋଳ; ପାଣି ମିଳିବାର ସମ୍ଭାବନା ଅଛି । ତାଙ୍କ କଥା ଶୁଣି ଲୋକେ ହସିଉଠିଲେ–ମରୁଭୂମିରେ ପାଣି; ଏକାବେଳକେ ଅସମ୍ଭବ ।

 

ତଥାପି ବୋଧିସତ୍ତ୍ଵ ଜିଦ୍ ଧଇଲେ । ଲୋକମାନେ ଅକ୍ଳାନ୍ତ ପରିଶ୍ରମ କରି ମାଟି ଖୋଳିବାରେ ଲାଗିଲେ । ଚାହୁଁ ଚାହୁଁ ଗୋଟିଏ ବଡ଼ ଗର୍ତ୍ତ ହେଲା; କିନ୍ତୁ ପାଣି କାହିଁ ? ବାଲି, ବାଲି ପରେ ମାଟି ଏବଂ ତା ପରେ ଟାଣ ପଥର । ସେଥିରେ କୋଦାଳ ବାଜିଲେ ଠାଇଁ କରି ଶବ୍ଦ ହେଉଅଛି; କୋଦାଳର ଧାର ଓଲଟି ପଡ଼ୁଛି । ବେଳେ ବେଳେ ସେଥିରୁ ନିଆଁ ବାହାରି ଆସୁଛି । ଲୋକମାନଙ୍କ ନୈରାଶ୍ୟ ଆହୁରି ବଢ଼ିଗଲାଣି । ସମସ୍ତେ କୋଦାଳ ଫିଙ୍ଗି ଦେଇ କ୍ଳାନ୍ତ ହୋଇ ବସିପଡ଼ିଲେ ।

 

ତଥାପି ବୋଧିସତ୍ତ୍ଵ ଧୈର୍ଯ୍ୟ ହରାଇଲେ ନାହିଁ । ସେ ଗର୍ତ୍ତ ଭିତରକୁ ପଥରଚଟାଣ ପର୍ଯ୍ୟନ୍ତ ଚାଲିଗଲେ । ସେ ଚଟାଣ ଉପରେ ଶୋଇପଡ଼ି କାନ ପାତିଲେ । ପଥରତଳେ ପାଣିର କଳକଳ ଶବ୍ଦ ତାଙ୍କୁ ଜଣାଗଲା ।

Image

ସେ ଗୋଟିଏ ବଡ଼ ହାତୁଡ଼ି ଆଣି ପଥର ଉପରେ ପିଟିବାକୁ ଲାଗିଲେ । ଯେତେ ପ୍ରହାର କଲେ ମଧ୍ୟ ସେ ପଥରଚଟାଣ ପୂର୍ବପରି ଅକ୍ଷୁଣ୍ଣ ରହିଲା । ବୋଧିସତ୍ତ୍ଵ ମନେ ମନେ ଭାବିଲେ, ‘‘ଲୋକମାନେ ହତାଶ ହୋଇ ପଡ଼ିଲେଣି । ମୁଁ ଯଦି ସେହିପରି ହତାଶ ହୋଇପଡ଼ିବି, ମୋ ଚେଷ୍ଟାରୁ ବିରତ ହେବି, ତେବେ ଏତେଗୁଡ଼ିଏ ପ୍ରାଣୀଙ୍କର ମରଣ ସୁନିଶ୍ଚିତ । ଏମାନଙ୍କ ଜୀବନମରଣ ନିର୍ଭର କରୁଅଛି କେବଳ ମୋହରି ପରିଶ୍ରମ ଉପରେ ।’’ ଏହା ଭାବି ସେ ଆହୁରି ଜୋରରେ ହାତୁଡ଼ି ପ୍ରହାର ବସାଇବାକୁ ଲାଗିଲେ ।

 

ଥରକୁ ଥର ପଥରଉପରେ ପ୍ରହାର ବସେ; କିନ୍ତୁ ଗୋଟାଏ କର୍ଣ୍ଣକଟୁ ଶବ୍ଦ ବ୍ୟତୀତ ଆଉସବୁ ନିଷ୍ଫଳ । ପଥରର ଚଟାଣ ସେହିପରି ଅଟଳ ରହିଥାଏ । ଏଣେ ସଂକଳ୍ପ ମଧ୍ୟ ଟଳିବାର ନୁହେଁ ।

 

ଶେଷରେ ଦୃଢ଼ ସଂକଳ୍ପ ପାଖରେ ସେ ପଥର ପରାସ୍ତ ମାନିଲା । ଗୋଟିଏ ସାମାନ୍ୟ ଅଂଶ ଫାଟିଗଲା । ବୋଧିସତ୍ତ୍ଵ ଦେଖିଲେ, ସେହି ଭଗ୍ନ ଅଂଶର ଉପରକୁ ପାଣି ଉଛୁଳି ଉଠିବାକୁ ଅସ୍ଥିର । ସେ ତରତର ହୋଇ ଗର୍ତ୍ତର ଉପରକୁ ଉଠିଆସିଲେ । ଉପରେ ରହି ପଥର ଉପରେ ଆଘାତ ପରେ ଆଘାତ କରିବାକୁ ଲାଗିଲେ ।

 

କିଛି ସମୟ ପରେ ଚଟାଣ ଦେହରୁ ଖଣ୍ଡେ ଅଂଶ ଭାଙ୍ଗିଗଲା । ଚାହୁଁ ଚାହୁଁ ସେ ଭଗ୍ନପଥ ବାଟେ ଖୁବ୍‍ ଜୋରରେ ପାଣିର ଝରଣା ଉପରକୁ ଉଠିଆସିଲା । ଅଳ୍ପ ସମୟ ମଧ୍ୟରେ ନିର୍ମଳ ଶୀତଳ ଜଳରେ ସେ ଗର୍ତ୍ତଟି ପୂରିଗଲା ।

 

ବର୍ତ୍ତମାନ ଲୋକମାନଙ୍କ ଆନନ୍ଦ କହିଲେ ନ ସରେ । ସମସ୍ତେ ପ୍ରଥମେ ମନବୋଧ କରି ପାଣି ପିଇନେଲେ । ତା ପରେ ସ୍ନାନ ସାରି ଦେହକୁ ଶୀତଳ କଲେ । ପାଣିପାତ୍ରରେ ଯଥେଷ୍ଟ ପରିମାଣ ପାଣି ପୂରାଇ ଓଟ ପିଠିରେ ଲଦିଲେ ।

 

ସନ୍ଧ୍ୟା ସମୟରେ ସେ କୂଅ ପାଖରେ ଅନ୍ୟାନ୍ୟ ତୃଷାତୁର ଯାତ୍ରୀଙ୍କୁ ଜଳର ସଙ୍କେତ ଦେବା ପାଇଁ ନିଜର ଗୋଟିଏ ପତାକା ପୋତିଦେଲେ । ତା ପାଖରେ ଥିବା ଖଣ୍ଡିଏ ପ୍ରସ୍ତର ଦେହରେ ଖୋଳି ଲେଖିଲେ–

 

‘‘ମରୁଭୂମିରେ ନ ପାଇ ଜଳ ହତାଶ ହେଲେ ବଣିକଦଳ

ସାହସ କରି ଖୋଳିଲେ ଗାତ କେତେ;

ଥରକୁ ଥର ଉଦ୍ୟମ କରି ପାଷାଣ ପରେ ହାତୁଡ଼ି ଧରି

ପ୍ରହାର କଲେ ନିଜର ଶକ୍ତିମତେ ।

ପାଷାଣ ବକ୍ଷ ଗଲା ତ ଫାଟି, ହୋଇଲା ଓଦା ଶୁଖିଲା ମାଟି,

ମରୁର ବକ୍ଷେ ବହିଲା ଗଙ୍ଗାଧାର ।

ଉଦ୍ୟମ କଲେ ହୋଇବ ସିଦ୍ଧି, ଅସ୍ଥିର ହେଲେ ହଜଇ ବୁଦ୍ଧି,

ଜଗତ ମଧ୍ୟେ ଏହା ହିଁ ଅଟେ ସାର ।’’

 

ପ୍ରଶ୍ନ

 

୧.

ସାଧବ, କୋଳାହଳ, ରୁକ୍ଷ, ପ୍ରାଣାନ୍ତ ଯନ୍ତ୍ରଣା, ପ୍ରାନ୍ତର, ଉଦ୍‍ବୃତ୍ତ, ଦୁଶ୍ଚିନ୍ତା, କର୍ଣ୍ଣକଟୁ ଶବ୍ଦ–ଏଗୁଡ଼ିକର ଅର୍ଥ କଅଣ ?

୨.

ଆନନ୍ଦ କହିଲେ ନ ସରେ, ମନବୋଧ କରି, କୋମଳ ଅଙ୍ଗ ଝାଉଁଳି ପଡ଼ିଲାଣି, ଜନପଦର ଛବି, ନୀଳଆକାଶର ସହିତ ମିଶିଗଲାଣି, ପ୍ରାଣାନ୍ତ ଯନ୍ତ୍ରଣା ଦିଏ–ଏହି ଖଣ୍ଡବାକ୍ୟଗୁଡ଼ିକ ବୁଝାଇଦିଅ ।

୩.

ପୋଷେ ପାଣି–ଏଠାରେ ‘ପୋଷେ’ ପାଣିର ବିଶେଷଣ । ସେହିପରି ତଳଲିଖିତ ପଦ ପୂର୍ବରୁ ଉପଯୁକ୍ତ ବିଶେଷଣ ବସାଅ । ନିଦ, ପରିଶ୍ରମ, ଭାତ, ଲୁଗା, ବିଶ୍ରାମ, ପ୍ରାନ୍ତର, ଧନସମ୍ପତ୍ତି ।

୪.

ମାଟି ତଳେ ପାଣି ଥିବା କଥା ବୋଧିସତ୍ତ୍ଵ କିପରି ଅନୁମାନ କଲେ ?

୫.

ମରୁଭୂମି ସହିତ ସମୁଦ୍ରକୁ ତୁଳନା କରି ଗୋଟିଏ କ୍ଷୁଦ୍ର ପ୍ରବନ୍ଧ ଲେଖ ।

୬.

ଓଟଟଣା ଗାଡ଼ିରେ ସାଧବମାନେ ପଣ୍ୟଦ୍ରବ୍ୟ ନେଉଥିଲେ କାହିଁକି ?

୭.

ସାଧୁ ଶବ୍ଦରୁ ସାଧବ ହୋଇଅଛି । ସେହିପରି ନିମ୍ନଲିଖିତ ଶବ୍ଦଗୁଡ଼ିକ କେଉଁ ଶବ୍ଦରୁ ଆସିଅଛି କହ–ମାନବ, ମାଧବ, ରାଘବ, ଯାଦବ, ପାଣ୍ଡବ, କୌରବ, ଗୌରବ ।

Image

 

ଚରିତ୍ରର ବଳ

 

କୋଶଳ ରାଜା ଜଣେ ଜ୍ଞାନୀ ଚରିତ୍ରବାନ୍ ବେଦଜ୍ଞ ବ୍ରାହ୍ମଣଙ୍କୁ ନିଜ ନବରରେ ରଖାଇଥିଲେ । ପଣ୍ଡିତଙ୍କ ବିଦ୍ୟା, ବୁଦ୍ଧି ଓ ନିଃସ୍ୱାର୍ଥପରତାରେ ସେ ଏପରି ମୋହିତ ହୋଇଗଲେ ଯେ, ପ୍ରତ୍ୟହ ଦେବତାପୂଜା ପରି ତାଙ୍କୁ ପୂଜା କରିବାକୁ ଲାଗିଲେ । ନିଜ ଗୁରୁପଦରେ ତାଙ୍କୁ ବରଣ କରି ତାଙ୍କଠାରୁ ଦୀକ୍ଷା ନେଲେ ।

 

ପ୍ରତ୍ୟହ ରାଜା ନିଜ ଗୁରୁଙ୍କୁ ଶହେଟି ସ୍ଵର୍ଣ୍ଣମୁଦ୍ରା ଗୁରୁଦକ୍ଷିଣା ଦିଅନ୍ତି; ମାତ୍ର ପଣ୍ଡିତ ବ୍ରାହ୍ମଣ ତାହା ଆଦୌ ଗ୍ରହଣ କରନ୍ତି ନାହିଁ ।

 

କ୍ରମେ ରାଜାଙ୍କର ଗୁରୁଭକ୍ତି ଏତେ ବେଶି ହେଲା ଯେ, ପଣ୍ଡିତ ବ୍ରାହ୍ମଣ ସେଥିପାଇଁ ବଡ଼ ସଙ୍କୁଚିତ ହୋଇପଡ଼ିଲେ ।

 

ଦିନେ ସେ ଚିନ୍ତା କଲେ, ରାଜା ମୋତେ ଏତେଦୂର ଭକ୍ତି କରନ୍ତି କାହିଁକି-? ଶ୍ରେଷ୍ଠ ଜାତି ହେତୁ, ମୋର ପାଣ୍ଡିତ୍ୟ ହେତୁ, ନା ମୋର ଚରିତ୍ର ହେତୁ ? ଏହା ଥରେ ପରୀକ୍ଷା କରି ଦେଖିବା ଦରକାର ।

 

ଏହା ଭାବି ପଣ୍ଡିତ ନିଜେ ରାଜଭଣ୍ଡାରରୁ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଉଠାଇ ଆଣିଲେ । ଭଣ୍ଡାରରକ୍ଷକ ତାହା ଦେଖିଲା; ମାତ୍ର ରାଜଗୁରୁଙ୍କୁ ସାହସର ସହିତ କିଛି କହିପାରିଲା ନାହିଁ । ଦ୍ଵିତୀୟ ଦିନ ଗୁରୁ ଯାଇ ଦୁଇଟି ସ୍ୱର୍ଣ୍ଣମୁଦ୍ରା ଘେନିଆସିଲେ । ସେଦିନ ମଧ୍ୟ ଭଣ୍ଡାରରକ୍ଷକ ବାଧା ଦେଲା ନାହିଁ । ତୃତୀୟ ଦିନ ସେ ଯାଇ ଦଶଟି ମୁଦ୍ରା ଆଣି ନିଜ କାନିରେ ବାନ୍ଧି ରଖିଲେ । ଭଣ୍ଡାରରକ୍ଷକ ପକ୍ଷରେ ତାହା ଆଉ ସହ୍ୟ ହେଲା ନାହିଁ । ସେ ତତ୍‍କ୍ଷଣାତ୍ ଆସି ରାଜଗୁରୁଙ୍କୁ ବାଧା ଦେଇ ସ୍ଵର୍ଣ୍ଣମୁଦ୍ରା ଫେରାଇ ଦେବାକୁ ଦାବି କଲା; ମାତ୍ର ରାଜଗୁରୁ ତାହା ଫେରସ୍ତ ଦେଲେ ନାହିଁ ।

Image

ଭଣ୍ଡାରରକ୍ଷକ ଯାଇ ରାଜାଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲା । ରାଜା ପ୍ରଥମେ ଏକଥା ବିଶ୍ୱାସ କରିପାରିଲେ ନାହିଁ; ମାତ୍ର ପଣ୍ଡିତ ସ୍ୱର୍ଣ୍ଣମୁଦ୍ରାତକ ରାଜାଙ୍କ ଆଗରେ ରଖିଦେଇ ନୀରବରେ ଛିଡ଼ା ହୋଇ ରହିଲେ ଏବଂ ସେ ଯେ ଦୋଷୀ, ତାହା ଭାବଭଙ୍ଗୀରେ ପ୍ରକାଶ କଲେ ।

 

ରାଜାଙ୍କ ମନରେ ବଡ଼ ଦୁଃଖ ହେଲା । ତାଙ୍କର ଗୋଟିଏ ଅତି ବଡ଼ ମଧୁର ସ୍ୱପ୍ନ ଭାଙ୍ଗିଗଲା । ସେ କହିଲେ, ‘‘ଆପଣ ଏପରି କାର୍ଯ୍ୟ କରିବାକୁ ଗଲେ କାହିଁକି ? ଆପଣଙ୍କୁ ମୁଁ ଗୁରୁପଦରେ ବରଣ କରି ଆପଣଙ୍କ ଦାସାନୁଦାସ ରୂପେ ସେବା କରୁଥିଲି । ଆପଣଙ୍କୁ କେତେ ଥର କେତେ ମୂଲ୍ୟବାନ ଉପହାର ଦେଇଅଛି, କେତେ ସ୍ଵର୍ଣ୍ଣମୁଦ୍ରା ଗ୍ରହଣ କରିବାକୁ ଅନୁରୋଧ କରିଅଛି; ମାତ୍ର ଆପଣ ସେଥିରୁ ଗୋଟିଏ ହେଲେ କିଛି ସ୍ପର୍ଶ କରି ନାହାନ୍ତି । ଅଥଚ ଆପଣ ରାଜଭଣ୍ଡାରରୁ ସାମାନ୍ୟ ଦଶଟି ମାତ୍ର ସ୍ଵର୍ଣ୍ଣମୁଦ୍ରା ଚୋରି କରି ପ୍ରକାଶ୍ୟରେ ଧରା ପଡ଼ିଅଛନ୍ତି । ରାଜଗୁରୁଙ୍କ ପକ୍ଷରେ ଏହା କେତେ ବଡ଼ ଦୋଷାବହ, ମୁଁ ଭାବି ତାର ସୀମା ପାଉ ନାହିଁ । ତାହାର ଫଳ ସ୍ୱରୂପ ଆପଣଙ୍କୁ ଦଣ୍ଡ ଭୋଗ କରିବାକୁ ପଡ଼ିବ । ଆପଣଙ୍କୁ ଦଣ୍ଡ ଦେବା କଥା ଭାବିଲେ ମୋର ଛାତି ଥରିଉଠୁଅଛି; ଅଥଚ ମୋତେ ରାଜଧର୍ମ ରକ୍ଷା କରିବାକୁ ହେବ । ତା ନ ହେଲେ ଲୋକେ ମୋତେ ଅବିଚାରକ ଆଖ୍ୟା ଦେବେ ।’’

 

ବ୍ରାହ୍ମଣ ଉତ୍ତର ଦେଲେ, ‘‘ମହାରାଜ ! ମୁଁ ଚାହିଁଥିଲେ ତୁମେ ଏହିପରି ଶତ ଶତ ମୁଦ୍ରା ଆଗ୍ରହରେ ଦାନ କରିଥାଆନ୍ତ । ବହୁ ଥର ମଧ୍ୟ ଦେଇଅଛ; ମାତ୍ର ମୁଁ ତାହା ଗ୍ରହଣ ନ କରି ଫେରାଇ ଦେଇଅଛି । ତାହା ଛଡ଼ା ମୋର କୌଣସି ଅଭାବ ନାହିଁ; କିଛି ଅଭାବ ହିଁ ତୁମେ ମୋର ରଖି ନାହଁ । ତେବେ ଏ କାର୍ଯ୍ୟ ମୁଁ କଲି କାହିଁକି ? ଏ କଥା ଥରେ ଭାବିଲ ଦେଖି । ତା ପରେ ମୋର ଦଣ୍ଡବିଧାନ କରିବ ।’’

 

ରାଜା କହିଲେ, ‘‘ମୁଁ ତ କିଛି ବୁଝିପାରୁ ନାହିଁ । ସବୁ କଥା ମୋତେ ପ୍ରହେଳିକା ପରି ବୋଧ ହେଉଅଛି ।’’

 

ବ୍ରାହ୍ମଣ ଜବାବ ଦେଲେ–ତେବେ ଶୁଣ ମହାରାଜ, ମୁଁ କେବଳ ପରୀକ୍ଷା କରି ଦେଖୁଥିଲି, ମୁଁ ଯେ ତୁମର ଏଡ଼େ ଭକ୍ତିର ପାତ୍ର ହୋଇଅଛି, ତାହାର କାରଣ କଅଣ ? ମୋର ଜାତି-କୁଳ, ମୋର ଗଭୀର ଜ୍ଞାନ ନା ମୋର ନିଷ୍କଳଙ୍କ ଚରିତ୍ର ତୁମକୁ ମୁଗ୍‍ଧ କରିଅଛି ? ବର୍ତ୍ତମାନ ଦେଖିଲି, ଚରିତ୍ରବଳରେ ହିଁ ମୁଁ ଏପର୍ଯ୍ୟନ୍ତ ଭକ୍ତିଭାଜନ ହୋଇଥିଲି । ଚରିତ୍ର ଯଦି ହୀନ ହୁଏ, ତେବେ ଜାତି, କୁଳ, ବିଦ୍ୟା ବା ଜ୍ଞାନ କିଛି ହେଲେ ମନୁଷ୍ୟକୁ ରକ୍ଷା କରିପାରିବ ନାହିଁ । ଜାତି, କୁଳ, ବା ବିଦ୍ୟା ଚରିତ୍ରହୀନ ବ୍ୟକ୍ତିକୁ ଦିନେ ଦୁଇ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିପାରନ୍ତି; ମାତ୍ର ତୃତୀୟ ଦିନ ସେମାନେ ବି ଅକ୍ଷମ ହୋଇପଡ଼ିବେ ।

 

‘‘ଯେତେ ଥାଉ ଜାତି ବଡ଼ାଇ, ବିଦ୍ୟା, ବୁଦ୍ଧି ବା ଜ୍ଞାନ,

ଥାଉ ଯେତେ ଧନ ଭଣ୍ଡାରେ, ସମାଜରେ ସମ୍ମାନ ।

ଚରିତ୍ର ବିହୁନେ ସେସବୁ ସିନା ଅଟେ ଅସାର,

ଚରିତ୍ରବଳରେ ମାନବ ଜିତେ ତିନି ସଂସାର ।’’

 

‘‘ମୁଁ ବର୍ତ୍ତମାନ ବୁଝିପାରିଅଛି, ଏହି ଚରିତ୍ର ହିଁ ସବୁଠାରୁ ବଡ଼ ବଳ ଓ ସମ୍ବଳ । ସମାଜ ମଧ୍ୟରେ ରହିଲେ ବିଶେଷତଃ ରାଜୈଶ୍ୱର୍ଯ୍ୟ ମଧ୍ୟରେ ରାଜଗୁରୁ ହୋଇ ଜୀବନ କଟାଇଲେ ଚରିତ୍ରକୁ ସମ୍ପୂର୍ଣ୍ଣ ନିର୍ମଳ ରଖିବା ଅସମ୍ଭବ । ଭୋଗ-ଲିପ୍‍ସା ଦିନୁଦିନ ବୃଦ୍ଧି ପାଇ ସେଥିରୁ ଲୋଭ ଓ ମୋହ ଉଦ୍ରେକ ହେବ । ବର୍ତ୍ତମାନ ମୁଁ ଦିବ୍ୟଜ୍ଞାନ ଲାଭ କରିଅଛି । ଆଉ ତୁମର ଏ ରାଜନବରରେ ରହିପାରିବି ନାହିଁ ।’’

 

ଏହା କହି ବ୍ରାହ୍ମଣ ଅରଣ୍ୟକୁ ଋଷି ଆଶ୍ରମକୁ ଚାଲିଗଲେ । ରାଜା ବା ତାଙ୍କ ପରିବାରର ଲୋକେ କୌଣସିମତେ ତାଙ୍କୁ ଆଉ ଘରେ ରଖାଇପାରିଲେ ନାହିଁ । ବ୍ରାହ୍ମଣ ଅରଣ୍ୟ ମଧ୍ୟରେ ସମସ୍ତ ତ୍ୟାଗ କରି ସନ୍ନ୍ୟାସ ଜୀବନଯାପନ କଲେ ।

 

ପ୍ରଶ୍ନ

 

୧.

ନିଃସ୍ୱାର୍ଥପର, ନିଷ୍କଳଙ୍କ, ପ୍ରହେଳିକା, ବୃତ୍ତାନ୍ତ, ଚରିତ୍ରହୀନ, ଐଶ୍ୱର୍ଯ୍ୟ, ନିର୍ମଳ–ଏଗୁଡ଼ିକର ଅର୍ଥ କଅଣ ?

୨.

ଭକ୍ତ, ଜ୍ଞାନୀ, ସଙ୍କୁଚିତ, ପଣ୍ଡିତ, ଚରିତ୍ରବାନ୍–ଏଗୁଡ଼ିକର ବିପରୀତ ଅର୍ଥ ବୁଝାଇଥିବା ଶବ୍ଦ କହ ।

୩.

ମୋହିତ, ଆଗ୍ରହ, ପ୍ରକାଶ, ଅବିଚାରକ, ନବର, ରଖାଇ–ଏ ଶବ୍ଦଗୁଡ଼ିକରୁ ପ୍ରଥମ ଅକ୍ଷରଟିମାନ କାଟି ଦେଲେ ଯେଉଁ ଶବ୍ଦ ହେବ, ତାକୁ ଲଗାଇ ଗୋଟିଏ ଗୋଟିଏ ବାକ୍ୟ କହ ।

୪.

ସଂସାର, ଅରଣ୍ୟ, ପରିବାର, ନୀରବ–ଏସବୁର ତିନୋଟି ଲେଖାଏଁ ପ୍ରତିଶବ୍ଦ କହ ।

୫.

ବ୍ରାହ୍ମଣଙ୍କୁ ଦଣ୍ଡ ଦିଆଯିବ ବୋଲି ରାଜା କହିବାରୁ ବ୍ରାହ୍ମଣ ଯାହା ଉତ୍ତର ଦେଇଥିଲେ, ତାହା ନିଜ କଥାରେ କହ ।

Image